ଦିନ ଗଡିଚାଲିଛି ସତ, ହେଲେ ମନରୁ କ୍ଷତ ଲିଭିନି । ଆଖିର ଲୁହ ଆଉ ଛାତି ତଳର କୋହ କମିଯାଇଛି ସତ, ହେଲେ କ୍ରୋଧ କମିନି । ଦେହରୁ କ୍ଷତ ଚିହ୍ନ ଲିଭିଯାଇଛି ସତ, ହେଲେ ଗୋଳାବାରୁଦର ଶଦ୍ଦ ଏବେ ବି କାନ ପାଖରେ ଗୁଞ୍ଜରିତ ହେଉଛି । ଜୀବନର ଗତିପଥ ଅଙ୍କାବଙ୍କା ରାସ୍ତାରେ ଆଗକୁ ବଢିଚାଲିଛି, ମାତ୍ର ପାକିସ୍ତାନର ଦୋମୁହାଁ ନୀତି ସେଇମିତି ସେହିଠାରେ ଅଟକି ରହିଛି । ଦୀର୍ଘ 23 ବର୍ଷ ପରେ ବି କାରଗିଲ ଯୁଦ୍ଧକୁ ଭୁଲିହେଉନି । ପାକିସ୍ତାନର ବିଶ୍ୱାସଘାତକତାକୁ ମନରୁ କାଢି ଫିଙ୍ଗି ହେଉନି । ଭାରତ ଓ ପାକିସ୍ତାନ ମଧ୍ୟରେ 1999 ମସିହା ମେ ମାସରୁ ଜୁଲାଇ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର କାର୍ଗିଲରେ ଯୁଦ୍ଧ ହୋଇଥିଲା । ଅପରେସନ୍ ବିଜୟ ନାମରେ ବେଶ୍ ଜଣାଶୁଣା ଏହି କାର୍ଗିଲ୍ ଯୁଦ୍ଧ ।
ପାକିସ୍ତାନ ସେନା ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ସୀମା ଅତିକ୍ରମ କରି ଭାରତର କିଛି ଅଂଶ ଦଖଲ କରିବାକୁ ଚେଷ୍ଟା କରିଥିଲେ । ମାଟି ମାଆକୁ ରକ୍ଷା କରିବାକୁ ପାକ୍ ସେନାକୁ ଦୃଢ ଜବାବ ଦେଇଥିଲେ ଭାରତୀୟ ଯବାନ । ଏହି ଯୁଦ୍ଧରେ ପ୍ରାୟ 30 ହଜାର ଭାରତୀୟ ସୈନିକ ଏବଂ ପ୍ରାୟ 5000 ଅନୁପ୍ରବେଶକାରୀ ଜଡିତ ଥିଲେ । ଭାରତୀୟ ସେନା ଏବଂ ବାୟୁସେନା ପାକିସ୍ତାନ ଅଧୀନରେ ଥିବା କିଛି ଅଂଶ ଉପରେ ଆକ୍ରମଣ କରିଥିଲା । ଏହି ଯୁଦ୍ଧ ପାହାଡ ଭଳି ଉଚ୍ଚ ସ୍ଥାନରେ ହୋଇଥିବାରୁ ଭାରତୀୟ ସୈନିକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
କାର୍ଗିଲ ଯୁଦ୍ଧରେ ଭାରତ ଜିତିଲା, ବିଜୟ ବାନା ଉାଇଲା । ଏହି ଯୁଦ୍ଧ ହେତୁ ପାକିସ୍ତାନରେ ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ବୃଦ୍ଧି ପାଇଲା ଏବଂ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ଭାରତ ସରକାର ପ୍ରତିରକ୍ଷା ବଜେଟକୁ ଆହୁରି ବୃଦ୍ଧି କରିଥିଲେ। ଏହି ଯୁଦ୍ଧ ପରେ ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଛି ।
26 ଜୁଲାଇ 1999ରେ, ଭାରତ କାର୍ଗିଲ ଯୁଦ୍ଧରେ ଜିତିଲା । ଏହି ଦିନକୁ ପ୍ରତିବର୍ଷ ବିଜୟ ଦିବସ ଭାବରେ ପାଳନ କରାଯାଉଛି। ପ୍ରାୟ ଦୁଇମାସ ଧରି ଚାଲିଥିବା କାର୍ଗିଲ ଯୁଦ୍ଧ ହେଉଛି ଭାରତୀୟ ସେନାର ସାହସ, ବୀରତ୍ୱର ପରାକାଷ୍ଠା । ଯାହାକୁ ନେଇ ପ୍ରତିଟି ଭାରତୀୟ ଗର୍ବ କରନ୍ତି । ପ୍ରାୟ 18 ହଜାର ଫୁଟ ଉଚ୍ଚରେ କାର୍ଗିଲରେ ହୋଇଥିବା ଏହି ଯୁଦ୍ଧରେ ଦେଶ 527 ରୁ ଅଧିକ ସାହସୀ ଯବାନଙ୍କୁ ହରାଇଥିଲା । 1300 ରୁ ଅଧିକ ସୈନ୍ୟ ମଧ୍ୟ ଆହତ ହୋଇଥିଲେ ।
ବାସ୍ତବରେ ପାକିସ୍ତାନ ଏହି ଯୁଦ୍ଧକୁ 3 ମଇ 1999 ରେ ଆରମ୍ଭ କରିଥିଲା ଯେତେବେଳେ ଏହା 5000 ସୈନ୍ୟଙ୍କ ସହ କାର୍ଗିଲର ଉଚ୍ଚ ପାହାଡକୁ ଅନୁପ୍ରବେଶ କରି କବଜା କରିଥିଲା ପାକ୍ । ଯେତେବେଳେ ଭାରତ ସରକାର ଏହି ବିଷୟରେ ସୂଚନା ପାଇଲେ, ପାକ୍ ସୈନ୍ୟ ମାନଙ୍କୁ ଘଉଡାଇବା ପାଇଁ ସେନା ଅପରେସନ୍ ବିଜୟ ଆରମ୍ଭ କରିଥିଲା ।
ଭାରତୀୟ ବାୟୁସେନା ମଧ୍ୟ ପାକିସ୍ତାନ ବିରୋଧରେ ମିଗ -27 ଏବଂ ମିଗ -29 ବ୍ୟବହାର କରିଥିଲା। ଏହା ପରେ ପାକିସ୍ତାନ ଯେଉଁଠାରେ କବଜା କରିଥିଲା ସେଠାରେ ବୋମା ଫିଙ୍ଗି ଦିଆଯାଇଥିଲା। ଏହା ବ୍ୟତୀତ ପାକିସ୍ତାନର ଅନେକ ଟାର୍ଗେଟରେ ମିଗ୍ -29 ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଏହି ଯୁଦ୍ଧରେ ବହୁ ସଂଖ୍ୟକ ରକେଟ୍ ଏବଂ ବୋମା ବ୍ୟବହାର କରାଯାଇଥିଲା । ଯେଉଁ ଯୁଦ୍ଧକୁ ଭାରତ କେବେ ବି ଭୁଲିପାରିବନି ।