ନ୍ୟୁଜ 365 (ବ୍ୟୁରୋ): କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କୁ ନେଇ ସତର୍କବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ସେ କହିଛନ୍ତି, କୌଣସି ପ୍ରଯୁକ୍ତି ନିରପେକ୍ଷ ନୁହେଁ। ତେଣୁ ବାସ୍ତବ ଜୀବନରେ ଏହାର ବ୍ୟବହାର କଲାବେଳେ ସତର୍କ ରହିବା ଉଚିତ। କୃତ୍ରିମ ବୁଦ୍ଧିମତ୍ତା ମାନବର ଚିନ୍ତନ ଉପରେ ନିର୍ଭର କରେ ଏବଂ ମଣିଷର ବିଚାରଧାରାକୁ କେତେକ ସାମାଜିକ କୁସଂସ୍କାର ଆଚ୍ଛାଦିତ କରି ରଖିଥାଏ। ତେଣୁ କୃତ୍ରିମ ବୁଦ୍ଧିମତ୍ତା ଆମକୁ ପକ୍ଷପାତମୂଳକ ଓ କୁସଂସ୍କାରଜଡ଼ିତ ନିଷ୍ପତ୍ତି ଦେଇପାରେ। ଏଆଇର ଅନେକ ସମ୍ଭାବ୍ୟତା ରହିଛି। ତାକୁ ବ୍ୟବହାର କଲାବେଳେ ଆମେ ଏହି ଦିଗ ପ୍ରତି ସତର୍କ ରହିବା ଉଚିତ। ପ୍ରଯୁକ୍ତିର ବାସ୍ତବ ଲାଭ ଆମେ ସେତେବେଳେ ପାଇପାରିବା ଯେତେବେଳେ ତାହାଦ୍ବାରା ପ୍ରତ୍ୟେକ ବ୍ୟକ୍ତିର ମାନବାଧିକାର ଓ ବ୍ୟକ୍ତି ସ୍ବାଧୀନତା ସୁରକ୍ଷିତ ରହିପାରୁଥିବ । ଅନ୍ୟଥା ଏହା ଆମକୁ ଭୁଲ୍ ବାଟରେ ନେଇପାରେ ବୋଲି ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି । ଆଇଆଇଟି ମାଡ୍ରାସର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଏହି ସତର୍କବାଣୀ ଶୁଣାଇଛନ୍ତି ପ୍ରଧାନବିଚାରପତି ।