ଓଡିଶା ମାଟିର ସେ ଥିଲେ ପଦ୍ମ,ତାଙ୍କ ବୀରତ୍ବର ପଣ ଆଗରେ ଶତ୍ରୁ ବି ପଛୁଘୁଞ୍ଚା ଦେଉଥିଲା,ଖେଳିଯାଉଥିଲା ବିରୋଧିଙ୍କ ଶିବିରରେ ଭାଳେଣି। ମାରିବୁ ନହେଲେ ମରିବୁ,ଏଭଳି ପଣ କରିଥିଲା ବୀର,ତାର ସେହି ବୀର ପଣ ହିଁ ଶତ୍ରୁ ପକ୍ଷ ପାକିସ୍ତାନକୁ ପଛକୁ ଘୁଞ୍ଚା ଦେବାକୁ ବାଧ୍ୟ କରିଥିଲା। କାରର୍ଗିଲ ଯୁଦ୍ଧକୁ ୨୩ ବର୍ଷ ବିତିଲାଣି ସେହି ଯୁଦ୍ଧରେ ସହିଦ ହୋଇଥିବା ୧୩ ଓଡ଼ିଆ ଯବାନଙ୍କ ମଧ୍ୟରେ ଥିଲେ ଭାରତ ମାର ସୁଯୋଗ୍ୟ ସନ୍ତାନ,ଓଡିଶା ମାଟିର ବୀର ପୁତ୍ର କାରଗିଲ ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଓଡ଼ିଆ ଯବାନ ମେଜର ପଦ୍ମପାଣି ଆଚାର୍ଯ୍ୟ । ମେଜର ପଦ୍ମପାଣିଙ୍କ ତ୍ୟାଗ ଓ ବଳିଦାନ, ଉତ୍ସର୍ଗକୃତ ମନଭୋବ ମା ମାଟି ପାଇଁ,ଯେଉଁଥି ପାଇଁ ଆଜି ଗର୍ବିତ ଓଡ଼ିଶା । ତାଙ୍କୁ ଯେତେବେଳେ ମହାବୀର ଚକ୍ର ଉପାଧି ମିଳିଲା, ଓଡ଼ିଶା ମାଟି ଧନ୍ୟ ହୋଇଥିଲା ଇତିହାସ ପୃଷ୍ଠାରେ ସ୍ବଣ୍ଣାଅକ୍ଷରରେ ଲିପିବଦ୍ଧ ହୋଇରହିଥିଲା ବୀରର ବୀରତ୍ବ ଗାଥା। କାରଗିଲ ବିଜୟ ଦିବସକୁ ଦିନ କେଇଟା ଥିବାବେଳେ ମେଜର ଆଚାର୍ଯ୍ୟଙ୍କୁ ଆଜି ମନେ ପକାଉଛି ଦେଶ ।ତାଙ୍କ ପରାକ୍ରମ ହିଁ ଭବିଷ୍ୟତ ପିଢି ପାଇଁ ସାଜିଛି ଆସାର ମଶାଲ।ଆଜିକୁ ୨୩ ବର୍ଷ ତଳେ ଡ୍ରାସ ସେକ୍ଟରର ଟୋଲଲିଙ୍ଗଠାରେ ଗ୍ରେନେଡ଼ ମାଡ଼ରେ ମେଜର ଆଚାର୍ଯ୍ୟ ପ୍ରାଣ ହରାଇଥିଲେ। ତାଙ୍କର ସେହି ସାହସ ଓ ସ୍ୱାଭିମାନ ଥିଲା ଅଦ୍ଵିତୀୟ। ଯାହା ଶତ୍ରୁ ମନରେ ସୃଷ୍ଟି କରିଥିଲା ଭୟ ।
୧୯୯୯ ଜୁନ ୧୯ କାରଗିଲ ଘୋମାଘଟ ଲଢେଇଭିତରେ ମେଜର ପଦ୍ମପାଣି ଲେଖିଥିଲେ ବାପାଙ୍କୁ ଚିଠି, ସେହି ଚିଠିରେ ଚିଠିରେ ଯୁଦ୍ଧର ଅନୁଭୂତି ଓ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ କାର୍ଗିଲ ପରିଦର୍ଶନ, ସାଥି ଲଢ଼ୁଆ ସୈନିକ ମାନଙ୍କ ପରାକ୍ରମ ଗାଥା, ମୃତ୍ୟୁ ବରଣ କରିବା ଆମ ସେନା ବୃତ୍ତିର ଅଂଶ ବିଶେଷ। ଭଲ କାମଟିଏ କରିବାକୁ ହେଲେ ଜୀବନ ଦେବାରେ ଆମର କୌଣସି କୁଣ୍ଠାବୋଧ ନଥାଏ। ବୀରତ୍ବର ଶଦରେ ପରିପୂଣ୍ଣ ହୋଇଥିଲା ହାତ ଲେଖା ଚିଠି,ଯାହା ଆଜି ସଭିଙ୍କୁ ପ୍ରେରଣା ଦେଉଛି। ମାତ୍ର ସେହି ଚିଠିର ଦୁଇ ଧାଡି ଥିଲା ପତ୍ନୀ ଚାରୁଲତାଙ୍କ ପାଇଁ ,ଯିଏ ସେତେବେଳକୁ ଛଅ ମାସ ଗର୍ଭବତୀ ଥିଲେ ତାଙ୍କୁ ପଦ୍ମପାଣି ଉପଦେଶ ଦେଇଥିଲେ ପ୍ରତିଦିନ ମହାଭାରତ କାହାଣୀ ପଢ଼ ଯାହା ଫଳରେ ପେଟରେ ଥିବା ଛୁଆଟି ଉତ୍ତମ ମୂଲ୍ୟବୋଧ ନେଇ ଜନ୍ମ ହେବ,ମହାଭାରତ ବୀରମାନଙ୍କ କାହାଣୀ ଶୁଣିଲେ ମୋ ସନ୍ତାନ ଜନ୍ମପରେ ଜନ୍ମମାଟି ସେବା କରିବ । ଏ ମାଟି ପାଇଁ ତାଙ୍କ ଚିନ୍ତାଧାରା ଥିଲା ଭିନ୍ନ,ଯେଭଳି ପଙ୍କରୁ ଜାକ ପଦ୍ମ ପରିବେଶର ଶୋଭା ବଢାଇ ଥାଏ ସେମିତି ପଦ୍ମପାଣି ଭାରତ ମାର ଶୋଭା ବଢାଇଥିଲେ ,ପଦ୍ମ ଯେମିତି ସବୁବେଳେ ସତେଜ ଥାଏ,ଶତ୍ରୁ ପକ୍ଷର ଗୁଳିକୁ ଖାତିର ନକରି ସବୁବେଳେ ଆଗକୁ ଆସୁଥିଲେ,ପଦ୍ମ ପାଣି ଆଉ ତାଙ୍କ ମୁହଁର ସତେଜତା,ସାଥି ସୌନିକଙ୍କୁ ଦେଉଥିଲା ବଳ।
ସେ ଚିଠି ଆଜି ଅତୀତ ହୋଇଯାଇଛି ସତ କିନ୍ତୁ, ବର୍ତ୍ତମାନରେ ସଭିଙ୍କ ମନରେ ଆଜିବି ସେ ଫୁଟାଉଛନ୍ତି ସତେଜତାର ପଦ୍ମ।।