ନ୍ୟୁଜ 365 (ବ୍ୟୁରୋ): ଆଜିକାଲିର ଖାଦ୍ୟ ପଦାର୍ଥ ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଏଥିମଧ୍ୟରୁ ଏକ ପ୍ରମୁଖ ସମସ୍ୟା ହେଉଛି ପିଠି ଯନ୍ତ୍ରଣା । ଯେଉଁମାନେ ଠିକ ଭାବେ ବସନ୍ତି ନାହିଁ,ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ ପରିଶ୍ରମ ନକରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ । ତେବେ କାହିଁକି ହୋଇଥାଏ ପିଠି ଯନ୍ତ୍ରଣା । ଆଉ କେମିତି ଏହାର ଉପଚାର କରିବେ ? ଆସନ୍ତୁ ଜାଣିବା ।
ସାଧାରଣତଃ ୨୦ରୁ ୪୦ ବର୍ଷ ବୟସର ଲୋକଙ୍କଠାରେ ପିଠିଜନିତ ଯନ୍ତ୍ରଣା ଦେଖାଦେଇଥାଏ । ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ମୁଖ୍ୟ କାରଣ ହେଉଛି ବସିବାର ଶୈଳୀ । ତଳେ ବସିବା ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ମଧ୍ୟ ଅନ୍ୟତମ କାରଣ ହୋଇଥାଏ । ମାଂସପେଶୀ ଶକ୍ତି କମିବା ଦ୍ୱାରା ମଧ୍ୟ ପିଠି ଜନିତ ସମସ୍ୟା ଆରମ୍ଭ ହୋଇଥାଏ । ଏହାସହ ମୋଟାପଣ ଓ ଅତ୍ୟଧିକ ଓଜନ ଏହି ଯନ୍ତ୍ରଣାର ଅନ୍ୟ ଏକ କାରଣ ହୋଇଥାଏ । ସେହିପରି ଅଧିକ ଓଜନଭାର ଉଠାଇଲେ ପିଠିଜନିତ ସମସ୍ୟା ଦେଖାଦେଇଥାଏ । ଖାଦ୍ୟପେୟରେ ଅନିୟମିତତା ଓ ବ୍ୟାୟାମର ଅଭାବ ମଧ୍ୟ ପିଠି ଯନ୍ତ୍ରଣାର ପ୍ରମୁଖ କାରଣ ପାଲଟିଥାଏ ।
ଖାଲି ସେତିକି ନୁହେଁ କ୍ୟାଲସିୟମ ଅଭାବରୁ ମଧ୍ୟ ଏହି ଯନ୍ତ୍ରଣା ଦେଖାଦେଇଥାଏ । ହେଲେ ଆପଣ ଜାଣିଛନ୍ତି କି ନିରାମିଷଙ୍କ କ୍ଷେତ୍ରରେ କ୍ୟାଲସିୟମର ଅଭାବ ଅଧିକ ଦେଖା ଦେଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଅଧିକ ଛେନା ଖାଇବା ଦରକାର । ଏହାସହ ଡାଏଟ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ସବୁବେଳେ ଉଠିବା ଓ ବସିବା ସମୟରେ ଶରୀରର ମୁଭମେଣ୍ଟକୁ ଧ୍ୟାନ ଦେବା ଦରକାର । ଏହାସହ ନିୟମିତ ବ୍ୟାୟାମ ଓ ମର୍ଣ୍ଣିଂ ୱାକ୍ କରିବା ଦ୍ୱାରା ମଧ୍ୟ ପିଠି ଯନ୍ତ୍ରଣା କମ୍ ହୋଇଥାଏ । ଖାଲି ସେତିକି ନୁହେଁ କଅଁଳ ଖରାରେ ଚାଲିବା ଦ୍ୱାରା ଭିଟାମିନ୍-ଡି ବଢ଼ିଥାଏ ଓ ହାଡ଼ ମଜଭୁତ୍ ହୋଇଥାଏ ।