ନ୍ୟୁଜ 365 (ବ୍ୟୁରୋ): ଯେବେ ମହାପ୍ରଭୁ ଜଗନ୍ନାଥ ରହନ୍ତି ଅଣସର ଘରେ ସେବେ ଦର୍ଶନ ଦିଅନ୍ତି ଅଲାରନାଥ । ଅଲାରନାଥଙ୍କ ଦର୍ଶନ ପାଇଁ କାଇଁ କେତେଦୂରରୁ ଧାଇଁ ଆସନ୍ତି ଭକ୍ତ । ଅଲାରନାଥଙ୍କୁ ଦର୍ଶନ କରି ଲଭନ୍ତି ଆଶିଷ । ଆପଣ ଜାଣନ୍ତିକି ପୁରୀ ଜିଲ୍ଲା ବ୍ରହ୍ମଗିରିଠାରେ ଅବସ୍ଥିତ ଅଲାରନାଥ ମନ୍ଦିରର କଣ ରହିଛି ମାହାତ୍ମିୟ । ତେବେ ଆସନ୍ତୁ ଜାଣିବା । ବାସ୍ତବରେ ଅଲାରନାଥ ମନ୍ଦିର ହେଉଛି ବିଷ୍ଣୁଙ୍କର ଏକ ମନ୍ଦିର । ଏହି ମନ୍ଦିର ଚତୁଃପାର୍ଶ୍ଵରେ ଶ୍ରୀଚୈତନ୍ୟ ମନ୍ଦିର, ଶିବ ମନ୍ଦିର ଓ ବିଭିନ୍ନ ଠାକୁରାଣୀଙ୍କ ମନ୍ଦିର, ନବଗ୍ରହ ପ୍ରସ୍ତର, ନାଟମନ୍ଦିର, ପ୍ରାର୍ଥନା ଗୃହ, ଭୋଗମଣ୍ଡପ, ମୁଖଶାଳା, ତଥା ଯଜ୍ଞ ମଣ୍ଡପ ଆଦି ଅବସ୍ଥିତ । ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା । ଏହି ସ୍ନାନଯାତ୍ରା ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ରହିଥାନ୍ତି । ଅଣସରର ତାଳତାଟି ଭିତରେ ବିଶ୍ୱାବସୁ ଓ ବିଦ୍ୟାପତିଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୁଶ୍ରୁଷା କରିଥାନ୍ତି । ଏହି ସମୟରେ ଭକ୍ତ,ମାନେ ଦୀର୍ଘ ୧୪ଦିନଧରି ମହାପ୍ରଭୁଙ୍କର ଦର୍ଶନ କରିପାରିନଥାନ୍ତି । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜିଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି ।
ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କାଳେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି ।ପୌରାଣିକ ମତ ଅନୁସାରେ ଅଲାରନାଥଙ୍କୁ ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ୍ ବିଷ୍ଣୁଙ୍କ ଦର୍ଶନ ଲାଭ କରିବା ଲାଗି ଘୋର ତସ୍ୟ କରିଥିଲେ । ବ୍ରହ୍ମାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ୍ ବିଷ୍ଣୁ କାଳେ ଚତୁର୍ଭୁଜ ରୂପ ଧାରଣ କରି ତାଙ୍କୁ ଦର୍ଶନ ଦେଇଥିଲେ । ତେଣୁ ସେବେଠାରୁ ଅର୍ଥାତ୍ ସତ୍ୟାଯୁଗରୁ ହିଁ କାଳେ ଭଗବାନ ବ୍ରହ୍ମା ଚତୁର୍ଭୁଜ ମୂର୍ତ୍ତି ନିର୍ମାଣ କରିଥିଲେ, ସେବେଠାରୁ ଏଠାରେ ପୂଜାର୍ଚ୍ଚନା ଚାଲି ଆସୁଛି । ଭଗବାନଙ୍କ ଆଜ୍ଞା ପାଳନ କରି ବ୍ରହ୍ମା କଳା ମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କରୁଥିଲେ ସେହି ପ୍ରତିମୂର୍ତ୍ତି ସମ୍ପ୍ରତ୍ତି ଅଲାରନାଥ ନାମରେ ସର୍ବତ୍ର ବିଖ୍ୟାତ । ଯେଉଁ ପର୍ବତ ଉପରେ ସେ ତପସ୍ୟା କଲେ ସେହି ସ୍ଥାନଟି ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ବିଖ୍ୟାତ ଲାଭକରିଛି ।
ସେହିପରି ଆଉ ଏକ ପୌରାଣିକ କଥା ଯେ, ରାଜା ଇନ୍ଦ୍ରଦ୍ୟୁମ୍ନ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ମର୍ତ୍ତ୍ୟପୁରକୁ ଆସିଥିଲେ । ସେ ପ୍ରଥମେ ଯେଉଁ ସ୍ଥାନରେ ମର୍ତ୍ତ୍ୟଭୂମିକୁ ଓହ୍ଲାଇଲେ ସେହି ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ବୋଲି କୁହାଗଲା । ସୃଷ୍ଟିକର୍ତ୍ତା ମର୍ତ୍ତ୍ୟଭୂମିରେ ପାଦ ଦେବା ପରେ ବିଷ୍ଣୁଙ୍କ ପୂଜା କରିଥିଲେ । ଯେଉଁଠାରେ ସେ ବିଷ୍ଣୁଙ୍କ ପୂଜା କରିଥିଲେ ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ଖ୍ୟାତି ଅର୍ଜନ କଲା ।