ନ୍ୟୁଜ 365 (ବ୍ୟୁରୋ) : ଆମ ରାଜ୍ୟରେ ରହିଛି ଅନେକ ଶକ୍ତିପୀଠ ଯେଉଁ ପୀଠ ଗୁ଼ଡିକର ରହିଛି ଅନେକ ମାହାତ୍ମ୍ୟ । ସେଥିମଧ୍ୟରୁ ସ୍ୱତନ୍ତ୍ର ହେଉଛି ଜଗତସିଂହପୁର ଜିଲ୍ଲାରେ ଝଙ୍କଡବାସୀନି ମା ଶାରଳାଙ୍କ ପୀଠ । ଏହି ମନ୍ଦିରର ରହିଛି ଅନେକ ଇତିହାସ । ସାରଳା ମହାଭାରତରେ ଏହି ଝଙ୍କଡ଼କୁ ଜଙ୍ଗେର ବା ଜଙ୍ଗେରପୁର ବୋଲି କୁହାଯାଏ । ବିଶେଷ କରି ସେହି ଅଞ୍ଚଳରେ ଯକ୍ଷ ବା ଜଙ୍ଖମାନେ ବସବାସ କରୁଥିଲେ । ତେଣୁ ଜଙ୍ଗେeମାନେ ରହୁଥିବା ଅଞ୍ଚଳକୁ ଜଙ୍ଗେରପୁର କୁହାଯାଉଥିବା ଜଣାପଡିଛି । ସେତେବେଳେ ବୃଦ୍ଧା ଏବଂ ଚନ୍ଦ୍ରଭାଗା ଦୁଇଟି ନଦୀ ଶାରଳା ଠାକୁରାଣୀଙ୍କ ବିଜେସ୍ଥଳୀର ଉତ୍ତର ଦକ୍ଷିଣରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଥିଲେ । ସେହି ବୃଦ୍ଧନଦୀ ଏବେ ବୁଢ଼ାନଈ ଭାବରେ ପରିଚିତ । ସାରଳା ଦାସ ତାଙ୍କ ପୁରାଣରେ ଶାରୋଳ ଗ୍ରାମରେ ଶାରଳାପୀଠ ଅବସ୍ଥିତ ବୋଲି କହିଛନ୍ତି । ବର୍ତ୍ତମାନ ଝଙ୍କଡ଼ ପ୍ରଗଣାରେ ବଡ଼ ଶାରୋଳ ଓ ସାନ ଶାରୋଳ ନାମରେ ଦୁଇଟି ଗାଁ ରହିଛି । ସେହି ଗ୍ରାମ ନିକଟରେ ପୂର୍ବେ ଶାରଳା ଠାକୁରାଣୀଙ୍କ ମନ୍ଦିର ରହିଥିଲା ।
ଓଡ଼ିଆ ଭାଷାର ପ୍ରଥମ କବି ହେଉଛନ୍ତି ସାରଳା ଦାସ । ତାଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ଚଣ୍ଡୀପୁରାଣରେ ଓଡ଼ିଶାର ଆଠଟି ତନ୍ତ୍ରପୀଠର ନାମ ଉଲ୍ଲେଖ କରିଛନ୍ତି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଏକ ପ୍ରାଚୀନ ତାଳପତ୍ର ପୋଥିରେ ଅଷ୍ଟଚଣ୍ଡୀଙ୍କ ନାମ ବର୍ଣ୍ଣନା ଅନୁଯାୟୀ ଝଙ୍କଡ଼ର ଶାରଳା, କାକଟପୁରର ମଙ୍ଗଳା, କୋଣାର୍କର ରାମଚଣ୍ଡୀ , ପୁରୀର ବିମଳା, ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ତାଳଚେରର ହିଙ୍ଗୁଳା ଓ ଭୁବନେଶ୍ୱରର ଗୌରୀ ହେଉଛନ୍ତି ଅଷ୍ଟତନ୍ତ୍ରପୀଠର ଅଷ୍ଟଦେବୀ । କିନ୍ତୁ ପରବର୍ତ୍ତୀ କାଳରେ ଧବଳଗିରି ନିବାସୀ ବାଳକବି ଭଗବତୀ ଜଣାଣରେ ଯେଉଁ ଅଷ୍ଟଚଣ୍ଡୀଙ୍କ ନାମ ଉଲ୍ଲେଖ କରିଛନ୍ତି, ସେଥିରେ ଭୁବନେଶ୍ୱରର ଗୌରୀ, ତାଳଚେରର ହିଙ୍ଗୁଳା ଓ କୋଣାର୍କର ରାମଚଣ୍ଡୀଙ୍କ ନାମ ବଦଳରେ ସମ୍ବଲପୁରର ସମଲାଇ, ବାଣପୁରର ଭଗବତୀ ଓ ଚଣ୍ଡୀ ସମ୍ଭବତଃ ଚିତ୍ରୋତ୍ପଳା ଓ ଲୁଣାନଦୀ ମଧ୍ୟରେ ଥିବା ହରଚଣ୍ଡୀଙ୍କୁ ବର୍ଣ୍ଣନା କରିଛନ୍ତି ।
କେଦାରନାଥ ମହାପାତ୍ର ତାଙ୍କ ଲିଖିତ ଖୋରଧାର ଇତିହାସରେ ଲେଖିଛନ୍ତି, ସେଠାରେ ଥିବା ଶାରଳା ମନ୍ଦିର ୧୬୮୬ ମସିହାରେ ମୁସଲମାନମାନେ ଭାଙ୍ଗିନେଇ ସେହି ମନ୍ଦିରର ପ୍ରାୟ ମାଇଲିଏ ପଶ୍ଚିମକୁ ଏକ ମସଜିଦ ନିର୍ମାଣ କରିଛନ୍ତି । ବର୍ତ୍ତମାନ ସେଠାରେ ଗଣେଶଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । ଯାହାକୁ ବର୍ତ୍ତମାନ ଲୋକମାନେ ନଣ୍ଡା ଦେଉଳ ବୋଲି କହୁଛନ୍ତି । ସାରଳା ଦାସ ତାଙ୍କ ଗ୍ରନ୍ଥର ବିଭିନ୍ନ ସ୍ଥାନରେ ଶାରଳାଙ୍କୁ ପରମ ବୈଷ୍ଣବୀ ବୋଲି କହିଛନ୍ତି । ତାହା ସତ୍ତ୍ୱେ ତାଙ୍କ ଲିଖିତ ମହାଭାରତର ବହୁ ସ୍ଥାନରେ ସେ ଶାରଳାଙ୍କୁ ମଦ ମାଂସରେ ତୃପ୍ତି ବା ଶୋଣିତ ଦର୍ଶନେ ତୃପ୍ତି ବୋଲି ଲେଖିଛନ୍ତି । ସାରଳା ଦାସଙ୍କ ସମୟକୁ ଓଡ଼ିଶାର ରାଜା କପିଳେଶ୍ୱର ବା କପିଳେନ୍ଦ୍ର ଶକ୍ତିଙ୍କ ମହାତ୍ମ୍ୟ ଉପଲବ୍ଧି କରିଥିବା ଇତିହାସରୁ ଦେଖାଯାଏ । ସେଥିପାଇଁ କବି ସାରଳା ଦେବୀ ଶାରଳାଙ୍କ ଅନୁଗ୍ରହରୁ ଶକ୍ତିକୁ ମୂଳ କରି ଗ୍ରନ୍ଥ ରଚନା କରି[òଲେ । ଭାରତର ମୂଳ ତନ୍ତ୍ରଭୂମି ଓଡ଼ିଶା ବୋଲି ଯାହା ଜଣାପଡୁଛି । ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ଠାରେ ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳେ । ଏହି ମନ୍ଦିରରେ ମା’ଙ୍କ ପୂଜାରେ ବେଲ ଓ ତୁଳସୀ ପତ୍ର ବ୍ୟବହୃତ ହୁଏ, ଯାହା କି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ , କାରଣ ବେଲପତ୍ର ଓ ତୁଳସୀ ପତ୍ର ହିନ୍ଦୁଧର୍ମରେ ଦୁଇଟି ଭିନ୍ନ ସଂସ୍କୃତିର ପ୍ରତୀକ । ଦେବୀଙ୍କ ପ୍ରତିମା ଗଠନକୁ ଦେଖିଲେ, ମନେହୁଏ ବୌଦ୍ଧ ତାନ୍ତ୍ରିକ ପ୍ରତିମୂର୍ତ୍ତି ହୋଇଥାଇ ପାରେ । କାରଣ ଦେବୀ ହାତରେ ବୀଣା ଓ ଘଣ୍ଟି ଧରିଛନ୍ତି । ମା’ଶାରଳାଙ୍କୁ ବାକ୍ ଦେବୀ ମଧ୍ୟ କୁହାଯାଏ, ଯିଏ ବିଦ୍ୟା ଓ ବୁଦ୍ଧିର ଦେବୀ ।
୧୫୬୮ ଖ୍ରୀଷ୍ଟାବ୍ଦର ଶେଷ ହିନ୍ଦୁ ଶାସନ ପର୍ଯ୍ୟନ୍ତ ମା’ଶାରଳା ଏହି ମନ୍ଦିରରେ ପୂଜା ପାଉଥିଲେ । ଇତିହାସ, ସଂସ୍କୃତି, କିମ୍ବଦନ୍ତୀ ଓ ସାହିତ୍ୟ ସାରୋଳା ଗ୍ରାମରେ ସାରୋଳା ଚଣ୍ଡୀ ରହିଥିବାର ମୁକସାକ୍ଷୀ ଥିଲେ । ଭାଙ୍ଗିଯାଇଥିବା ମନ୍ଦିର ପାଖରେ ଏକ ବୃହତ ପୁଷ୍କeòଣୀ ଥିଲା ଓ ଏହାର ଚାରିପାଖରେ ପୂଜକ ବାସ କରୁଥିଲେ । ଆଉମଧ୍ୟ ସେଠାରେ ଗୋଟିଏ ବୃହତ ବରଗଛ ଥିଲା, ଓଡ଼ିଆ ମହାଭାରତରେ ‘ନୀଳକଳ୍ପବଟ’ ରୂପେ ବର୍ଣ୍ଣିତ ହୋଇଛି, ତାହା ୧୯୯୯ ମସିହା ମହାବାତ୍ୟାରେ ଉପୁଡି ପଡ଼ିଲା । ଅଷ୍ଟମ ଶତାବ୍ଦୀର ଭୌମବଂଶର ଶାସନ ସମୟରେ ମନ୍ଦିରଟି ସ୍ଥାପିତ ହୋଇଥିଲା; ୧୫୬୮ ଖ୍ରୀଷ୍ଟାବ୍ଦୀର ଶେଷ ହିନ୍ଦୁଶାସନ ପର୍ଯ୍ୟନ୍ତ ସମୃଦ୍ଧିଲାଭ କରିଥିଲା । କିମ୍ବଦନ୍ତୀ ରୂପେ ଯାହାକୁ ଐତିହାସିକ ତଥ୍ୟ ସମର୍ଥନ କରେ, ୧୫୬୮ ଖ୍ରୀଷ୍ଟାବ୍ଦରେ, ବଙ୍ଗଦେଶ ସୁଲତାନ ସୁଲେମାଙ୍କରନିଙ୍କର ସେନାପତି କଳାପାହାଡ ମୁସଲମାନ ସୈନ୍ୟମାନଙ୍କ ସହିତ ସାରୋଳା ଗ୍ରାମରେ ଥିବା ସାରୋଳା ଚଣ୍ଡୀଙ୍କ ଆଦିପୀଠକୁ ଆକ୍ରମଣ କଲେ, ଏହାର ଅତି ପ୍ରସିଦ୍ଧ ଶକ୍ତିପୀଠକୁ ଆଂଶିକଭାବେ ନଷ୍ଟ କରିଦେଲେ । ହେଲେ ମାଙ୍କର କିଛି କ୍ଷତି କରିପାରିନଥିଲେ û କାରଣ ମା ଶାରଳା ଜଣେ ମହିଳା ବେଶରେ ପାଣିଆଣିବûକୁ କହି ଚାଲିଯାଇଥିଲେ । ଆଉ କଳାପାହାଡ ତାଙ୍କର କିଛି କ୍ଷତି କରିପାରିନଥିଲା। ଉକ୍ତ ମନ୍ଦିରକୁ ୧୯୮୨ ମସିହାରେ ନୂତନଭାବେ ନିର୍ମାଣ କରାଯାଇଥିଲ । ପଣା ସଂକ୍ରାନ୍ତିରେ ଝାମୁଯାତ୍ରା ହୁଏ; ରାଉଳମାନେ ନିଆଁ ଉପରେ ଚାଲନ୍ତି ଆଉ ପଣ୍ଡା ପୂଜକଙ୍କ ଦ୍ୱାରା ଦେବୀଙ୍କୁ ପଇଡ ଅର୍ପଣ କରାଯାଏ । ବର୍ତ୍ତମାନର ମନ୍ଦିରଟି ମରହଟ୍ଟା ଶାସନ କାଳରେ ୧୭୫୩ ଓ ୧୮୦୩ ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ବର୍ତ୍ତମାନର ମନ୍ଦିରଟି କନକପୁର ଗ୍ରାମର ଝଙ୍କଡରେ ଅବସ୍ଥିତ ।