ନ୍ୟୁଜ 365 ( ବ୍ୟୁରେ): ଓଡ଼ିଶାରେ ପଢ଼ୁଥିବା ମଣିପୁର ଛାତ୍ରଛାତ୍ରୀଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର। ସପ୍ତାହକ ମଧ୍ୟରେ ତଥ୍ୟ ଦେବାକୁ ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲେଖାଯାଇଥିବା ଏହି ପତ୍ରରେ କୁହାଯାଇଛି ଓଡ଼ିଶାରେ ପଢ଼ୁଥିବା ମଣିପୁର ଛାତ୍ରଛାତ୍ରୀଙ୍କ ନାମ, ପାଠ୍ୟକ୍ରମ, ନାମଲେଖା ବର୍ଷ, ହଷ୍ଟେଲରେ ରହୁଛନ୍ତି କି ନାହିଁ, ସମ୍ମୁଖୀନ ହେଉଥିବା ସମସ୍ୟା, ବିଶ୍ୱବିଦ୍ୟାଳୟ ଦ୍ୱାରା ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ପ୍ରଦାନ କରନ୍ତୁ ।ମଣିପୁର ରାଜ୍ୟପାଳ ଓଡ଼ିଶା ରାଜ୍ୟପାଳଙ୍କୁ ଏନେଇ ଚିଠି ଲେଖିଥିଲେ ।
ଚିଠିରେ ରାଜ୍ୟପାଳ ଲେଖିଛନ୍ତି ମଣିପୁର ସରକାରଙ୍କ ଦ୍ୱାରା ଇଂଟରନେଟ୍ ସେବା ବନ୍ଦ ଓ କର୍ଫ୍ୟୁ ଲାଗୁ ରହିଛି । ବହୁ ଛାତ୍ରଛାତ୍ରୀ ଓଡ଼ିଶାରେ ପଢ଼ୁଥିବାରୁ ସେମାନେ ଏଭଳି ପରିସ୍ଥିତି ଯୋଗୁ ନିଜର ଦୈନନ୍ଦିନ ଓ ପାଠ୍ୟକ୍ରମ ସଂକ୍ରାନ୍ତ ଖର୍ଚ୍ଚ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବେ । ତେଣୁ ଏଭଳି ପରିସ୍ଥିତିରେ ମଣିପୁର ପିଲାଙ୍କ ପାଠପଢ଼ା ଯେଭଳି ପ୍ରଭାବିତ ନହେବ ଏବଂ ସେମାନେ କଷ୍ଟର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି ।