ନ୍ୟୁଜ 365 (ବ୍ୟୁରୋ): ପାକିସ୍ତାନର ଏକ ନିର୍ମାଣାଧୀନ ମସଜିଦରେ ଆତ୍ମଘାତୀ ବୋମା ବିସ୍ଫୋରଣ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପାକିସ୍ତାନର ଖାଇବର ପଖତୁନଖ୍ୱା ଜିଲ୍ଲାରେ ଏହି ବୋମା ବିସ୍ଫୋରଣ ଘଟିଛି । ଘଟଣାରେ ମୃତ୍ୟୁ ହୋଇଥିବା ପରିଚୟ ଜଣେ ଅତିରିକ୍ତ ଷ୍ଟେସନ ହାଉସ ଅଫିସର ବୋଲି ଜଣାପଡିଛି । ବିସ୍ଫୋରଣ ପରେ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଛି । ସୂଚନା ଅନୁସାରେ, ଜାମରୁଦର ନିର୍ମାଣାଧୀନ ମସଜିଦରେ ଦୁଇ ଜଣ ଆତଙ୍କବାଦୀଙ୍କ ଲୁଚି ରହିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଖାଇବର ପୋଲିସ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଗିରଫ ଭୟରେ ଜଣେ ଆତଙ୍କବାଦୀ ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିଲା । ସେହି ସମୟରେ ଅନ୍ୟ ଆତଙ୍କବାଦୀ ବିସ୍ଫୋରଣ ସ୍ଥାନରୁ ଚମ୍ପଟ ମାରିଥିଲା । ପରବର୍ତ୍ତୀ ସମୟରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ପାକିସ୍ତାନର ଖାଇବର ପଖତୁନଖ୍ବା ରାଜ୍ୟରେ ବାରମ୍ବାର ବିସ୍ଫୋରଣ ମାମଲା ସାମ୍ନାକୁ ଆସିବାରେ ଲାଗିଛି ।