ନ୍ୟୁଜ 365 (ବ୍ୟୁରୋ): ରାଜସ୍ଥାନ ସଭା ମଂଚରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନ ସିକରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ବିରୋଧୀ ଦଳ ମେଂଟ ଇଣ୍ଡିଆ ଉପରେ ମୋଦି ଖୁବ୍ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମେଂଟର ନାଁ ପରିବର୍ତନ କରି ବିରୋଧୀ ନିଜ କଳାକାରନାମାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଦେଶର ଶତ୍ରୁମାନେ ଯେଉଁ ଉପାୟ ସବୁ ଆପଣାଇଥାନ୍ତି ଠିକ ସେହି ରାସ୍ତାରେ ବିରୋଧୀମାନେ ଚାଲୁଛନ୍ତି । ମେଂଟର ନାଁ ଇଣ୍ଡିଆ ରଖି ନିଜ ଦୋଷ ଦୁର୍ବଳତା ଓ ଦୁର୍ନୀତିକୁ ଲୁଚାଇବାକୁ ବିରୋଧୀମାନେ ଚେଷ୍ଟା କରୁଖିବା ସେ କହିଛନ୍ତି। ଉଦାହରଣ ଦେଇ ଇଷ୍ଟ ଇଣ୍ଡିଆ କଥା ମଧ୍ୟ ଉଠାଇଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ମୋଦି କହିଥିଲେ କଂଗ୍ରେସର ଅର୍ଥ ହେଉଛି ଲୁଟ୍ ବଜାର ।
ରାଜସ୍ଥାନର ଲାଲ ଡାଏରୀରେ ଗେହଲଟ ସରକାରଙ୍କ କଳା କାରାନାମା ଲେଖାହୋଇଛି । ବିରୋଧୀ ମେଂଟ ଇଣ୍ଡିଆକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କୁଇଟ ଇଣ୍ଡିଆ ସ୍ଲୋଗାନ ଦେଇଥିଲେ । ଗଣତନ୍ତ୍ରରେ ପ୍ରତ୍ୟକ ସରକାରକୁ ନିଜ କାର୍ଯ୍ୟର ହିସାବ ଦେବାକୁ ପଡେ ମାତ୍ର ରାଜସ୍ଥାନର କଂଗ୍ରେସ ସରକାର ହିସାବ ଦେଇପାରିବ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏଥିସହ ମୋଦି କହିଛନ୍ତି ରାଜସ୍ଥାନରେ ଦଳିତଙ୍କ ଉପରେ ଅତ୍ୟାଚାର ଚରମ ସୀମାରେ ପହଁଚିଛି, ନିଶା କାରବାର ବୃଦ୍ଧି ପାଉଛି । ଉତ୍ସବ ଓ ପର୍ବପର୍ବାଣୀରେ ରାଜ୍ୟ ପ୍ରତ୍ୟକଥର ହିଂସା ଦେଖୁଛି।
ରାଜ୍ୟ ସରକାର ଯୁବଗୋଷ୍ଠୀ ବିରୋଧୀ ସରକାର । ତେଣୁ ରାଜ୍ୟବାସୀ ଏଣିକି ପରିବର୍ତନ ଚାହୁଁଛନ୍ତି । ଲୋକ କହୁଛନ୍ତି ଏ ଡାଏରୀର ପୃଷ୍ଠା ଖୋଲାଗଲେ ବହୁ ବଡ଼ ବଡ଼ ନେତା କାଠଗଡ଼ାକୁ ଆସିଯିବେ । ତେବେ ଏ ଡାଏରୀ କଥା ଉଠିବା ପରେ ବହୁ କଂଗ୍ରେସ ନେତାଙ୍କ ମୁହଁ ବନ୍ଦ ହୋଇଯାଇଛି । ତେବେ ଏହି ନେତାମାନେ ନିଜ ମୁହଁ ବନ୍ଦ ରଖିଲେ ବି ଆଗାମୀ ନିର୍ବାଚନରେ ନାଲି ଡାଏରୀ କଂଗ୍ରେସ ପାଇଁ ବଡ଼ ଧକ୍କା ହେବ । ଅଶୋକ ଗେହଲଟ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ କରିଦେଇଥିବା ବେଳେ ଏବେ ଲୋକମାନେ ବି ସ୍ୱର ଉତ୍ତୋଳନ କଲେଣି । ଆଜି ରାଜସ୍ଥାନରେ କେବଳ ଗୋଟିଏ ସ୍ୱର ଉଠିଛି ପଦ୍ମ ଜିତିବ, ପଦ୍ମ ଫୁଟିବ ।