ନ୍ୟୁଜ 365 (ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ଦିନ। ଆଜି ରାଷ୍ଟ୍ରପତି ୧୦ଟି PVTG ବା ନିର୍ଦ୍ଦିଷ୍ଟ ରୂପେ ସଂକଟପ୍ରବଣ ଜନଜାତି ସମୁଦାୟକୁ ଭେଟିଛନ୍ତି। ଓଡ଼ିଶାରେ ସଉରା, ଲାଞ୍ଜିଆ ସଉରା, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ମାଙ୍କିଡ଼ିଆ, ବିରହୋର, ଜୁଆଙ୍ଗ ଆଦି ୧୩ଟି PVTG ବସବାସ କରୁଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୧୦ଟି ଜନଜାତି ସମୁଦାୟର ୫ଜଣିଆ ପ୍ରତିନିଧି ଦଳ ରାଜଭବନ ପରିସରରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ସୂଚନାଅନୁଯାୟୀ ଆଜି ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ମହାମହିମ । ଏହାସହ ବ୍ରହ୍ମାକୁମାରୀ କେନ୍ଦ୍ରର ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା କରିବାର ରହିଛି କାର୍ଯ୍ୟକ୍ରମ । ସେଠାରେ ମଧ୍ୟାହ୍ନ ଭୋଜନ ଓ ଫଟୋ ସେସନ୍ ପରେ ରାଜଭବନ ଫେରି ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ମହାମହିମଙ୍କ ମଧ୍ୟାହ୍ନ ଭୋଜନ ମେନ୍ୟୁରେ କ’ଣ ରହିଛି ?
ପ୍ଲେନ ରାଇସ୍, ଫ୍ରାଇଡ ରାଇସ୍,ରୁଟି, ପୁରୀ, ଡାଲି, ଚଣା ମସଲା ,ସଜନା ଶାଗ, ଜହ୍ନି ବଡ଼ି, ଛତୁ, ଦହିବରା, କଲରା ଚିପ୍ସ, ଛୋଲେ ପନିର, ଆମ୍ବ ଖଟା, ଖିରି, ଛେନା ପୋଡ଼, ପାମ୍ପଡ ଏବଂ ସାଲାଡ଼ ।
ଦେଶର ସର୍ବୋଚ୍ଚ ନାଗରିକ ଭାବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅତ୍ୟନ୍ତ ସରଳ ଓ ନିରାଡମ୍ବର ଜୀବନ ଅତିବାହିତ କରନ୍ତି । ରାଷ୍ଟ୍ରପତି ଭବନରେ ରାଜକୀୟ ଖାଦ୍ୟ ପଦାର୍ଥ ଖାଇ ମଧ୍ୟ ସଜନାଶାଗ, ଜହ୍ନି ବଡ଼ିକୁ ଭୁଲି ନାହାନ୍ତି ମହାମହିମ । କାରଣ ସେ ହେଉଛନ୍ତି ଏଇ ଓଡିଶା ମାଟିର ଝିଅ । ଆଉ ତାଙ୍କର ପ୍ରିୟ ସଜନାଶାଗ । ସେଥିପାଇଁ ଆଜି ମଧ୍ୟାହ୍ନ ଭୋଜନ ମେନ୍ୟୁରେ ମହାମହିମଙ୍କୁ ପରଷା ଯିବ ସଜନାଶାଗ ।