ନ୍ୟୁଜ 365 (ବ୍ୟୁରୋ): ମହିଳାଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ସିକ୍କିମ୍ ସରକାର । ସରକାରଙ୍କ ପକ୍ଷରୁ ଏଣିକି ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ଏଥିସହ ବାପାମାନଙ୍କ ପାଇଁ ଏକ ମାସ ପିତୃତ୍ୱ ଛୁଟି ମଧ୍ୟ ଘୋଷଣା କରାଯାଇଛି । ଏଣିକି ମହିଳା କର୍ମଚାରୀମାନେ ମା’ ହେଲେ ସେମାନଙ୍କୁ ୧୨ ମାସ ମାତୃତ୍ୱ ଛୁଟି ମିଳିବ । ସିକ୍କିମ୍ ରାଜ୍ୟ ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନ୍ (SSCSOA)ର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି । ସେ ଅହୁରି କହିଛନ୍ତି କି, ମହିଳାମାନଙ୍କ ପାଇଁ ରହିଥିବା Maternity Leaveରେ ପରିବର୍ତ୍ତନ ଅଣାଯିବ । ମହିଳା କର୍ମଚାରୀମାନଙ୍କୁ ଏଥିପାଇଁ ଗୋଟିଏ ବର୍ଷ ଛୁଟି ମଳିବା ଦ୍ୱାରା ସେମାନେ ଉପକୃତ ହେବା ସହ ତାଙ୍କ ପରିବାର ଓ ପିଲାର ଭଲରେ ଯତ୍ନ ନେଇପାରିବେ ।Maternity ସୁବିଧା ଅଧିନିୟମ ୧୯୬୧ ଅନୁଯାୟୀ, ଜଣେ କାର୍ଯ୍ୟରତ ମହିଳା ୬ ମାସ କିମ୍ବା ୨୬ ସପ୍ତାହ ଛୁଟି ନେବାର ନିୟମ ରହିଥିଲା । ଏହି ସମୟରେ ମହିଳା କର୍ମଚାରୀମାନେ ବେତନ ମଧ୍ୟ ନେବାର ହକ୍ଦାର ରହିଥିବା କୁହାଯାଇଥିଲା ।
ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନ୍ (SSCSOA)ର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଅନେକ ପ୍ରସଙ୍ଗରେ ନିଜର ବିବୃତି ରଖିଛନ୍ତି । ସେ କହିଛନ୍ତି, ସିଭିଲ ସର୍ଭିସ ଅଧିକାରୀଙ୍କ ପାଇଁ ପଦୋନ୍ନତି ପ୍ରକ୍ରିୟାକୁ ସରଳ କରାଯିବ । ଏଥିପାଇଁ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ । ଯାହାଦ୍ୱାରା କର୍ମଚାରୀମାନେ ପଦୋନ୍ନତି ପାଇପାରିବେ ।ସଭାରେ ମୁଖ୍ୟମନ୍ତ୍ରୀଙ୍କ ଏପରି ବିବୃତିକୁ ନେଇ ଅଧିକାରୀଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗର ଅଧିକାରୀମାନେ ଧନ୍ୟବାଦ ଜଣାଇଥିଲେ ।