ନ୍ୟୁଜ 365 (ବ୍ୟୁରୋ): ଦିନକୁ ଦିନ ଦଳୀୟ ନିୟନ୍ତ୍ରଣ ହରାଉଛି ରାଜ୍ୟ କଂଗ୍ରେସ। ଦଳରେ ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଭାରୀ ନିଯୁକ୍ତ ହେଉଛନ୍ତି, ସଭାପତି ବି ବଛାଯାଉଛି ହେଲେ ଦଳୀୟ କର୍ମୀଙ୍କ ମଧ୍ୟରେ କମିବା ବଦଳରେ ବଢିଚାଲିଛି ବିଶୃଙ୍ଖଳା । ଯିଏ ଯେତେବେଳେ ଚାହୁଁଛି ଗଣମାଧ୍ୟମ ଓ ସଭାସମିତିରେ ଦଳୀୟ ଖୁଣ ଖୋଳିବାକୁ ବି ପଛାଉନି। କେତେବେପଳେ କଂଗ୍ରେସ ଭବନରେ ଖଣ୍ଡା ବୁଲୁଛି ତ କେତେବେଳେ ପଶୁଛନ୍ତି ଭଡ଼ାଟିଆ ଗୁଣ୍ଡା। ଏଭଳି ଅଭିଯୋଗ ବାରମ୍ବାର ଆସୁଥିଲେ ହେଁ ଏହାର ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର ନଜିର ନାହିଁ। ଯଦି ବା କେବେ କେମିତି ଦଳ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ପରବର୍ତ୍ତୀ ସମୟରେ ନିଜ ପାଇଁ ବୁମେରାଂ ହେଉଛି। ଏହି କ୍ରମରେ ଦଳର ୨ ବରିଷ୍ଠ ଓ ଅନୁଭବି ନେତା ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଦଳରୁ ନିଲମ୍ବିତ ହେବା ପରେ ଯେଉଁ ଝଡ଼ ଆରମ୍ଭ ହୋଇଥିଲା ତାହା ଶାନ୍ତ ପଡ଼ିବା ବଦଳରେ ଧିରେ ଧିରେ ସାଇକ୍ଲୋନର ରୂପ ନେଉଛି। ଏହାର ପ୍ରତିକାର ସ୍ବରୁପ କାଲି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଘରେ ବସିଥିଲା ଶୃଙ୍ଖଳ କମିଟି ବୈଠକ । ଏହି ବୈଠକରେ ଅନ୍ୟାନ୍ୟ ନେତା ମଧ୍ୟ ଯୋଗ ଦେଇଥିଲେ । ହେଲେ ଆଜି ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବଙ୍କ ସମର୍ଥକ ଆଜି କଂଗ୍ରେସ ଭବନ ଭିତରେ ଧସେଇ ପଶି ହୋ ହାଲା କରିଛନ୍ତି । ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ନିଲମ୍ବିତ ନେତାଙ୍କ ସମର୍ଥକ ନାରାବାଜି କରିଛନ୍ତି । ଏମିତିକି ଆଗାମୀ ଦିନରେ ଅଣ୍ଡାମାଡ କରିବେ ବୋଲି ଚେତାବନୀ ଦେଇଛନ୍ତି । ଗତକାଲି ଏହି ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଶୃଙ୍ଖଳା କମିଟି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୋକିମ ଏବଂ ଚିରଞ୍ଜୀବଙ୍କୁ ନିଲମ୍ବନ ପରେ ତାଙ୍କ ସମର୍ଥକ ବିଭିନ୍ନ ଫୋରମରେ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି ।
ରାଜ୍ୟ ତଥା ଦେଶର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ହୋହଲ୍ଲା କରିବା ବଦଳରେ ନେତୃତ୍ବରେ କନ୍ଦଳ ହେତୁ ଦଳର କର୍ମୀମାନେ ନିଜ ନିଜ ଭିତରେ ଲଢେଇ କରୁଛନ୍ତି। ଦଳର ଏହିସବୁ ଅନ୍ତଃକନ୍ଦଳ ଦେଖି ଯାହା ପ୍ରତୀତ ହେଉଛି କଂଗ୍ରେସ ମୁଖ୍ୟ ବିରୋଧି ହେଉଛି ନିଜେ କଂଗ୍ରେସ। ଆଉ କଂଗ୍ରେସ ନିଜ ଅସ୍ତିତ୍ବ ପାଇଁ ନିିଜେ ନିଜ ସହ ହିଁ ଲଢୁଛି। ଆଗରୁ ଏମିତି ଅନେକ ଘଟଣା ଘଟିସାରିଛି ଦଳରେ। ତେବେ ଏସବୁର ଅନ୍ତ ଘଟାଇ କଂଗ୍ରେସ କେବେ ଅଣ୍ଟା ସଳଖେଇବ ସେହି ଦିନକୁ ହିଁ ଅପେକ୍ଷେ।