ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ନେଇ ଜୋର ଧରିଲା ଦାବି । ଆରମ୍ଭ ହୋଇଯାଇଛି ଦସ୍ତଖତ ଅଭିଯାନ । ସେପଟେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ନେଇ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, କରୋନା ସମୟରେ ଶ୍ରୀମନ୍ଦିରର ଗୋଟେ ଦ୍ୱାର ଖୋଲାଯାଇ ଅନ୍ୟ ଦ୍ୱାର ବନ୍ଦ କରାଯାଇଥିଲା । ହେଲେ ଏବେ ଆଉ କରୋନାର ଡର ଭୟ ନାହିଁ, ତେଣୁ ଚାରୋଟି ଦ୍ୱାର ଖୋଲାଯାଉ । ପୁରୀ ଅଧିବାସୀ ଏବଂ ବାହାରୁ ଆସିଥିବା ଅନେକ ହିନ୍ଦୁ ଲୋକେ ପୁରୀରେ ଆସି ରୁହନ୍ତି । ଚାରି ଦ୍ୱାରରେ ଭକ୍ତଙ୍କ ପ୍ରବେଶ ନେଇ ସ୍ଥାୟୀ ଭାବେ ଅଟକାଇବା ଉଚିତ୍ ନୁହେଁ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଚାରୋଟି ଦ୍ୱାର ସହ ଭକ୍ତଙ୍କର ରହିଛି ଭାବାବେଗ, ତେଣୁ ଏହାକୁ ଖୋଲିବା ନିତ୍ୟାନ୍ତ ଜରୁରୀ ।
ମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଉଚିତ୍ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ପୁରୀବାସୀ ମଧ୍ୟ ଦାବି କରିଛନ୍ତି । ଉତ୍ତରଦ୍ୱାର ଦେଇ ମହାପ୍ରସାଦ ଆଣିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା, ସିଂହଦ୍ଵାରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ହୋଇଥିବାରୁ ଦିନକୁ ଦିନ ଲମ୍ବା ଲାଇନ୍ ବଢିବାରେ ଲାଗିଛି । ରଥଯାତ୍ରା ପରେ ଚାରିଦ୍ୱାର ଖୋଲିବା ନେଇ ଗତ ରଥ ସମନ୍ୱୟ ବୈଠକରେ ଆଲୋଚନା ହୋଇଥିଲେ ସୁଦ୍ଧା କିଛି ସୁଫଳ ହେଲାନାହିଁ ।ତେବେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଦାବିପତ୍ର ଦିଆଯାଇଛି, ପ୍ରଶାସନ ନଶୁଣିଲେ ଆନ୍ଦୋଳନ ତୀବ୍ରତର ହୋବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ତେବେ ରଥଯାତ୍ରା ପରେ ଏହା ଉପରେ ବିଚାର କରାଯିବ ବୋଲି ସୂଚନା ମିଳିଥିଲା । ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ଚାରି ଦୁଆର ଖୋଲାଯିବା ମୁଖ୍ୟ ପ୍ରସଙ୍ଗ ମଧ୍ୟ ପାଲଟିଥିଲା । କିନ୍ତୁ ରଥଯାତ୍ରା ସରିବାର ୧୫ଦିନ ପରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ତେବେ ଯାହାକୁ ନେଇ ବରିଷ୍ଠ ସେବାୟତଙ୍କ ଠାରୁ ଭକ୍ତମାନେ ଚାରିଦ୍ବାର ଖୋଲିବା ପାଇଁ ଦାବି କରିଛନ୍ତି, ନଚେତ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ଦାଇତାପତି ସେବକ ଚେତାବନୀ ଦେଇଛନ୍ତି ।