ନ୍ୟୁଜ ୩୬୫ (ବ୍ୟୁରୋ):ତିନିଦିନିଆ ଓଡ଼ିଶା ଗସ୍ତସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ହେଲେ ଓଡିଶାରେ ଛାଡିଗଲେ ନିଜର ଅଭୁଲା ସ୍ମୃତି । ଏଭଳି ସ୍ମୃତି ଯାହା ଓଡିଶାବାସୀଙ୍କ ମନରେ ସଦାସର୍ବଦା ଉଜ୍ଜିବିତ ହୋଇରହିବ । ସେ ଫେରିଯାଇଛନ୍ତି ସତ ଏବେବି ତାଙ୍କୁ ଛୁରୁଛନ୍ତି ଅନେକ ଛାତ୍ରଛାତ୍ରୀ । ତାଙ୍କର କେଇପଦ କଥାକୁ ଗୁଣୁଗୁଣାଉଛନ୍ତି ସଭିଏଁ । ପିଲାଏ ଚାହିଁଛନ୍ତି କେବେ ସେ ପୁଣି ଆସିବେ , ଆମ ସହ ମିଶିବେ , ଆମକୁ ଚକୋଲେଟ ଦେଇ ସ୍ନେହଭରା ହାତକୁ ଆମ ମୁଣ୍ଡରେ ଆଉଁସି ଦେବେ ।
ଗତକାଲି ବାୟୁସେନାର ସ୍ବତନ୍ତ୍ର ବିମାନରେ ମଙ୍ଗଳବାର ସଂଧ୍ୟା ୬ଟା ୮ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ସ୍ବାଗତ ଜଣାଇଥିଲେ। ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଣ୍ଡୀଛକ ଠାରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇ ଲୋକ ଭିଡ଼ ଜମାଇଥିବା ବେଳେ ମହାମହିମଙ୍କ ଗାଡ଼ି ଧୀରେ ଧୀରେ ଅଟକିଥିଲା ଲୋକଙ୍କ ନିକଟରେ। ରାଷ୍ଟ୍ରପତି ଗାଡିରୁ ଓହ୍ଲାଇ ଚାନ୍ଦିନୀଚୌକ ଅଞ୍ଚଳର ପାୟଲ ପରିଡ଼ାଙ୍କୁ ପ୍ରଥମେ ଚକୋଲେଟ ଦେଇଥିଲେ। ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ପିଲାଙ୍କୁ ଚକୋଲେଟ ବାଣ୍ଟିଥିଲେ । ଏହାପରେ ପାୟଲ ରାଷ୍ଟ୍ରପତିଙ୍କୁ ଯୋଗ ପରିବେଷଣ କରି ଦେଖାଇଥିଲେ। ସେପଟେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କଠାରୁ ଚକୋଲେଟ ପାଇ ଖୁସି ପ୍ରକାଶ କରିଛନ୍ତି ପାୟଲ।
ସେପଟେ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜ ଅଭିଭାଷଣରେ ତ୍ୱରିତ୍ୱ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ମହାମହିମ । ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିଛନ୍ତି। ବୀରମାଟି କଟକକୁ ପ୍ରଣାମ କରିବା ସହ ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ମନେ ପକାଇଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ସେ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ ବଖାଣିବାକୁ ଭୁଲି ନାହାନ୍ତି। ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ ଜୀବନ ଜେଲରେ କଟୁଛି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ । ମାତ୍ର ୪ ବିଚାରପତିଙ୍କୁ ନେଇ ଗଠିତ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଏବେ ୩୩କୁ ବୃଦ୍ଧି ପାଇଛି। ଏହା ଓଡ଼ିଶାବାସୀଙ୍କ ଆଶା ଓ ଭରସାର ପ୍ରତୀକ । ତ୍ୱରିତ ନ୍ୟାୟ ପ୍ରଦାନ ଯୋଗୁ ୨ ବର୍ଷରେ ବିଚାରଧୀନ ମାମଲା ସଂଖ୍ୟା ଏକ ଚତୁର୍ଥାଂଶ ହ୍ରାସ ପାଇଛି। ହାଇକୋର୍ଟ ସ୍ଥାପିତ ହେବାର ୭୫ ବର୍ଷ ମଧ୍ୟରେ ବହୁ କିର୍ତ୍ତୀମାନ ସ୍ଥାପନ କରିଛି। ହାଇକୋର୍ଟର ବହୁ ବିଚାରପତି ଜଗନ୍ନାଥ ଦାସ, ରଙ୍ଗନାଥ ମିଶ୍ର, ରାଧାଚରଣ ପଟ୍ଟନାୟକ, ଦେବପ୍ରିୟ ମହାପାତ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଅରିଜିତ ପଶାୟତ, ଅନଙ୍ଗ କୁମାର ପଟ୍ଟନାୟକ ପ୍ରମୁଖ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇ ପାରିଛନ୍ତି।
ସେମାନଙ୍କ ମଧ୍ୟରୁ କିଛି ଜଣ ଭାରତର ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିବାରେ ସକ୍ଷମ ହୋଇଛନ୍ତି। ଓଡ଼ିଶାର ବହୁ ଆଇନ ବିଶାରଦମାନଙ୍କର ସର୍ବ ଭାରତୀୟ ସ୍ତରରେ ଆଇନ ସେବା ପ୍ରତି ଉଲ୍ଲେଖନୀୟ ଅବଦାନ ରହିଛି ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି। ମାତ୍ର ସମୟ ସହ ତାଳ ଦେଇ ଚାଲି ନ ପାରିଲେ ଯେକୌଣସି ସଙ୍ଗଠନ ତଥା ସଂସ୍ଥା ସମସ୍ତେ ପଛରେ ପଡ଼ିଯାଆନ୍ତି। କିନ୍ତୁ ଓଡ଼ିଶା ହାଇକୋର୍ଟ ନ୍ୟାୟିକ ପ୍ରକ୍ରିୟାରେ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇ ନ୍ୟାୟ ପ୍ରଦାନକୁ ତ୍ୱରିତ କରି ପାରିଛନ୍ତି। ଯାହାଦ୍ୱାରା ପୀଡ଼ିତ ନ୍ୟାୟ ପାଇ ପାରୁଥିବା କହିଛନ୍ତି ରାଷ୍ଟ୍ରପତି। ଏଥିସହ ସେ କହିଛନ୍ତି, ପ୍ରକୃତି ସହ ମିଳିମିଶି ଚଳିବା ଆଦିବାସୀ ଜୀବନଶୈଳୀର ମାଧ୍ୟମ । ବ୍ୟବସ୍ଥାପିତା ତଥା କାର୍ୟ୍ୟପାଳିକା ସହ ନ୍ୟାୟପାଳିକା ବି ପରିବେଶ ଓ ବନ୍ୟଜନ୍ତୁ ସଂରକ୍ଷଣକୁ ଉଚ୍ଚ ପ୍ରାଥମିକତା ଦେବା ଉଚିତ। ଏହାଦ୍ୱାରା ଆମେ ଆମ ଉତ୍ତରପୀଢ଼ିକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବାରେ ସକ୍ଷମ ହୋଇ ପାରିବା। ଏଥିନିମନ୍ତେ ପରିବେଶ ସୁରକ୍ଷା ପ୍ରତି ନିରନ୍ତର ଧ୍ୟାନ ଦେବା ଆବଶ୍ୟକ । ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସମ୍ବିଧାନ ନିର୍ମାତାମାନେ ସବୁବେଳେ ପ୍ରାଥମିକତା ଦେଇଛନ୍ତି। ସମାଜର ବଞ୍ଚିତ ବର୍ଗର ଲୋକେ କୋର୍ଟ, କଚେରୀ ଓ ଆଇନକାନୁନ ବିଷୟରେ ବେଶି ସଚେତନ ନୁହନ୍ତି। ନିଜ ଅଧିକାର ପାଇଁ ନ୍ୟାୟଳୟ ପାଖରେ ପହଞ୍ଚିବା ନିମନ୍ତେ ଅନେକଙ୍କ ସାମର୍ଥ୍ୟ ବି ନ ଥାଏ । ବଞ୍ଚିତ ବର୍ଗଙ୍କୁ କିପରି ସୁବିଧାରେ ନ୍ୟାୟ ପ୍ରଦାନ କରାଯାଇ ପାରିବ ତାହା ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ । ଏ ବିଷୟରେ ମାନସ ମନ୍ଥନ ହେବା ଉଚିତ। ଏହି ବର୍ଗର ଲୋକଙ୍କୁ ମାଗଣାରେ ଆଇନ ସେବା ଯୋଗାଇଦେବା ଶୁଭଙ୍କର ବିଷୟ। ଏହାଦ୍ୱାରା ସାଧାରଣ ଲୋକ ସହଜରେ ନ୍ୟାୟ ପାଇପାରିବେ। ମାତ୍ର ନ୍ୟାୟ ପ୍ରଦାନ ବେଳେ ନିରପେକ୍ଷତାକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପ୍ରତିଷ୍ଠା ପୂର୍ତ୍ତୀ ଅବସରରେ ଏକ ସ୍ମାରୀକ ଡାକ ଟିକେଟ ଉନ୍ମୋଚିତ ହୋଇଛି। ଏହି ଅବସରରେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍ ମୁରଲିଧର , ବିଚାରପତିଗଣ, ପୁରାତନ ବିଚାରପତିଗଣ ଓ ଉପସ୍ଥିତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି।
ଗତକାଲି ଅପରାହ୍ନରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ମେଡିକାଲ କଲେଜ ଏବଂ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଷ୍ଟ୍ରପତି କହିଛନ୍ତି, ‘ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ’ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ବର୍ଷ ହେବ ଦେଶରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଘଟୁଥିବା ଉନ୍ନତି ସାରା ବିଶ୍ୱକୁ ଏକ ନୂଆ ଦିଗଦର୍ଶନ ଦେଇଛି। ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଖ୍ୟାତି କେବଳ ଓଡିଶା କି ପୂର୍ବ ଭାରତରେ ନୁହେଁ ବରଂ ସମଗ୍ର ଦେଶରେ ରହିଛି। ଏଠାରେ କାର୍ୟ୍ୟ କରୁଥିବା ଚିକିତ୍ସକ ମାନଙ୍କୁ ପ୍ରଶଂସା କରିବା ସହିତ ନିଷ୍ଠାର ସହ ଚିକିତ୍ସା ସେବାର ଏହି ପରମ୍ପରା ଆଗକୁ ଜାରି ରହିବ ବୋଲି ମୁଁ ଆଶାବାଦୀ । ରାଷ୍ଟ୍ରପତି କହିଛନ୍ତି ଯେ, ମା’ ମାନେ ଯେଭଳି ଏକ ଉଦ୍ଦେଶ୍ୟ ନେଇ ବ୍ରତ ରଖିଥାନ୍ତି ସେହିଭଳି ସେବା କରିବାର ବ୍ରତ ନେଇ ଆଜିର ମେଡିକାଲ ଛାତ୍ରଛାତ୍ରୀ ଆସନ୍ତାକାଲି ପାଇଁ ସେବାର ନିଦର୍ଶନ ହୋଇପାରିବେ। ଉଦାହରଣ ଛଳରେ ଡାକ୍ତର, ଶିକ୍ଷକ ଓ ଆଇନଜୀବୀଙ୍କୁ ଗାଁ ଗହଳିରେ ଲୋକମାନେ ଭଗବାନ ବୋଲି ମାନିଥାନ୍ତି କହିବା ସହ ରାଷ୍ଟ୍ରପତି ଡାକ୍ତରମାନକୁ ଚଳନ୍ତି ଭଗବାନ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ସେପଟେ ଆଜି ରାଷ୍ଟ୍ରପତି ୧୦ଟି ନିର୍ଦ୍ଦିଷ୍ଟ ରୂପେ ସଂକଟପ୍ରବଣ ଜନଜାତି ସମୁଦାୟକୁ ଭେଟିଛନ୍ତି। ଓଡ଼ିଶାରେ ସଉରା, ଲାଞ୍ଜିଆ ସଉରା, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ମାଙ୍କିଡ଼ିଆ, ବିରହୋର, ଜୁଆଙ୍ଗ ଆଦି ୧୩ଟି ବସବାସ କରୁଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୧୦ଟି ଜନଜାତି ସମୁଦାୟର ୫ଜଣିଆ ପ୍ରତିନିଧି ଦଳ ରାଜଭବନ ପରିସରରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ସୂଚନାଅନୁଯାୟୀ ଆଜି ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ମହାମହିମ । ଏହାସହ ବ୍ରହ୍ମାକୁମାରୀ କେନ୍ଦ୍ରର ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା କରି ସେଠାରେ ମଧ୍ୟାହ୍ନ ଭୋଜନ ଓ ଫଟୋ ସେସନ୍ ପରେ ରାଜଭବନ ଫେରି ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।