ନ୍ୟୁଜ 365 (ବ୍ୟୁରୋ) କାଶୀ ବିଶ୍ୱନାଥ ମନ୍ଦିରକୁ ନେଇ କୋର୍ଟଙ୍କ ବଡ଼ ରାୟ । ବର୍ଷ ବର୍ଷ ଧରି ଲାଗି ରହିଥିବା ବିବାଦ ଉପରେ କୋର୍ଟ ସର୍ଭେ ପାଇଁ ନିର୍ଦେଶ ଦେଇଛନ୍ତି । ହିନ୍ଦୁ ପକ୍ଷଙ୍କ ବଡ଼ ବିଜୟ ହୋଇଛି । କିନ୍ତୁ ମୁସଲିମ ପକ୍ଷ ଏହି ନିଷ୍ପତ୍ତିକୁ ନେଇ ଉପର କୋର୍ଟ ଯିବେ ବୋଲି କହିଛନ୍ତି । ମସଜିଦରେ କଣ ରହିଛି ଏହା ଦ୍ୱାରା ସାଧାରଣ ଜନତା ଜାଣିପାରିବେ । କୋର୍ଟଙ୍କ ନିର୍ଦେଶ ପରେ ବିବାଦୀୟ ଜ୍ଞାନବାପି ମସଜିଦ ପରିସରରେ ସର୍ବେକ୍ଷଣ କରିବ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା,ଏଏସଆଇ । ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ବିନା କ୍ଷତିରେ ସର୍ଭେ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବାରାଣସୀ ଜିଲ୍ଲା ଜଜ୍ । ଜିଲ୍ଲା କୋର୍ଟଙ୍କ ଏଭଳି ନିଷ୍ପତ୍ତି ହିନ୍ଦୁ ପକ୍ଷରୁ ପିଟିସନଧାରୀଙ୍କୁ ଉତ୍ସାହିତ କରିଥିଲା ବେଳେ ମୁସଲିମ ପକ୍ଷ ହାଇକୋର୍ଟ ଯାଇପାରନ୍ତି । କାଶୀ ବିଶ୍ବନାଥ ମନ୍ଦିରକୁ ଲାଗି ଥିବା ବାରାଣସୀର ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ରହିଛି । କାଶୀ ବିଶ୍ବନାଥ ମନ୍ଦିରର ଏକ ଅଂଶକୁ ଧ୍ବସଂ କରାଯାଇ ମସଜିଦ ନିର୍ମାଣ କରାଯାଇଛି ।
ମୁସଲିମ ଶାସକ ଔରଙ୍ଗଜେବଙ୍କ ଶାସନକାଳରେ ଷୋଡ଼ଶ ଶତାବ୍ଦୀରେ ଏହି ମସଜିଦ ନିର୍ମାଣ ହୋଇଥିବା ନେଇ ୧୯୯୧ ମସିହାରେ ବାରାଣସୀର ଏକ କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହାର ପରିସରକୁ ଏଏସଆଇ ସର୍ଭେ କଲେ କାନ୍ଥରେ ସ୍ବସ୍ତିକ ଚିହ୍ନ ସହ ଶିବଙ୍କ ଶ୍ଲୋକ ମିଳିବ ବୋଲି ପିଟିସନରେ ଦର୍ଶାଯାଇଥିଲା । ଏହି ମାମଲା ଏଯାଏ ବିଚାରାଧୀନ ରହିଥିଲା ବେଳେ ଜିଲ୍ଲା କୋର୍ଟ ରାୟ ହିନ୍ଦୁ ପକ୍ଷଙ୍କ ବଡ଼ ବିଜୟ ବୋଲି କୁହାଯାଉଛି । ତେବେ ମୁସଲିମ ପକ୍ଷ ଶିବଲିଙ୍ଗକୁ ମାନୁନାହାଁନ୍ତି । ଯାହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଏ ସଂପର୍କିତ ପିଟିସନର ବିଚାର କରି ଜିଲ୍ଲାଜଜ ସ୍ପଷ୍ଟ କରିଛନ୍ତି, ପ୍ରକୃତ ସତ୍ୟ ଜାଣିବାକୁ ହେଲେ ବୈଜ୍ଞାନିକ ପଦ୍ଧତିରେ ସର୍ଭେ କରିବାକୁ ହେବ । ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଆସନ୍ତା ଅଗଷ୍ଟ ୪ ସୁଦ୍ଧା ସ୍ବତନ୍ତ୍ର କମିଟି ଗଠନ କରିବ । ଏଏସଆଇ ବିବାଦୀୟ ସ୍ଥଳକୁ ଛାଡ଼ି ଜ୍ଞାନବାପି ପରିସରରେ ଥିବା ସବୁ ଅଞ୍ଚଳର ସର୍ଭେ କରିବ । ସର୍ଭେ ରିପୋର୍ଟ କୋର୍ଟଙ୍କ ହସ୍ତଗତ ହେବା ପରେ ଏ ସଂପର୍କରେ ପରବର୍ତ୍ତୀ ଶୁଣାଣି କରାଯିବ । ଶୁଣାଣି ବେଳେ ମୁସଲିମ ପକ୍ଷରୁ ପିଟିସନକୁ ବିଚାରପତି ଖାରଜ କରିଦେଇଥିଲେ । ହିନ୍ଦୁ ପକ୍ଷ ଏହି ଶିବଲିଙ୍ଗକୁ କାଶୀ ବିଶ୍ୱନାଥର ମାନ୍ୟତା ଦେଇ ପୂଜା କରିବାକୁ ଚାହୁଁଛନ୍ତି । ତେବେ ସର୍ବେକ୍ଷଣ ରିପୋର୍ଟରେ ଏଏସଆଇ କଣ ରିପୋର୍ଟ ଦେଉଛି ତାହା ଦେଖିବାକୁ ବାକି ରହିଲା ।