ନ୍ୟୁଜ 365 (ବ୍ୟୁରୋ): ଦିନକୁ ଦିନ ଶସ୍ତା ହେଇଯାଉଛି ଓଲିଉଡ। ଓଲିଉଡ଼ରେ ପୁଣି ଉଠିଛି ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ୍ ବିବାଦ । ଜଣେ ଜଣାଶୁଣା ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ନାୟିକା ଜଣକ ଥାନାରେ ଏଫଆଇଆର ଦାଖଲ କରି ପୁରୁଷବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା କହିଛନ୍ତି । ଏହାଦ୍ୱାରା ସମାଜରେ ସମ୍ମାନହାନୀ ହେଉଥିବା ନେଇ ଅଭିନେତ୍ରୀଜଣକ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ପର୍କ ଭଲ ଥିବାବେଳେ ହୋଇଥିବା ଭିଡ଼ିଓକୁ ଏବେ ପୁରୁଷବନ୍ଧୁ ଆକ୍ରୋଶମୂଳକ ଭାବରେ ଛାଡୁଥିବା ଅଭିଯୋଗ ହୋଇଛି । ତେଣୁ ତାଙ୍କ ନାଁରେ ଠକେଇ, ନିର୍ଯାତନା, ଭିଡିଓ ଭାଇରାଲ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ । ଉଭୟଙ୍କ ମଧ୍ୟରେ ୨୦୧୯ରୁ ରହିଥିଲା ପ୍ରେମ ସମ୍ପର୍କ । ପୁରୁଷ ବନ୍ଧୁ ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି ।
ପ୍ରଥମେ ୨୦୨୧ରେ ଆସିଥିବା ଏହି ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନାରେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ପୁଣିଥରେ ଠକେଇ, ନିର୍ଯାତନା ଓ ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି। ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାର ପ୍ରଲୋଭନ ଦେଇ ପୁରୁଷ ବନ୍ଧୁ ନାୟିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ବି ଅଭିଯୋଗ ହୋଇଛି। ଆଉ ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରି ପୁରୁଷ ବନ୍ଧୁ ବ୍ଲାକମେଲ୍ କରୁଥିବା ମଧ୍ୟ ଜଣାପଡ଼ିଛି।
ନାୟିକାଙ୍କ ଅଭିଯୋଗ ପରେ ସିଆରପିସିର ୨୬୮, ୨୯୪, ୩୪୯, ୩୫୦ , ୩୫୪ , ୩୫୪ ଏ , ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩ , ୫୦୬ ଦଫାରେ ମାମଲା ରୁଜୁ ହୋଇଛି। ଏହାଛଡ଼ା ଆଇଟି ଆକ୍ଟ ୨୦୦୦ ର ୬୬ ଏ, ୬୬ ଇ, ୬୭, ୬୭ ଏରେ ମଧ୍ୟ ମାମଲା ରୁଜୁ ହୋଇ ଛି। ଉଲ୍ଲେଖଯୋଗ୍ୟ, ୨୦୧୫ରେ ଓଡ଼ିଆ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ଅଭିଯୋଗକାରିଣୀ। ଏହାପରେ ସେ ବହୁ ନାମୀଦାମୀ ବ୍ୟାନରରେ ସଫଳ ନାୟକମାନଙ୍କ ସହ ଅଭିନୟ କରି ବେଶ୍ ସଫଳତା ହାସଲ କରିଥିଲେ । ତେବେ ଦର୍ଶକ ଓଡ଼ିଆ ଚଳର୍ଚ୍ଚିତ୍ରକୁ ଆଉ ପୂର୍ବଭଳି ପସନ୍ଦ କରୁନଥିବା ବେଳେ, ବାରମ୍ବାର ଏହିଭଳି ଖବର ଦର୍ଶକଙ୍କୁ ମର୍ମାହତ କରୁଛି ।