ନ୍ୟୁଜ 365( ବ୍ୟୁରୋ): ଦେଶରେ ଦିନକୁ ଦିନ ନିଖୋଜ ମହିଳାଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ନାବାଳିକା ମାନଙ୍କ ନିଖୋଜ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଥିବା ଏନ୍ସିଆରବି (ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ) ଦେଇଥିବା ତଥ୍ୟରୁ ଜଣାପଡିଛି । ଏନ୍ସିଆରବିର ତଥ୍ୟ ଅନୁସାରେ, ୨୦୧୯ ରୁ ୨୦୨୧ ମଧ୍ୟରେ ଦେଶରେ ୧୦ ଲକ୍ଷରୁ ଅଧିକ ମହିଳା ଏବଂ ନାବାଳିକା ନିଖୋଜ ହୋଇଯାଇଛନ୍ତି। ୨୦୨୧ରେ କେବଳ ୩ ଲକ୍ଷ ୭୫ ହଜାର ୫୮ ଜଣ ମହିଳା ନିଖୋଜ ହୋଇଛନ୍ତି। ସମସ୍ତଙ୍କ ବୟସ ୧୮ରୁ ଊର୍ଦ୍ଧ୍ବ ହୋଇଥିବା ଜଣା ପଡିଛି । ତେବେ ୨୦୧୯ରୁ ୨୦୨୧ ମଧ୍ୟରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ୨ଟି ରାଜ୍ୟରୁ ସର୍ବାଧିକ ମହିଳା ଏବଂ ନାବାଳିକା ନିଖୋଜ ହୋଇଛନ୍ତି। ମଧ୍ୟପ୍ରଦେଶରୁ ୨୦୧୯ରେ ୫୨,୧୧୯, ୨୦୨୦ରେ ୫୨,୩୫୭, ୨୦୨୧ରେ ୫୫,୭୦୪ ଜଣ ମହିଳା ଏବଂ ନାବାଳିକା ନିଖୋଜ ହୋଇଛନ୍ତି। ତଥ୍ୟରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ମହିଳା ଏବଂ ନାବାଳିକା ନିଖୋଜ ହେବା ସଂଖ୍ୟା ବଢ଼ିଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ୨୦୧୯ରେ ୬୩,୧୬୭ ମହିଳା ନିଖୋଜ ହୋଇଥିବାବେଳେ ୨୦୨୦ରେ ୫୮,୭୩୫ ଏବଂ ୨୦୨୧ରେ ୫୬,୪୯୮ ମହିଳା ନିଖୋଜ ହୋଇଛନ୍ତି।
୨୦୨୧ରେ ଦେଶରେ ମୋଟ୍ ୯୦,୧୧୩ ଜଣ ନାବାଳିକା ନିଖୋଜ ହୋଇଛନ୍ତି। ସମସ୍ତଙ୍କ ବୟସ ୧୮ ବର୍ଷରୁ କମ୍। ପଶ୍ଚିମବଙ୍ଗରୁ ସର୍ବାଧିକ ୧୩,୨୭୮ ଜଣ ନାବାଳିକା ନିଖୋଜ ହୋଇଛନ୍ତି। ୨୦୧୯ରୁ ୨୦୨୧ ମଧ୍ୟରେ ମୋଟ୍ ୧୦,୬୧,୬୪୮ ମହିଳା ନିଖୋଜ ହୋଇଛନ୍ତି। ଏହି ସମାନ ସମୟ ମଧ୍ୟରେ ୨,୫୧,୪୩୦ ନାବାଳିକା ନିଖୋଜ ହୋଇଛନ୍ତି। ଭାରତରେ ମହିଳା ଏବଂ ନାବାଳିକା ନିଖୋଜ ହେବା ନେଇ ଏନ୍ସିଆରବି (ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ) ନିକଟରେ ଏକ ତଥ୍ୟ ଜାରି କରିଥିଲା। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏନ୍ସିଆରବି ତଥ୍ୟକୁ ଆଧାର କରି ଆଜି ଏହି ସୂଚନା ଦେଇଛନ୍ତି। ତେବେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦାୟିତ୍ବ ଏବଂ ମହିଳାଙ୍କ ବିରୋଧରେ ଅପରାଧ ଘଟଣାର ସଠିକ୍ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୃହ ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛନ୍ତି।