ରାଜ୍ୟରେ ସରକାର ଦକ୍ଷତା ବିକାଶ ପାଠ୍ୟକ୍ରମକୁ ପ୍ରାଧାନ୍ୟ ଦେଉଥିବା କଥା ଦାବି କରୁଛନ୍ତି । ହେଲେ ଦିନକୁ ଦିନ ଆଇଟିଆଇରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ଆଇଟିଆଇ ପଢିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଖାଲି ପଡ଼ିଲା ୮୦.୬୮ % ସିଟ୍ । ଛାତ୍ରଛାତ୍ରୀଙ୍କୁ ଆଇଟିଆଇ ଓ ଡିପ୍ଲୋମା ପାଠ୍ୟକ୍ରମକୁ ଆକୃଷ୍ଟ କରିବା ପାଇଁ ‘ସୁଦକ୍ଷା’ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ସତ୍ୱେ ବି ଆଇଟିଆଇ ପ୍ରତି ପିଲାଙ୍କ ଆଗ୍ରହ ଦେଖିବାକୁ ମିଳୁନି । ପ୍ରଥମ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା ଶେଷ ପରେ ମଧ୍ୟ ୮୦.୬୮% ସିଟ୍ ଖାଲି ପଡିଛି । ଘରୋଇ ଅନୁଷ୍ଠାନ କଥା ଦୂରରେ ଥାଉ ସରକାରୀ ଆଇଟିଆଇରେ ମଧ୍ୟ ବହୁ ପରିମାଣରେ ସିଟ୍ ଖାଲି ପଡିଛି । ଗତ ୨୦୨୦-୨୧ ଶିକ୍ଷାବର୍ଷ ଠାରୁ ଆଇଟିଆଇ କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି ।
ସିଟ୍ ଖାଲି ପଡୁଥିବାରୁ ୨୦୨୧-୨୨ରେ ରାଜ୍ୟର ୪୯ଟି ସରକାରୀ ଓ ୪୫୭ଟି ଘରୋଇ ଆଇଟିଆଇର ୧୪ ହଜାର ସିଟ୍ ହ୍ରାସ କରିଥିଲେ । ସେପେଟେ ଚଳିତ ବର୍ଷ ଆଇଟିଆଇରେ ନାମଲେଖା ପାଇଁ ଅଧିକ ପଞ୍ଜିକରଣ ହୋଇଥିବାବେଳେ ନାମଲେଖା କମ୍ ହୋଇଛି । ସାମସ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ୨୨୦୨୩-୨୪ ଶିକ୍ଷାବର୍ଷରେ ୪୮୮ଟି ଆଇଟିଆଇର ୮୨,୨୪୪ ସିଟ୍ ପାଇଁ ନାମଲେଖା ପାଇଁ ଆହ୍ବାନ ହୋଇଥିଲା। ତେବେ ଏଯାଏ ମୋଟ୍ ୬୭, ୪୦୦ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଫାଙ୍କା ପଡିଛି ୮୦.୬୮% ସିଟ୍। ମାତ୍ର ୧୫, ୮୯୦ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୬୬,୩୫୪ ସିଟ୍ ଖାଲି ପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖାରେ ଆଉ କିଛି ସିଟ୍ ପୂରଣ ଆଶା।