ନ୍ୟୁଜ 365 (ବ୍ୟୁରୋ): ଗତ ଦେଢ ମାସ ଧରି ରେଳ ରେଳ ବିଭାଗ ଦୁର୍ଦ୍ଦିନ ଦେଇ ଗତିକରୁଛି। କେତେବେଳେ ଟ୍ରେନ ମେନ ଲାଇନ ଛାଡ଼ି ଲୁପ ଲାଇନରେ ପଳାଇଯାଉଛି ତ କେତେବେଳେ ଟ୍ରାକରୁ ଖସିଯାଉଛି ଇଞ୍ଜିନ୍। ପୁଣି କେତେବେଳେ ୱାଗନ୍ ଛାଡ଼ି ଇଞ୍ଜିନ୍ ପଳାଉଛି ପୁଣି କେତେବେଳେ ଟ୍ରେନରେ ଲାଗି ଯାଉଛି ନିଆଁ। ବାହାନଗା ଟ୍ରେନ ଟ୍ରାଜେଡି ପରଠୁ ପ୍ରତ୍ୟେକ ସପ୍ତାହ କିଛିନା କିଛି ଦୁର୍ଘଟଣା ଘଟୁଛି। ଏହି କ୍ରମରେ ଆଜି ଏକ କୋଇଲା ବୋଝେଇ ମାଲବାହୀ ଗାଡ଼ିର ଇଞ୍ଜିନ୍ ୱାଗନକୁ ଛାଡ଼ି ପଳାଇଛି । ସପ୍ତାହକ ମଧ୍ୟରେ ଏଭଳି ଦ୍ୱିତୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲବାହୀ ଗାଡ଼଼ି ୱାଗନକୁ ଛାଡ଼ି ୨ କିଲୋମିଟର ପଳାଇଛି ।
ସୂଚନା ଅନୁସାରେ, କୋଇଲା ବୋଝେଇ ମାଲବାହୀ ଟ୍ରେନଟି ଧାମରାରୁ ବାହାରିଥିଲା । ତେବେ ସୋର ଷ୍ଟେସନ ନିକଟରେ କିଛି ୱାଗନ ଇଞ୍ଜିନ ଠାରୁ ଅଲଗା ହୋଇ ଯାଇଥିଲା । ଆଉ ଇଞ୍ଜିନଟି ୨ କିଲୋମିଟର ଯିବା ପରେ ଲୋକ ପାଇଲଟ୍ ଜାଣି ପାରିଥିଲେ ୱାଗନ ପଛରେ ରହି ଯାଇଛି । ଏହା ପରେ ଇଞ୍ଜିନ୍ ପଛକୁ ଫେରିବା ସହ ପୁଣି ଥରେ ୱାଗନକୁ ସଂଯୋଗ କରି ଆଗକୁ ବଢ଼ିଛି । ଏହା ପୂର୍ବରୁ ଗତ ୧୫ ତାରିଖରେ ଭୁବନେଶ୍ୱରର ବାଣୀବିହାର ଷ୍ଟେସନରେ ଏକ ମାଲବାହୀ ଟ୍ରେନର ଇଞ୍ଜିନ୍ ୱାଗନକୁ ଛାଡ଼ି ମଞ୍ଚେଶ୍ୱର ଷ୍ଟେସନ ଯାଏ ପଳାଇଥିଲା । ତେବେ ବାରମ୍ବାର ରେଳ ବିଭାଗରେ ଏଭଳି ଦୁର୍ଦ୍ଦଶା କାହିଁକି ବୋଲି ପ୍ରଶ୍ନ ଉଠୁଛି।