ନ୍ୟୁଜ 365 (ବ୍ୟୁରୋ): ମାଟି ଆଜି ବୀରତ୍ବର ଗାଥା ଗାଉଛି,ବୀରର ପରାକ୍ରମ,ତ୍ୟାଗ ବଳିଦାନକୁ ମନେପକାଉଛି। ପିଢି ପରେ ପିଢିଙ୍କୁ ଏଦେଶ,ଜାତିର ସେବା ପାଇଁ ପ୍ରେରଣା ଯୋଗାଉଛି। ସେମାନଙ୍କ ବୀରତ୍ବ,ବଳିଦାନ ଆଗରେ ଗର୍ବରେ ଆମ ଛାତି କୁଣ୍ଡେମୋଟ ହୋଇଯାଉଛି, ଆମେ ଗର୍ବରେ କହୁଛନ୍ତି ଆମେ ଭାରତୀୟ, ପ୍ରତ୍ୟେକ ଭାରତୀୟଙ୍କ ପାଇଁ କାରଗିଲ୍ ସାଜିଛି ପରାକ୍ରମ ଏବଂ ନିଷ୍ଠାର ପ୍ରତୀକ। କାର୍ଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିଲେ ୫୨୭ ବୀର ସୈନିକ,ଏଥିରେ ସହୀଦ୍ ହୋଇଥିଲେ ଆମ ରାଜ୍ୟର ଅନେକ ବୀର ଯବାନ। ବିଶ୍ବାସଘାତକ ପାକିସ୍ତାନକୁ ଦେଇଥିଲେ ଉଚିତ ଜବାବ। କାର୍ଗିଲରେ ଭାରତ ଉଡାଇଥିଲା ବିଜୟ ବାନା,
ଅପରେସନ ବିଜୟର ହିରୋମାନଙ୍କ ମଧ୍ୟରୁ ଜଣେ ଥିଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁର ବୀର ସହିଦ ଗୋପୀନାଥ ମହାରଣା। ନିଜ ପରାକ୍ରମରେ ପାକିସ୍ତାନକୁ ଧୂଳି ଚଟାଇଥିଲେ । କାରଗିଲର ଭାରତୀୟ ସେନା ବିଜୟ ବାନା ଉଡାଇ ଚାଲିଥିବା ବେଳେ ୨୩ ବର୍ଷ ବୟସରେ ସେ ୧୯୯୯ ମସିହା ମେ ୧୯ ତାରିଖରେ ଦେଶ ପାଇଁ ବଳୀଦାନ ଦେଇଥିଲେ । ଆଉ ଏହାରି ଭିତରେ କାରଗିଲ୍ ଯୁଦ୍ଧକୁ ବିତିଲାଣି ୨୩ବର୍ଷ। ତାଙ୍କ ବଳୀଦାନ ସେଦିନ ଅନେକ ଭାରତୀୟ ସୈନିକଙ୍କ ଜୀବନ ବଞ୍ଚାଇଦେଇଥିଲା । ୧୮ ବର୍ଷ ବୟସରେ ୫୨୮-ଏଏସପି ବାଟାଲିୟନରେ ଡ୍ରାଇଭର ଭାବେ ସେ କାର୍ଯ୍ୟରେ ଯୋଗଦେଇଥିଲେ । ମାତ୍ର ୨୩ ବର୍ଷବୟସରେ ୧୯୯୯ ରେ ହୋଇଥିବା କାର୍ଗିଲରେ ଯୁଦ୍ଧରେ ଭାଗନେଇଥିଲେ, ଗୋଳାବାରୁଦ ସହ ସୈନ୍ୟମାନଙ୍କୁ ଗାଡ଼ିରେ ନେବାବେଳେ ଅତର୍କିତ ଆକ୍ରମଣ କରିଥିଲେ ଶତ୍ରୁ ପକ୍ଷ । ଶତ୍ରୁଙ୍କୁ ଖାତିର ନକରି ବୀର ଦର୍ପରେ ଆଗକୁ ମାଡିଚାଲିଲେ ସେ ,ହେଲେ ସେତିକିବେଳେ ବାଜିଥିଲା ଛାତିରେ ଗୁଳି ,ମାତ୍ର
ଗୁଳି ବିଦ୍ଧ ହୋଇ ମଧ୍ୟ ପ୍ରବଳ ପରାକ୍ରମ ଦେଖାଇ ସମସ୍ତ ସୈନିକଙ୍କୁ ପହଞ୍ଜାଇ ଥିଲେ ଠିକଣା ଜାଗାରେ। କଥାରେ ଅଛି ମାଟି ମା ପାଇଁ ଜୀବନ ଦେବା ଭାଗ୍ୟରେ ଥିଲେ ମିଳେ ,ଯାହା ଜୁଟିଥିଲା ଗୋପନାଥଙ୍କ ଭାଗ୍ୟରେ, ତାଙ୍କ ସ୍ମୃତିରେ ଗାଁରେ ତିଆରି ହୋଇଛି ସ୍ମୃତି ମଣ୍ଡପ । ସେହି ମଣ୍ଡପରେ ଶୋଭା ପାଉଛି ସହିଦ ଗୋପୀନାଥ ମହାରଣାଙ୍କ ପ୍ରତିମୂର୍ତ୍ତି । ମାଆ ଝୁମୁରି ମହାରଣା ଓ ପିତା ଯଦୁମଣି ମହାରଣାଙ୍କ ବଡ଼ପୁଅ ଥିଲେ ଗୋପୀନାଥ ।ସେ ଥିଲେ ମାଙ୍କ ଅନ୍ଧର ଲଉଡି,ଗଳାରମାଳି,ନଇନ ପୁତୁଳା,କେମିତି ବା ମା ତାଙ୍କୁ ଭୁଲି ପାରିବ,ସଂସାରରେ ସବୁ ସମ୍ପର୍କ ଭୁଲିହୋଇପାରେ,ମା ନିଜେ ମାଟିରେ ମାଟି ନହେବା ଯାଏ କଣ ପୁଅକୁ ଭୁଲିପାରେ। ନିଜ ସନ୍ତାନକୁ ଝୁରି ଝୁରି ଗୁମୁରି ଗୁମିରି କାନ୍ଦେ,ପ୍ରତିଦିନ ପୁଅର ପ୍ରତିମୂର୍ତ୍ତି ନିକଟକୁ ଆସି ଫୁଲ,ଧୂପ ଦିଏ,ମାର ସେହ୍ନ,ମମତା ଆଗରେ ପ୍ରତିମୂର୍ତ୍ତି ଯେମିତି ଜୀବନ୍ତ ହୋଇ ଉଠେ,ମା ଅତି ସରାଗରେ ପଣତ କାନିରେ ପୁଅର ମୁହଁ ପୋଛିଦିଏ,ଏ ଦୃଶ୍ୟ ଅନେକଙ୍କୁ ଭାବବିହ୍ଳଳ କରିଦିଏ, ବାଟରେ ଯାଉଥିବା ବାଟୋଇ ଘଡିକେ ଅଟକିଯାଏ, ମା,ମାଟି,ବୀର ପୁଅର ସମ୍ପର୍କ ଦେଖି,
ପ୍ରତିଦିନ ମା ଆଖିରୁ ଝରି ପଡେ ଦୁଇ ଟୋପା ଲୁହ,ପୁଅର ପ୍ରତିମୂର୍ତ୍ତି ଆଡକୁ ଆଉଜି ହୋଇ ମନେ ମନେ କଣ ସବୁ ପୁଅକୁ କହିପକାଏ। ଅଭିମାନ ବି କରେ,ଜଣେ ବୀରର ମା ଭାବେ ଯେତିକି ଗର୍ବ କରନ୍ତି,ପୁଅ କଥା ମନେ ପଡିଲେ କୋହ ସମ୍ଭାଳି ପାରନ୍ତି ନି,ବୀର ଗୋପିନାଥଙ୍କ ବୀରତ୍ବ,ତାଙ୍କୁ ଜନ୍ମ ଦେଇଥିବା ମାଙ୍କୁ କୋଟି ପ୍ରମାଣ।