ନ୍ୟୁଜ 365 (ବ୍ୟୁରୋ): ମାଟିର ମଣିଷ ଏବେ ଭଲପାଇବାରେ ବ୍ୟସ୍ତ କଂକ୍ରିଟ ସହରକୁ । ଆଧୁନିକତାର ଛାପରେ ସବୁଜିମାକୁ ଭୁଲିଯାଇଛି ଆଜିର ମଣିଷ ସମାଜ । ଚାକଚକ୍ୟର ସହର ଓ ଝଲମଲ ଆଲୁଅ ମାୟାରେ ବାୟା ଯୁବପିଢି ।ଧିରେଧିରେ ପୃଥିବୀ ପୃଷ୍ଠରୁ ଲୋପ ପାଇବାକୁ ବସିଛନ୍ତି ବିଭିନ୍ନ ପ୍ରଜାତିର ଜୀବଜନ୍ତୁ । ସଞ୍ଜ ନଇଁଲେ ଗାଁ ଗଣ୍ଡାରେ ଶୁଭୁଥିବା କିଚିରିମିଚିରି ଶବ୍ଦ ଆଉ ଏବେ ସେତେମାତ୍ରାରେ ଶୁଣିବାକୁ ମିଳୁନି । ହେଲେ ଆଜି ବି ଏଭଳି ଏକ ସ୍ଥାନ ଅଛି ଯେଉଁଠି ହଜାରହଜାର ବାଦୁଡି ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ଫାଟି ପଡୁଛି ପରିବେଶ । ବୌଦ୍ଧ ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ ରାମଗଡ଼ ଗାଁ । ଯେଉଁଠାରେ ଲୋକେ ବାଦୁଡ଼ି ପକ୍ଷୀଙ୍କୁ ସୁରକ୍ଷା ଦେଇ ସୃଷ୍ଟି କରିଛନ୍ତି ଉଦାହରଣ ।
ବିଭିନ୍ନ ଗଛର ଡାଳରେ ଲୋକମାନେ ତିଆରି କରିଛନ୍ତି ବସା । ଯେଉଁ ବସାରେ ଝୁଲି ରହିଛନ୍ତି ଅନେକ ପକ୍ଷୀ । ଗୋଟିଏ କି ଦୁଇଟି ନୁହେଁ ଆପଣ ଚାହିଁଲେ ବି ଗଣି ପାରିବେନି ଏହି ପକ୍ଷୀଙ୍କ ସଂଖ୍ୟା । ଗଛ ଡାଳରେ ଦୋଳି ଖେଳିଲା ପରି ଝୁଲି ରହିଛନ୍ତି ବିରଳ ପ୍ରଜାତିର ଏହି ପକ୍ଷୀ । ଯାହାର ନାଁ ହେଲା ବାଦୁଡି । ସମୟ ଥିଲା ସଂଜ ନଇଁଲେ ଗାଁ ଗାଁ ରେ ଶୁଣିବାକୁ ମିଳୁଥିଲା ଏମାନଙ୍କ କାକୁଳି । ହେଲେ ଦୃତସହରାୟନ, ଆଧୁନିକତାର ଛାପ ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ଏବେ ବିଲୁପ୍ତ ପ୍ରାୟ ଏହି ବିରଳ ବାଦୁଡି ପକ୍ଷୀ । ବୌଦ୍ଧ ଜିଲ୍ଲା ରାମଗଡ ପଂଚାୟତ ମହାନଦୀ କୁଳରେ ଥିବା ବାବ କେଦାରେଶ୍ୱର ଶୈବପୀଠ ପରିସରରେ ଥିବାତେନ୍ତୁଳି, ଫାସି, ବର ଗଛ ମାନଙ୍କରେ ଏବେ ବସା ବାନ୍ଧିଛନ୍ତି ଏହି ପକ୍ଷୀ । ଲୋକଙ୍କ ସୁରକ୍ଷା ଯୋଗୁଁ ଏବେ ଏଇଠି ବଢିବାରେ ଲାଗିଛି ଏମାନଙ୍କ ସଂଖ୍ୟା ।
କେବଳ ସମାଜପ୍ରତି କାହିଁକି ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସମସ୍ତ ଜୀବଜନ୍ତୁଙ୍କର ରହିଛି ଅନେକ ଭୁମିକା। ଆଉ ଏସବୁ ଭିତରେ ବାଦୁଡିର ଭୁମିକା ବି କମ ନୁହେଁ । ଦିନସାରା ଗଛ ଡାଳରେ ଝୁଲି ରହୁଥିବା ବାଦୁଡି ରାତି ହେଲେ ବାହାରନ୍ତି ଖାଦ୍ୟ ଅନ୍ୱେଷଣରେ । ସମସ୍ତେ ଶୋଇଗଲା ପରେ ଏମାନେ ରାତିରେ ଚରାବୁଲା କରୁଥିବାରୁ ଏମାନଙ୍କୁ କେହିକେହି କହିଥାନ୍ତି ରାତ୍ରୀଚର ପକ୍ଷୀ। ପ୍ରାକୃତିକ ବିପର୍ଯ୍ୟୟ ପୁର୍ବରୁ ଲୋକଙ୍କୁ ସୁଚନା ଦେଇଥାନ୍ତି ବାଦୁଡି ପକ୍ଷୀ । ଆଉ ବାଦୁଡି ପକ୍ଷୀର ଏହି ଉପକାରିତାକୁ ବେଶ ଭଲ ଭାବେ ବୁଝି ପାରିଛନ୍ତି ରାମଗଡ଼ ଗ୍ରାମବାସୀ।
ଏଇଥିପାଇଁ ତ ରାମଗଡ ପଂଚାୟତବାସୀ ଏବଂ ବାବା କେଦାରେଶ୍ୱର ଶୈବପୀଠରେ ନିୟୋଜିତ ମନ୍ଦିର ସେବାୟତଙ୍କ ମିଳିତ ଉଦ୍ୟମରେ ଏବେ ସୁରକ୍ଷିତ ଏହି ବିରଳ ପକ୍ଷୀ । ଦିନେ ହାତଗଣତି କେଇଟା ବାଦୁଡି ପକ୍ଷୀ ଏଇଠି ଦେଖିବାକୁ ମିଳୁଥିବାବେଳେ ସୁରକ୍ଷା କାରଣରୁ ଏବେ ବଢିଛି ବାଦୁଡିଙ୍କ ସଂଖ୍ୟା । ତେବେ ଗ୍ରାମବାସୀ ଓ ସେବାୟତଙ୍କ ସୁରକ୍ଷା ଏହି ବିରଳ ବାଦୁଡି ପକ୍ଷୀଙ୍କ ପାଇଁ ଯଥେଷ୍ଟ ନୁହଁ । ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ଆଗଭର ହେବା ସହିତ ସରକାରୀ ସ୍ତରରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଗଲେ ବାଦୁଡିଙ୍କ ବଂଶ ଆହୁରି ବୃଦ୍ଧି ପାଆନ୍ତା ।