ନ୍ୟୁଜ 365 (ବ୍ୟୁରୋ): ବିକ୍ରି ପାଇଁ ଘରେ ଲୁଚେଇ ରଖିଥିଲେ କଲରାପତରିଆ ବାଘ ଓ ହରିଣ ଛାଲ। ଏସଟିଏଫ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁରର ଶ୍ରୀପଲ୍ଲୀ ଛକରେ ଚଢ଼ାଉ କରାଯାଇଛି । ରେଡ୍ ବେଳେ ୩ଟି କଲରାପତରିଆ ଛାଲ ସହ ୩ଟି ହରିଣ ଛାଲ ଜବତ କରିଛି ଏସଟିଏଫ୍ । ମାମଲାରେ ପୁଜିଲଡ଼ୁ ଗାଁର ଖଗେଶ୍ୱର ପଟେଲଙ୍କୁ ବନ୍ୟପ୍ରାଣୀ ଅପରାଧ ଆଇନରେ ଗିରଫ କରାଯାଇଛି । ତେବେ କଲରାପତରିଆ ଓ ହରିଣ ଛାଲ ଖଗେଶ୍ୱର କେଉଁଠୁ ଆଣିଲେ ? ନିଜେ ଶିକାର କରିଥିଲେ ନା ଆଉ କିଏ ଶିକାର କରିଛି ? ସେନେଇ ଏସଟିଏଫ୍ ଓ ପୋଲିସ ଖଗେଶ୍ୱରଙ୍କୁ ପଚରାଉଚରା କରୁଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ଖଗେଶ୍ୱରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି । ଖଗେଶ୍ୱରଙ୍କ ବିରୋଧରେ ଏସଟିଏଫ୍ ମାମଲା ରୁଜୁ କରିବା ସହ ଆଇପିସି ଧାରା ୩୭୯/୪୧୧/୧୨୦(ବି) ଓ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ୍ ୧୯୭୨ର ସେକ୍ସନ୍ ୫୧ରେ ମାମଲା ରୁଜୁ କରିଛି । ଜବତ ଛାଲର ଯାଞ୍ଚ ପାଇଁ ପଠାଯିବ ଡେରାଡୁନ୍ ସ୍ଥିତ ଡବ୍ଲୁଆଇଆଇକୁ ।