ନ୍ୟୁଜ ୩୬୫ (ବ୍ୟୁରୋ): କଞ୍ଚାଲଙ୍କା ଏପରି ଏକ ପରିବା ଯାହା ପାଟିକୁ ରାଗ ଲାଗିଥାଏ ସତ । ହେଲେ କଞ୍ଚାଲଙ୍କା ବିନା ଭୋଜନ ସମ୍ପୂର୍ଣ୍ଣ ଲାଗିନଥାଏ । ଅନେକ କଞ୍ଚାଲଙ୍କାକୁ ଖାଦ୍ୟ ସହ ଖାଇବାକୁ ବେଶ୍ ପସନ୍ଦ କରିଥାଆନ୍ତି। ତରକାରୀ ଓ ଡାଲି ସହ ସାଲାଡରେ ମଧ୍ୟ ଏହାର ବ୍ୟବହାର କରନ୍ତି। ଭାରତୀୟମାନେ ପ୍ରତ୍ୟେକ ବ୍ୟଞ୍ଜନ ପ୍ରସ୍ତୁତିରେ କଞ୍ଚାଲଙ୍କାକୁ କଦାପି ଭୁଲନ୍ତି ନାହିଁ। ହେଲେ ଆପଣ ଜାଣନ୍ତି କି, ଏଥିିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ ସି, ଆଇରନ, ପୋଟାସିୟମ, ପ୍ରୋଟିନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି।
କଞ୍ଚା ଲଙ୍କା ସେବନ ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ। ଏହାସହ ଆଖିକୁ ସୁସ୍ଥ ରଖିବା ପାଇଁ ମଧ୍ୟ କଞ୍ଚାଲଙ୍କା ବେଶ ଉପକାରୀ ହୋଇଥାଏ । କଞ୍ଚାଲଙ୍କାରେ ଥିବା ଏକ ପ୍ରକାର ପୋଷକ ତତ୍ତ୍ୱ ଆଖିକୁ ସୁସ୍ଥ ରଖିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି। ଖାଲି ଏତିକି ନୁହେଁ କଞ୍ଚାଲଙ୍କା କର୍କଟ ଭଳି ମାରାତ୍ମକ ରୋଗକୁ ଶରୀର ଠାରୁ ଦୂରେଇ ରଖିବାରେ ବେଶ୍ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଶରୀର ଭିତରୁ ଅପରିଷ୍କାର ଜିନିଷ ନିର୍ଗତ କରିଥାଏ।ହୃଦୟକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଏହା ବେଶ ଉପକାରୀ।
ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ କଞ୍ଚାଲଙ୍କା । ଏହା ତ୍ୱଚାକୁ ସୁସ୍ଥ ରଖିବା ସହ ତ୍ୱଚାରେ କୁଞ୍ଚନ ଆସିବାକୁ ଦେଇନଥାଏ। କଞ୍ଚାଲଙ୍କା ସେବନ ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏହାସହ ଥଣ୍ଡା ସମୟରେ କଞ୍ଚାଲଙ୍କା ସେବନ ଦ୍ୱାରା ଥଣ୍ଡା ଶୀଘ୍ର ଭଲ ହୋଇଥାଏ। ଖାଲି ଏତିକି ନୁହେଁ ରକ୍ତଚାପକୁ କମ୍ କରିବା ସହ ଏହାକୁ ନିୟନ୍ତ୍ରଣରେ ରଖିଥାଏ ।
ହେଲେ ଏହା ଯେତିକି ଭଲ ସେତିକି କ୍ଷତିକାରକ ମଧ୍ୟ । ଅଧିକ କଞ୍ଚାଲଙ୍କା ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହେବା ସହ ପେଟରେ ଜଳାପୋଡା, ଯନ୍ତ୍ରଣା ଆଦି ହୋଇଥାଏ। ଏହାର ଅଧିକ ମାତ୍ରାରେ ସେବନ ଦ୍ୱାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ନିୟମିତ ୫୦ ଗ୍ରାମରୁ ଅଧିକ କଞ୍ଚା ଲଙ୍କା ଖାଇବା ଉଚିତ ନୁହେଁ।