ଏଣିକି ପିଲା ଜନ୍ମ ହେଲେ ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବନି ୬ମାସ ଛୁଟି । ଏହିଭଳି ନୂଆ ନିୟମ ଆଣିଲେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ । ବରଂ ୬ମାସ ବଦଳରେ ମିଳିବ ବର୍ଷେ ଛୁଟି । ସେହିପରି ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ମାସେ ପର୍ଯ୍ୟନ୍ତ ପିତୃତ୍ୱ ଛୁଟି । ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ସିକ୍କିମ ସରକାର । ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ କହିଛନ୍ତି କି ଖୁବଶୀଘ୍ର ଏହାକୁ ଆଇନରେ ପରିଣତ କରାଯିବ । ଯାହାଦ୍ୱାରା ରାଜ୍ୟରେ ହଜାର ହଜାର ମହିଳା ସରକାରୀ କର୍ମଚାରୀ ଉପକୃତ ହୋଇ ପାରିବେ।
ସିକ୍କିମ ରାଜ୍ୟ ସିଭିଲ ଅଧିକାରୀ ସଂଘର ବାର୍ଷିକ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ସିକ୍କିମ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏହା ଦ୍ୱାରା ସରକାରୀ କର୍ମଚାରୀ ନିଜ ପରିବାର ଓ ପିଲାଙ୍କର ଦେଖାଶୁଣା କରିବାର ସୁଯୋଗ ପାଇବା ସହିତ ମାନସିକ ଚାପରୁ ମଧ୍ୟ ରକ୍ଷା ପାଇପାରିବେ । ଖାଲି ସେତିକି ନୁହେଁ ବରଂ ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରାଯିବା ନେଇ କହିଛନ୍ତି ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ।