ନ୍ୟୁଜ 365 (ବ୍ୟୁରୋ): ସବୁଠି ଉତ୍ସାହ ବିଜୟର,ଦେଶ ପାଳୁଛି ୨୪ତମ କାର୍ଗିଲ ବିଜୟ ଦିବସ,ଚାରିଆଡେ ଅପରେସନ ବିଜୟର ଗୌରବ ଗାଥା, କାର୍ଗିଲ ଶଦ୍ଦ ଉଚାରଣ କରିବା ମାତ୍ରେ ମାତୃଭୂମିର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ୫୨୭ ଜଣ ବୀର ଯବାନଙ୍କ କଥା ମନେ ପଡୁଛି । ଗୁଳିଗୋଳା, କମାଣକୁ ଖାତିର ନକରି କଣ୍ଟକିତ ତଥା ବନ୍ଧୁର ପଥରେ ଆଗେଇ ଯାଆନ୍ତି ଦେଶର ବୀର । ମାତୃଭୂମିର ଟେକ, ମାଟି ମା’ର ଅଭିମାନ ଓ ଜୀବନ ଯୌବନକୁ ଜଳାଞ୍ଜଳି ଦେଇ ଶତ୍ରୁ ସାମ୍ନାରେ ଛାତି ଫୁଲାଇ ଛିଡ଼ା ହୋଇଯାଆନ୍ତି ଭାରତ ମାତାର ବୀର ପୁତ୍ର । ସେ ଥିଲେ ସୁବେଦାର ମେଜର ସଞ୍ଜୟ କୁମାର ।
ଯିଏ କାରଗିଲରେ ପଏଣ୍ଟ ୪୮୭୫ରେ କାନ୍ଧ ଉପରେ ମେସିନ୍ ଗନ୍ ରଖି ଶତ୍ରୁର କଲିଜା ପାଣି କରିଦେଇଥିଲେ । ତାଙ୍କର ଭୟଙ୍କର ରୂପ ଦେଖି ଶଙ୍କିତ ହୋଇ ପଡ଼ିଥିଲେ ଶତ୍ରୁପକ୍ଷ । ସେହି ସାହସିକତା ପାଇଁ ସଞ୍ଜୟ କୁମାରଙ୍କୁ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା । ଆଉ ତାଙ୍କର ସେହି ପରାକ୍ରମର କାହାଣୀ ଏବେ ଆକାଶରେ ହଜାର ଫୁଟ ଉଚ୍ଚରେ ଗୁଞ୍ଜରିତ ହୋଇଛି । ୧୯୯୯ କାର୍ଗିଲ ଯୁଦ୍ଧରେ ଅସାଧାରଣ ସାହସିକତା ପ୍ରଦର୍ଶନ ଲାଗି ସର୍ବୋଚ୍ଚ ସାମରିକ ସମ୍ମାନ ‘ପରମବୀର ଚକ୍ର’ ଉପାଧି ମିଳିଥିଲା ସୁବେଦାର ମେଜର ସଞ୍ଜୟ କୁମାରଙ୍କୁ। ହିମାଚଳ ପ୍ରଦେଶର ବିଲାସପୁର ଜିଲ୍ଲାରେ ୩ ମାର୍ଚ୍ଚ, ୧୯୭୬ରେ ଜନ୍ମ ହୋଇଥିଲେ ସଞ୍ଜୟ । ଉଚ୍ଚଶିକ୍ଷା ପରେ ୧୯୯୬ରେ ଭାରତୀୟ ସେନାର ସାମଲି ହୋଇଥିଲେ । କଠୋର ତାଲିମ ପରେ୧୩ ଜାମ୍ମୁ କାଶ୍ମୀର ରାଇଫଲରେ ସେ ମୁତୟନ ହୋଇଥିଲେ । ଚାକିରି କରିବାର ତିନି ବର୍ଷର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା । ଆଉ ତାଙ୍କୁ ଯୁଦ୍ଧରେ ସାମିଲ ହେବାକୁ ସୁଯୋଗ ମିଳିଥିଲା ।
ଜୁଲାଇ ୪, ୧୯୯୯ । ରାଇଫଲମାନ ସଞ୍ଜୟ କୁମାର ଓ ତାଙ୍କ ୟୁନିଟକୁ ମଶକୋହ ଉପତ୍ୟକାର ପଏଣ୍ଟ ୪୮୭୫ର ଫ୍ଲାଟ ଟପ୍ ଅଞ୍ଚଳରେ ତ୍ରିରଙ୍ଗା ଉଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ଅନୁସାରେ ସଞ୍ଜୟ ତାଙ୍କ ଲକ୍ଷ୍ୟ ଆଡକୁ ଅଗ୍ରସର ହୋଇଥିଲେ । ହେଲେ ଲୁଚି ବସିଥିବା ଶତ୍ରୁପକ୍ଷ ହଠାତ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଦେଶର ବୀରମାନଙ୍କୁ ଅଟକାଇବା ପାଇଁ ପାକିସ୍ତାନୀ ସେନାମାନେ ପୂରା ଜାନ୍ ଲଗାଇ ଦେଇଥିଲେ । ଶତ୍ରୁ ଉପରି ଭାଗରେ ଥାଇ ଆକ୍ରମଣ କରୁଥିବାରୁ, ଫିଙ୍ଗୁଥିବା ପଥର ବି ମଧ୍ୟ ଭାରତୀୟ ବୀରଙ୍କ ପାଇଁ ବୋମା ପରି ଲାଗୁଥିଲା ।ସବୁ ପ୍ରତିକୂଳ ପରିସ୍ଥିତିକୁ ପାର କରି ବୀର ଯବାନମାନେ ବୀରଦର୍ପରେ ଆଗେଇ ଚାଲିଥିଲେ । ଏହି ସମୟରେ ସଞ୍ଜୟଙ୍କର ଅନେକ ସାଥୀ ସହିଦ ମଧ୍ୟ ହୋଇଥିଲେ ।
ଧାଏଁ ଧାଏଁ ଗୁଳିମାଡ଼ ଭିତରେ ସଞ୍ଜୟ ନିଜ ପ୍ଲାନରେ ପରିବର୍ତ୍ତନ କରିଥିଲେ । ଶତ୍ରୁଙ୍କୁ ମାତ୍ ଦେବା ପାଇଁ ବିପଦପୂର୍ଣ୍ଣ ମାର୍ଗ ଆପଣାଇଥିଲେ ।ନିଜ ସାଥୀଙ୍କୁ ଏକ ସିଧା ପଥର ଚଟାଣ ଚଢ଼ିବା ପାଇଁ କହିଥିଲେ ସଞ୍ଜୟ । ଯାହା ବିପଦପୂର୍ଣ୍ଣ ହେବା ସହ ଅସମ୍ଭବ ମଧ୍ୟ ଲାଗୁଥିଲା । ହେଲେ ପ୍ରଥମେ ସେ ଚଢ଼ିବା ଆରମ୍ଭ କରିବା ପରେ ସାଥୀ ଯବାନମାନେ ତାଙ୍କ ପ୍ଲାନ୍ ବୁଝି ପାରିଥିଲେ । ଆଉ ଯୋଜନା ମୁତାବକ ସଞ୍ଜୟଙ୍କ ୟୁନିଟ୍ ଶତ୍ରୁ ପାଖରେ ପହଞ୍ଚି ସେମାନଙ୍କୁ ପାଲଟା ଆକ୍ରମଣ କରିଥିଲେ । ଶତ୍ରୁ ପକ୍ଷ କିଛି ବୁଝିବା ପୂର୍ବରୁ ଭାରତୀୟ ସୈନିକମାନେ ସେମାନଙ୍କ ଉପରେ ବର୍ଷି ଯାଇଥିଲେ ।ମୁହାଁମୁହିଁ ଏହି ଲଢ଼େଇରେ ସଞ୍ଜୟ କୁମାର ଶତ୍ରୁଙ୍କ ଭିତରୁ ୩ ଜଣଙ୍କୁ ଗୁଳିରେ ଉଡ଼ାଇ ଦେଇଥିଲେ, କିନ୍ତୁ ସେ ନିଜେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଦେହରେ ମଧ୍ୟ ଅନେକ ଗୁଳି ବାଜିଥିଲା ଧାର ଧାର ରକ୍ତ ବହି ଯାଉଥିଲେ ସୁଦ୍ଧା ସେ ଲଢ଼େଇ ଚାରି ରଖିଥିଲେ । ସଞ୍ଜୟଙ୍କ ପରାକ୍ରମ ଅନ୍ୟ ବୀରମାନଙ୍କୁ ଲଢିବାକୁ ପ୍ରେରଣା ଦେଇଥିଲା। ପରେପରେ ୪୮୭୫ ପଏଣ୍ଟରେ ଉଡିଥିଲା ତ୍ରିରଙ୍ଗା। ଭାରତୀୟ ସେନା ଟାଇଗର ହିଲର ସମସ୍ତ ଶିଖରକୁ କାବୁ କରିଥିଲା । ସେ ଦିନ ବୀରର ସାହାସ ଅସୀମ ଧୈର୍ଯ୍ୟ ଆଜି ବି ଅନେକଙ୍କୁ ଦେଉଛି ପ୍ରେରଣା। ତାଙ୍କ ବୀରତ୍ବର ଗାଥା ଗାଉଛନ୍ତି କୋଟି କୋଟି ଦେଶବାସୀ। ସେ ବିଜୟକୁ ଆଜି ସମ୍ମାନର ବିଜୟଭାବେ ପାଳନ କରୁଛି ଭାରତ ମାତ।।