ନ୍ୟୁଜ ୩୬୫ (ବ୍ୟୁରୋ): ଆଜି ବିଶ୍ୱ ହେପାଟାଇଟିସ ଦିବସ । ୨୦୧୧ ମସିହାରୁ ପ୍ରତି ବର୍ଷ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ୨୮ ଜୁଲାଇକୁ ବିଶ୍ଵ ହେପାଟାଇଟିସ୍ ଦିବସ ଭାବରେ ପାଳନ କରାଯାଏ । ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ । ସୂଚନାଅନୁଯାୟୀ, ଏହି ରୋଗ ପାଇଁ ଦାୟୀ ହେପାଟାଇଟିସ ବି ଭୂତାଣୁର ଆବିଷ୍କାରକ ନୋବେଲ ପୁରଷ୍କାର ପ୍ରାପ୍ତ ବାରୁକ ସାମୁଏଲ ବ୍ଲୁମ୍ବର୍ଗଙ୍କର ୧୯୨୫ ଜୁଲାଇ ୨୮ ତାରିଖରେ ଜନ୍ମ ହୋଇଥିଲା । ତାଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ତାରିଖକୁ ଏହି ସ୍ୱତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି । ବିିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ଆକଳନ ଅନୁଯାୟୀ , ବିଶ୍ୱରେ ପ୍ରାୟ ସାଢ଼େ ୩୫ କୋଟି ଲୋକ ହେପାଟାଇଟିସ ରୋଗରେ ପୀଡ଼ିତ । ଆକ୍ରାନ୍ତମାନଙ୍କ ଠାରେ ଶରୀର ପୀଡ଼ା , ପେଟରେ ଯନ୍ତ୍ରଣା , ଜ୍ୱର ଏବଂ ଜକୃତ ଅକାମୀ ହୋଇଯିବା ଓ ମସ୍ତିଷ୍କରେ କ୍ଷତି ଆଦି ଲକ୍ଷଣ ଦେଖାଯାଉଥିବା ବେଳେ ଅନେକ ପୀଡ଼ିତଙ୍କର ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖା ଦେଇନଥାଏ ।
ଏହା ଏକ ଭାଇରସ୍ ଜନିତ ରୋଗ ଅଟେ । ଏଥିରେ ଯକୃତ ଦୁର୍ବଳ ହେବା ସହ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ । ଅନେକ ସମୟରେ ଯକୃତ କାମ ନକରିବା ଦ୍ଵାରା ମନୁଷ୍ୟ ମୃତ୍ୟୁ ବରଣ କରିଥାଏ । ଏହି ରୋଗର ଲକ୍ଷଣ ଚିହ୍ନିବା କଷ୍ଟକର ହୋଇଥାଏ । ଏହିରୋଗରୁ ରକ୍ଷା ପାଇବା ପାଇଁ ଖାଦ୍ୟ ଏବଂ ପାନୀୟ ସେବନର ଯତ୍ନ ନେବା ନିତ୍ୟାନ୍ତ ଜରୁରୀ । ହେପାଟାଇଟିସ୍ ଯକୃତକୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ । ଏହା ଏ,ବି,ସି,ଡ଼ି,ଇ, ଆଦି ବିଭିନ୍ନ ପ୍ରକାରର ହୋଇଥାଏ । ହେପାଟାଇଟିସ୍ ଏ ଓ ଇ ଜଳ ଦ୍ଵାରା ଏବଂ ବି, ସି, ଡ଼ି ରକ୍ତ ଦ୍ଵାରା ସଂକ୍ରମିତ ହୋଇଥାଏ । ସାରା ବିଶ୍ଵରେ ପ୍ରତି ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କର ହେପାଟାଇଟିସ୍ ଆକ୍ରାନ୍ତରେ ମୃତ୍ୟୁ ହେଉଛି । ତେଣୁ ଏହି ଘାତକ ରୋଗର ଆଗୁଆ ଚିହ୍ନଟ ଓ ଚିକିସô୍ା ଉପରେ ଗୁରୁତ୍ୱ ଦିଆଯାଉଛି ।
ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି , ‘ଗୋଟିଏ ଜୀବନ , ଗୋଟିଏ ଯକୃତ’ । ଅର୍ଥାତ ଆମେମାନେ ପ୍ରତ୍ୟେକ କେବଳ ଗୋଟିଏ ଜୀବନ ବଞ୍ଚିବାର ସୁଯୋଗ ପାଇଛୁ । ଏବଂ ପ୍ରତ୍ୟେକଙ୍କର କେବଳ ଗୋଟିଏ ଯକୃତ ରହିଛି । ତେବେ ହେପାଟାଇଟିସ ଉଭୟ ଜୀବନ ଓ ଯକୃତକୁ ଧ୍ୱସଂ କରିଦେବାର କ୍ଷମତା ରଖିଛି । ସେଥିପାଇଁ ଆମକୁ ସଚେତନ ହେବାକୁ ପଡିବ ।