ନ୍ୟୁଜ 365 (ବ୍ୟୁରୋ): ପ୍ରାଚୀନ ତୁଳସୀକ୍ଷେତ୍ରର ଇତିହାସ ଯେପରି ଘଟଣାବହୁଳ, ସେହିପରି ସୁଦୂରପ୍ରସାରୀ ।ଏହି ମାଟିର ପରମ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଙ୍କ ‘କନ୍ଦରାସୁର ଉପାଖ୍ୟାନଙ୍କୁ ନେଇ ଏହାର ନାମ ରଖାଯାଇଛି କେନ୍ଦ୍ରାପଡ଼ା । ଯାହା ପୌରାଣିକ ତଥ୍ୟ ଆଧାରରେ ରହିଛି । ପୌରାଣିକ ତଥ୍ୟକୁ ବାଦ ଦେଲାପରେ । ଲୋକକଥା ଅନୁସାରେ ପଲ୍ଲୀ ବା ଗ୍ରାମର ମଧ୍ୟସ୍ଥଳ ଭାବରେ ଏହାକୁ ପୂର୍ବେ ‘କେନ୍ଦ୍ରପଲ୍ଲୀ’ କୁହାଯାଉଥିବାର ଜଣାପଡିଛି ଯାହାକୁ ପରବର୍ତ୍ତି ସମୟରେ କେନ୍ଦ୍ରାପଡ଼ା ବୋଲି କୁହାଗଲା ।
ଶ୍ରୀ ବଳଦେବ ମହାପ୍ରଭୁଙ୍କୁ ବାଦ ଦେଲାପରେ କେନ୍ଦ୍ରାପଡ଼ା ଥିଲା ପ୍ରାଚୀନ ନୌବାଣିଜ୍ୟର ଗନ୍ତାଘର । କେନ୍ଦ୍ରାପଡ଼ା ଅନ୍ତର୍ଗତ ତତ୍କାଳୀନ କନିକା ରାଜ୍ୟର ‘ମାଈପୁର’ ବା ସାଂପ୍ରତିକ ‘ମୟୁରୀ ଗାଁକୁ ଐତିହାସିକ ଟଲେମୀ ‘ମୟୀଡ଼େରା’ ବନ୍ଦର ରହିଥିଲା । ଏହି କନିକାରେ ପୁରାତନକାଳରେ ‘ହୀରା’ ମିଳୁଥିବାର ପ୍ରମାଣ ମଧ୍ୟ ରହିଛି । ଏହାଛଡା ପୂର୍ବଦିଗ ସମୁଦ୍ର ଉପକୂଳରେ ଅବସ୍ଥିତ ଜମ୍ବୁ ଦୀପ, କଳଦୀପ ବା ସାତଭାୟା ଥିଲା ସେ ସମୟର ମୁଖ୍ୟ ବାଣିଜ୍ୟକେନ୍ଦ୍ର ।
ଏହି ସାତଭାୟାର ବାଣିଜ୍ୟକୁ କେନ୍ଦ୍ର କରି ସୃଷ୍ଟି ହୋଇଛି ‘ତଅପୋଇ’ର କାହାଣୀ । ନୌବାଣିଜ୍ୟର କେନ୍ଦ୍ର ଭାବରେ ପଟ୍ଟାମୁଣ୍ଡାଇ ବୋଇତରକୁଦ, ଚାନ୍ଦୋଳ ଓ ଗରାପୁର ଆଦି ସ୍ଥାନର ନାମ ଇତିହାସ ପୃଷ୍ଠାରେ ଉଲ୍ଲେଖ ରହିଛି । ତତ୍ କାଳୀନ ଇଂରେଜ ସରକାର ଦ୍ଵାରା ୧୮୨୬ ଖ୍ରୀ॰ଅ ମେ ମାସ ୨୪ ତାରିଖରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ବତୀଘର ଓ ଫଲ୍ସ ପଏଣ୍ଟ ବନ୍ଦର । ୧୮୬୯ ମସିହା ମେ ୨୬ ତାରିଖରେ ଓଡିଶାର ସର୍ବପ୍ରଥମ ନୌଚାଳନାକ୍ଷମ ହୋଇପାରିଥିଲା ‘କେନ୍ଦ୍ରାପଡ଼ା । କେନାଲ’ ଖୋଲାଯାଇ ଏହି ବନ୍ଦର ସହିତ ସଂଯୋଗ କରଯାଇଥିଲା । ୧୮୬୧ ମସିହାରେ ଏହି ବନ୍ଦର ନିକଟସ୍ଥ ଜମ୍ବୁ ଅଞ୍ଚଳରେ ସରକାର ପ୍ରତିଷ୍ଠା କରିଥିଲେ ଓଡିଶାରେ ପ୍ରଥମ ଡାକଘର ।
ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା – କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀୟ,ଆଳି ରାଜବଂଶରେ ଦେବବଂଶୀୟ ଓ କନିକା ରାଜବଂଶରେ ଭଞ୍ଜ ବଂଶୀୟ ନରପତିମାନେ ଶାସନ କରୁଥିଲେ । କନିକା ରାଜବଂଶର ଅପରାଜୟ ସ୍ଵାଧୀନଚେତା ରାଜା ବଳଭଦ୍ରଭଞ୍ଜ ଓ କୁଜଙ୍ଗର ଦୁର୍ଦାନ୍ତ ଷଣ୍ଢ ରାଜା ଚନ୍ଦ୍ରଧ୍ବଜଷଣ୍ଢ ସର୍ବପ୍ରଥମେ ମିଳିତ ଭାବେ ହରିଶପୁର ରାଜା ନୀଳକଣ୍ଠ ମଙ୍ଗରାଜଙ୍କ ସହ ହାତ ମିଳେଇ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଆଳି ରାଜା ନୀଳକଣ୍ଠ ଦେବଙ୍କ ଦ୍ଵାରା ବର୍ତମାନର ପ୍ରସିଦ୍ଧ ଆଳି ଶ୍ରୀ ଶ୍ରୀ ବରାହଜିଉଙ୍କ ମନ୍ଦିର ନିର୍ମିତ ହୋଇଥିବା ସମୟରେ କନିକା ରାଜା ବଳଭଦ୍ରଭଞ୍ଜ ରିଘାଗଡର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଓ କେରଡାଗଡର ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ଏହି କେରଡାଗଡରେ ଜନ୍ମ ନେଇଥିଲେ ଦୁଇ ମହାନ ସନ୍ଥ ନାମାଚାର୍ଯା ବାୟାବାବା ଓ ଶୂନ୍ୟବାଦୀ ପୁରୁଷ କ୍ଷେତ୍ରବାସୀ ବାବା, କୁଜଙ୍ଗ ନରେଶ ଅନନ୍ତ ନରେନ୍ଦ୍ର ସାମନ୍ତ କୁଜଙ୍ଗର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ।
ଉନ୍ନବିଂଶ ଶତାବ୍ଦୀର ଓଡିଶା ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ଓଡିଶାରେ ସଂଗଠିତ ନଅଙ୍କ ଦୁର୍ଭିକ୍ଷ ସମୟରେ କେନ୍ଦ୍ରାପଡ଼ାର ଖ୍ୟାତନାମା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ଅକୁଣ୍ଠ ଚିତ୍ତ ସମଗ୍ର ଓଡିଶା ଲୋକଙ୍କୁ ଯେପରି ଭାବରେ ବୀନା ମୂଲ୍ୟରେ କ୍ଷ୍ଯୁଦାର୍ତ ଲୋକମାନଙ୍କୁ ମାସ ମାସ ଧରି ଆହାର ଯୋଗେଇ ଥିଲେ, ତାହା ସବୁଦିନ ପାଇଁ ଓଡିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ ।