ନ୍ୟୁଜ୍365(ବ୍ୟୁରୋ): ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଏକ ସ୍ବତନ୍ତ୍ର ବିମାନ ଯୋଗେ ସଂଧ୍ୟା ପ୍ରାୟ ୬ଟା ୧୦ ମିନିଟ୍ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ ରାଷ୍ଟ୍ରପତି। ଭୁବନେଶ୍ବର ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ମୁଖ୍ୟ ସଚିବ ଓ ପୋଲିସ ଡିଜି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ। ଏହାପରେ ସେ ସିଧାସଳଖ ରାଜଭବନ ଯିବା ନେଇ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଗସ୍ତଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ୨୫ ଜୁଲାଇ ୨୦୨୩ ସନ୍ଧ୍ୟାରେ ରାଷ୍ଟ୍ରପତି ଅତୁଟ-ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିବେ ଏବଂ ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ନୂଆ ଅଟ୍ଟାଳିକା ପାଇଁ ଶିଳାନ୍ୟାସ କରିବେ।
ସେହିପରି ୨୬ ଜୁଲାଇ ୨୦୨୩ରେ ରାଷ୍ଟ୍ରପତି କଟକଠାରେ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହି ଦିନ ସେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଏବଂ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ସମାବର୍ତ୍ତନ ସମାରୋହରେ ଯୋଗଦେବେ । ଜୁଲାଇ ୨୭ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନ ପରିସରରେ ଅତି ପଛୁଆ ଜନଜାତି ସମୁଦାୟର ସଦସ୍ୟମାନଙ୍କ ସହିତ ମତବିନିମୟ କରିବେ । ସେହିଦିନ, ସେ ଚଳିତ ବର୍ଷର ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବିଷୟବସ୍ତୁ, ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶବ୍ୟାପୀ ଆଲୋଚନାଚକ୍ର ଓ ସମ୍ମିଳନୀ ଆୟୋଜନ କରାଯିବ ।