ନ୍ୟୁଜ 365 (ବ୍ୟୁରୋ): କାରଗିଲ୍ ଯୁଦ୍ଧକୁ ବିତିଗଲାଣି 23ବର୍ଷ । ହେଲେ ଆଝି ବି ସେ କଥା ମନେ ପଡିଗଲେ ଆଖିରୁ ଝରିପଡୁଛି ଅଶ୍ରୁ । ବୁକୁଫଟାଇ ଚିତ୍କାର କରୁଛି ବିଧବା ମାଆ। ବାଉଳିଚାଉଳି ହୋଇ ସ୍ୱାମୀକୁ ଖୋଜୁଛି ବିଧବା ସ୍ତ୍ରୀ । ଅନେକ କିଛି ବଦଳିଛି ସତ, ହେଲେ ଆଜିଯାଏ ଭାରତର କୋଟି କୋଟି ଜନତା ପାକିସ୍ତାନର ବିଶ୍ୱାସଘାତକତାକୁ ଭୁଲି ନାହାଁନ୍ତି। ଦେଶ ପାଇଁ ଜୀବନ ଦେଇଥିବା ସେହି ବୀର ଯବାନଙ୍କୁ ଆଜି ବି ଝୁରୁଛି ସାରା ଦେଶ । କାର୍ଗିଲ ଯୁଦ୍ଧ ଆମର ସଶସ୍ତ୍ର ବାହିନୀର ଅସାଧାରଣ ବୀରତ୍ୱ, ପରାକ୍ରମ ଏବଂ ନିଷ୍ଠାର ପ୍ରତୀକ। ଭାରତ ମାତାର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସେହି ସମସ୍ତ ବୀର ଯବାନଙ୍କୁ କେବେ ବି ଭୁଲିପାରିବନି ଭାରତ । ସମସ୍ତ ଦେଶବାସୀ ଏହି ଯବାନ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନିକଟରେ ସର୍ବଦା ଋଣୀ ରହିବେ। ତାଙ୍କର ପରାକ୍ରମକୁ ଯେତେ ପ୍ରଂଶସା କଲେ ମଧ୍ୟ ତାହା କମ୍ ।
ମାତୃଭୂମିକୁ ରକ୍ଷା କରିବାରେ ପରାକ୍ରମର ପରାକାଷ୍ଠା ପ୍ରଦର୍ଶନ କରିଥିବା ସମସ୍ତେ ଜଣେ ଜଣେ ବୀରପୁତ୍ର । କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା। ୫ ହଜାର ସୈନ୍ୟଙ୍କୁ କାରଗିଲ ପାହାଡ଼ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ। ଭାରତୀୟ ସେନା ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେଶନ ବିଜୟ। ଯୁଦ୍ଧରେ ଭାରତର ୫୨୭ ଜଣ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ। ଭାରତୀୟ ବାୟୁସେନାର ମିଗ୍ ୨୭, ମିଗ୍ ୨୯ରୁ ଶତ୍ରୁ ଶିବିର ଉପରେ ହୋଇଥିଲା ବୋମାମାଡ଼ । ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ୱୀକାର କରିଥିଲା ପାକିସ୍ତାନ ।
ଭାରତୀୟ ବାୟୁସେନାର ମିଗ୍-୨୭, ମିଗ୍-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ କରିଥିଲା ବୋମାମାଡ଼। କାରଗିଲ୍ ଯୁଦ୍ଧରେ ଓଡ଼ିଶାରୁ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, କ୍ୟାପଟେନ୍ ବିକ୍ରମ ବାତ୍ରା, ରାଇଫଲମ୍ୟାନ୍ ସଞ୍ଜୟ କୁମାର, ଗ୍ରେନେଡ଼ିୟର ଯୋଗେନ୍ଦ୍ର ସିଂ ଯାଦବ ଆଦି ଅନେକ ଭାରତୀୟ ଯବାନ ସହିଦ ହୋଇଥିଲେ। କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଓଡ଼ିଆ ଯବାନମାନେ ହେଲେ ମେଜର ପଦ୍ମପାଣି ଆଚାର୍ଯ୍ୟ, ଗୋପିନାଥ ମହାରଣା, ରାଜକିଶୋର ସାହୁ, ଲାନ୍ସ ନାଏକ, ରାମ କୁମାର ପ୍ରଧାନ, ସଚ୍ଚିଦାନନ୍ଦ ମଲ୍ଲିକ, ମାନସ ରଞ୍ଜନ ସାହୁ, ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ, ସରଜିଆଣ୍ଟ ରାଜ କିଶୋର ସାହୁ, ଶ୍ରୀନିବାସ ପାତ୍ର, ସିଗନାଲ ମ୍ୟାନ ରଞ୍ଜନ ସାହୁ, ଗଙ୍ଗାରାମ ଦାସ, ବିଧୁରାମ, ନିରଞ୍ଜନ।
ଏମାନଙ୍କ ମଧ୍ୟରେ ନିରଞ୍ଜନ ବେହେରାଙ୍କ କାହାଣୀ ଟିକେ ଅଲଗା ଥିଲା। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ପାନଗୁଡ଼ାଗାଁରେ ତାଙ୍କ ଘର। ମାଟ୍ରିକ ପରେ ମାତ୍ର ୧୬ ବର୍ଷ ବୟସରେ ଘରୁ ଲୁଚି ସେ କାହାକୁ ନଜଣାଇ ସେନାବାହିନୀରେ ଯୋଗଦେଇଥିଲେ । ଦୀର୍ଘ ୧୨ବର୍ଷ ଧରି ପଞ୍ଚମ ପାରା ରେଜିମେଣ୍ଟରେ କାମ କରିଥିଲେ ନିରଞ୍ଜନ। ୧୯୯୯ ମସିହା ଜୁଲାଇ ୨୧ରେ ଘର ଲୋକ ନିରଞ୍ଜନଙ୍କ ଚିଠି ପାଇ ଜାଣିବାକୁ ପାଇଥିଲେ ତାଙ୍କ ପୁଅ ଭାରତୀୟ ସେନାରେ ଅଛନ୍ତି। ଠିକ୍ ସେହି ବର୍ଷ ଓ ସେହି ମାସ ୨୩ ତାରିଖରେ ପୁଣି ଘର ଲୋକଙ୍କୁ ଖବର ଯାଇଥିଲା ଯେ ନିରଞ୍ଜନ କାରଗିଲ ଯୁଦ୍ଧରେ ସହିଦ ହୋଇଛନ୍ତି।
ପ୍ରାୟ ୨ମାସ ଧରି ଚାଲିଥିଲା କାରଗିଲ ଯୁଦ୍ଧ। ଏଥିରେ ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ମଧ୍ୟରେ କୋଡ଼ିଏ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡର ଅଫିସର, ୪୭୫ ଯବାନ ଥିଲେ। ପାଖାପାଖି ୧ହଜାର ୭୦୦ ଜଣ ଯବାନ ଯୁଦ୍ଧରେ ଆହତ ହୋଇଥିଲେ। ଏହି ଯୁଦ୍ଧ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢ଼ିଯାଇଥିଲା । ଯାହାର ପରିସମାପ୍ତି ଆଜି ପର୍ଯ୍ୟନ୍ତ ଘଟିନାହିଁ । ଲାହୋର ଚୁକ୍ତିକୁ ଭାଂଗି ପାକିସ୍ତାନ ଅନୁପ୍ରବେଶ କରିଥିବାରୁ ପାକିସ୍ତାନକୁ ବିଶ୍ବାସ କରିପାରୁନାହିଁ ଭାରତ ।