ନ୍ୟୁଜ 365 (ବ୍ୟୁରୋ): ଭୁବନେଶ୍ୱର ତମାଣ୍ଡୋରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ରହ୍ମକୁମାରୀ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କରିବା ସହ ବାଟିଆରେ ଡିଭାଇନ୍ ଲାଇଟ୍ ହାଉସର ଶିଳାନ୍ୟାସ କରିଛନ୍ତି । ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଗଛ ଲଗାଇଥିଲେ ମହାମହିମ । ତମାଣ୍ଡୋ ବ୍ରହ୍ମାକୁମାରୀ କାର୍ୟ୍ୟକ୍ରମରେ ଅଭିଭାଷଣ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ , ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ସଂପର୍କ ରହିଛି। ପରିବର୍ତ୍ତନ ହେଉଛି, ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା। ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହେଉଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ , ପରିବର୍ତ୍ତନ ହିଁ ସତ୍ୟ, ସ୍ରୋତ ପରି ସମୟ ମଧ୍ୟ ଦ୍ରୁତ ପରିବର୍ତ୍ତନଶୀଳ। ସମୟ ଆପେ ଆପେ ବଦଳେ ନା ମଣିଷ ତାକୁ ବଦଳାଏ। ବ୍ରହ୍ମାକୁମାରୀ ସଂସ୍ଥାର ବିଚାର- ବ୍ୟକ୍ତି ବଦଳିଲେ ସମାଜ ବଦଳିବ। ମାନସିକ ଶାନ୍ତି ନଥିଲେ, ଜଣେ ପ୍ରକୃତ ଶାନ୍ତି ପାଇବ ନାହିଁ। ମାନସିକ ଶାନ୍ତି ପାଇଲେ ହିଁ ଆମେ ଶାନ୍ତି ପାଇ ପାରିବା । ଆତ୍ମଚିନ୍ତନ ଅଭାବରୁ ହିଁ ଆମେ ନକରାତ୍ମକର ଶିକାର ହେଉଛୁ। ମାନସିକ ଯଶ, କ୍ଷମତା ପଛରେ ଦୌଡ଼ି ଦୌଡ଼ି ମଣିଷ ଆଜି କ୍ଲାନ୍ତ। ଅଜ୍ଞତା ହେତୁ ନିଜ ଭିତରେ ଥିବା ସଦ୍ଗୁଣକୁ ଆମେ ଚିହ୍ନି ପାରୁନୁ ବୋଲି କହିଛନ୍ତି ରାଷ୍ଟ୍ରପତି । ସମସ୍ତ କାର୍ୟ୍ୟକ୍ରମ ଶେଷ ହେବା ପରେ ବ୍ରହ୍ମାକୁମାରୀ ପକ୍ଷରୁ ସ୍ୱତନ୍ତ୍ର ଭୋଜନର ବ୍ୟବସ୍ଥା କରାଯାଇଛି । ରାଜ୍ୟପାଳ, ବ୍ରହ୍ମାକୁମାରୀର ବରିଷ୍ଠ ସଦସ୍ୟଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।