ନ୍ୟୁଜ 365 (ବ୍ୟୁରୋ): ଦିଲ୍ଲୀ ସେବା ଅଧ୍ୟାଦେଶକୁ ନେଇ ଜାତୀୟ ରାଜନୀତିରେ ଏବେ ବେଶ୍ ଚର୍ଚ୍ଚା । ଲୋକସଭାରେ ଏହି ବିଲ ସହଜରେ ପାସ ହୋଇଯିବ । ତେବେ ରାଜ୍ୟସଭାରେ ଏହି ବିଲକୁ ମୋଦିଙ୍କୁ ପାସ କରିବାକୁ ହେଲେ ଅନ୍ୟଦଳର ସାହାଯ୍ୟ ଆବଶ୍ୟକ । ସବୁଠୁ ବଡ଼ କଥା ହେଉଛି ନବୀନ ମୋଦିଙ୍କୁ ଏହି ବିଲ ସପକ୍ଷରେ ଭୋଟ ଦେଇ ସହଯୋଗ କରିବେ ନା ଭୋଟଦାନରୁ ବିରତ ରହିବାକୁ ନିଷ୍ପତ୍ତି ନେବେ କି ବିରୋଧୀ ମେଂଟରେ ରହି ଅଧ୍ୟାଦେଶକୁ ବିରୋଧ କରିବେ । କେନ୍ଦ୍ର ପକ୍ଷରୁ ମେ ୧୯ରେ ଜାରି ହୋଇଥିବା ଏହି ଅଧ୍ୟାଦେଶରେ ସୁପ୍ରିମକୋର୍ଟ ଦ୍ୱାରା ଜାରି ହୋଇଥିବା ଆଦେଶକୁ ପରିବର୍ତ୍ତନ କରିବାର ନିୟମ କରାଯାଇଛି ।
ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ବଦଳି ଏବଂ ପୋଷ୍ଟିଂ କେନ୍ଦ୍ର ସରକାରଙ୍କ ପାଖରେ ରହିବ । ଏହାକୁ ନେଇ ଏହି ଅଧ୍ୟାଦେଶରେ ବ୍ୟବସ୍ଥା ରହିଛି । ଦିଲ୍ଲୀର କ୍ଷମତାଶୀନ ଆପ୍ ସରକାର ଏବଂ ବିରୋଧୀ ମେଂଟ ଏହାକୁ ବିରୋଧ କରୁଥିବା ବେଳେ ମୋଦୀ ସରକାର ଏହାକୁ ଲାଗୁ କରିବାକୁ ଜୋରସୋରରେ ଲାଗିପଡ଼ିଛନ୍ତି । ଏହି ଅଧ୍ୟାଦେଶ ଲାଗୁ ହେବା ପରେ ଦିଲ୍ଲୀରେ ଅଫିସରମାନଙ୍କର ପୋଷ୍ଟିଂ, ଟ୍ରାନ୍ସଫର ଦିଲ୍ଲୀ ସରକାରଙ୍କ ହାତରୁ କେନ୍ଦ୍ର ସରକାରଙ୍କ ହାତକୁ ଚାଲିଯିବ । ଯାହାକୁ ନେଇ କେଜ୍ରିୱାଲ ସରକାର ଏବେ ବିଳବିଳାଉଛନ୍ତି । ତେବେ ଏହି ଅଧ୍ୟାଦେଶକୁ ଲାଗୁ କରିବା ପାଇଁ ରାଜ୍ୟସଭାରେ ବିଜେପି ସରକାରଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ ଦରକାର । ହେଲେ ରାଜ୍ୟରେ ଏବେ ପ୍ରଶ୍ନ ଉଠୁଛି, ଦିଲ୍ଲୀ ଅଧ୍ୟାଦେଶକୁ ବିଜେଡି ସମର୍ଥନ କରିବ ନା ନାହିଁ? ପୂର୍ବରୁ ଆନ୍ଧ୍ରର ଜନଗ ମୋହନ ସରକାର ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ କରିବାକୁ ଘୋଷଣା କରିସାରିଥିବା ବେଳେ ଏବେ ନବୀନଙ୍କ ଉପରେ ସମସ୍ତଙ୍କର ନଜର ରହିଛି ।
ଯଦି ଆମେ ବିଜେପି-ବିଜେଡିର ସମ୍ପର୍କ କଥା ଦେଖିବା, ତେବେ ସବୁବେଳେ କେନ୍ଦ୍ରରେ ବିଜେପି ସରକାରଙ୍କୁ ବିଜେଡି ସମର୍ଥନ କରି ଆସିଛି । କେନ୍ଦ୍ରର ସବୁ ବିଲକୁ ବିଜେଡି ସମର୍ଥନ କରିଛି । ବିଜେଡି ବି ପ୍ରତିବଦଳରେ ଅନେକ କ୍ଷେତ୍ରରେ ଅଧିକ ଆର୍ଥିକ ସହାୟତା ପାଇଛି । ରାଜ୍ୟରେ ବିଜେଡି ବିଜେପି କଳି ବଢ଼ୁଥିବା ବେଳେ କେନ୍ଦ୍ରରେ କିନ୍ତୁ ବିଜେଡିର ମତ ଏବେ କଣ ରହିଛି ଏଥିରୁ ସ୍ପଷ୍ଟ ହେବ । ଏହା ସହ ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ମେଂଟ ମୋଦି ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ନବୀନଙ୍କ ମତ କଣ ରହୁଛି ତାହା ମଧ୍ୟ ଦେଖିବାକୁ ରାଜ୍ୟବାସୀଙ୍କ ଅପେକ୍ଷା ରହିଛି ।