ନ୍ୟୁଜ 365 (ବ୍ୟୁରୋ): ପାକ୍ ସୀମା ଡେଇଁ ଭାରତକୁ ଆସିଥିବା ସୀମାଙ୍କୁ ନେଇ ଉଠୁଛି ପଡୁଛି ଦେଶ। ଚାରିଆଡେ ସୀମାଙ୍କୁ ନେଇ ଜାରି ରହିଛି ଚର୍ଚ୍ଚା । ଭଲପାଇବା, ପ୍ରେମ ନା ଏ ପ୍ରେମ କାହାଣୀ ଭିତରେ ଲୁଚି ରହିଛି ଷଡଯନ୍ତ୍ର ତାହାକୁ ନେଇ ଚାଲିଛି ତନାଘନା। ଦେଶର ସୁରକ୍ଷା ବଳୟକୁ ଭେଦ କରି ଭାରତ ମାଟିରେ ପାଦ ଥାପିଥିବା ସୀମାଙ୍କୁ ନେଇ ଉଠିଛି ଦେଶର ସୁରକ୍ଷା ପ୍ରଶ୍ନ । ତେବେ ଏମିତି ନୁହେଁ, କି ପୂର୍ବରୁ କେହି ଭାରତୀୟ ପାକିସ୍ତାନୀ ପ୍ରେମରେ ପଡିନାହିଁ କି କେଉଁ ପାକିସ୍ତାନୀ ଭାରତୀୟଙ୍କ ପ୍ରେମରେ ପଡିନାହାଁନ୍ତି । ପ୍ରେମ ହୋଇଛି ପୁଣି ବିବାହ ବି ହୋଇଛି । ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି କିନ୍ତୁ କେବେ ବିବାଦ ଏତେମାତ୍ରାରେ ଘନେଇନି । ମାତ୍ର ପଞ୍ଚମ ଯାଏ ପାଠ ପଢିଛି ବୋଲି ଦର୍ଶାଇଥିବା ସୀମା ମୁହଁରୁ ସତ ଉଗାରିବାକୁ ଏଟିଏସକୁ ଲାଗିଲାଣି ପାଞ୍ଚ ଦିନ । କିନ୍ତୁ ଏବେଯାଏ ସୀମା ସତକହୁଛି କି ନାହିଁ ତାର କିଛି ସ୍ପଷ୍ଟ ପ୍ରମାଣ ମିଳୁନି । ସୀମା ସଚିନଙ୍କ ପ୍ରେମରେ ନୁହଁ ବରଂ ଭାରତକୁ ଆସିବାର ଉଦେଶ୍ୟ କିଛି ଅଲଗା । କାରଣ ସୀମାର କଥାବାର୍ତାରେ ରହୁନି ତାଳମେଳ । ଏକ ଘରୋଇ ଗଣମାଧ୍ୟମରେ ଦେଶର ଜଣାଶୁଣା ଜାସୁସ ସଞ୍ଜିବ ଦେଶଓ୍ବାଲଙ୍କ କହିବା ଅନୁଯାୟୀ ସୀମାର ଭାରତ ଆସିବା ଆଗାମୀ ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ । ଆଗାମୀ ଦିନରେ ରହିଛି ନିର୍ବାଚନ ।
ସୀମା ହାଇଦର ଭାରତକୁ ଆସିବା କୈାଣସି ବଡ ଷଡଯନ୍ତ୍ରରୁ କମ୍ ନୁହେଁ । ଖାଲି ସେତିକି ନୁହେଁ ବରଂ ଦେଶଓ୍ବାଲଙ୍କ କହିବା ମୁତାବକ ଦେଶର ସମସ୍ତ ଗଣମାଧ୍ୟମ ସାମ୍ନାରେ ପ୍ରେମ କାହାଣୀକୁ ନେଇ ମୁହଁ ଖୋଲିଛି କେବଳ ସୀମା । ମୋବାଇଲରେ ପବଜି ଖେଳୁ ଖେଳୁ ପ୍ରେମ ହେବା ଆଉ ନିଜର ସ୍ବାମୀଙ୍କୁ ଛାଡି ଚାରୋଟି ଛୁଆଙ୍କୁ ଧରି ପାକିସ୍ତାନରୁ ଭାରତ ପଳାଇ ଆସିବା ବଡ ବିଚିତ୍ର ଲାଗୁଛି। ମିଡିଆ ସାମ୍ନାରେ ଏତେ ସ୍ପଷ୍ଟ ବୟାନବାଜି ଦର୍ଶାଉଛି, ସେ କେବେ ବି ନିରିହ ନୁହେଁ। ସବୁଆଡୁ ବଡ ପ୍ରଶ୍ନ ରଙ୍ଗ ବଦଳାଉଥିବା ଏ ସୀମା ଚାହୁଁଛି କଣ । ନିଜ ସ୍ବାମୀ ଦ୍ବାରା ନିର୍ଯାତିତା, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଏବଂ 4ଟି ଛୁଆର ମାଆ ପକ୍ଷେ କେବେ ବି ସମ୍ଭବପର ନୁହେଁ କି ସେ ନିଜେ ତିନୋଟି ପାସପୋର୍ଟ ତିଆରି କରିପାରିବ । ଏହାବ୍ୟତିରେକ ସ୍ପଷ୍ଟ ଭାବରେ ଇଂରାଜୀ ଓ ହୀନ୍ଦି କହିବା ଜଣେ ଅଭିଜ୍ଞ ବା ତାଲିମପ୍ରାପ୍ତ ମହିଳାଙ୍କ କ୍ଷେତ୍ରରେ ହିଁ ସମ୍ଭବ । ସବୁଠାରୁ ବଡ କଥା ହେଉଛି ସୀମାର ବଡଭାଇ ପାକିସ୍ତାନ ସେନାରେ କାର୍ଯ୍ୟରତ । ଯାହା ସନ୍ଦେହ ସୃଷ୍ଟି କରୁଛି ଯେ, ସୀମା ଭାରତ ଆସିବା ପଛରେ କିଛି ଭିନ୍ନ ଉଦ୍ଦେଶ୍ୟ ରହିଛି । ତେବେ ପ୍ରେମ ନାଁରେ ସୀମା କେଉଁ ଖେଳ ଖେଳିବାକୁ ଚାଲ ଚଳାଇଛି ଖୁବଶୀଘ୍ର ତାହାର ଗୁମର ଖୋଲିବ ଏଟିଏସ୍ ।