ନ୍ୟୁଜ 365 (ବ୍ୟୁରୋ): ପାକିସ୍ତାନି ଏଜେଣ୍ଟ କୁହାଯାଉଥିବା ସୀମା ହାଇଦରର ପ୍ରେମ କାହାଣୀ ଏବେ ରୋଚକ ମୋଡ଼ ନେଇଛି। ସୀମାଙ୍କ ଭାରତୀୟ ଚେହେରା ଓ ଚଳଣି ପଛରେ ବଡ଼ ରହସ୍ୟ ଲୁଚି ରହିଥିବା କହିଛି ଭାରତୀୟ ଗୁଇନ୍ଦା ସଂସ୍ଥା ଆଇବି। ସୀମା ସଚିନ ମୀଣାଙ୍କୁ ବିବାହ କରିବା ପରେ ଭାରତୀୟ ଗ୍ରାମୀଣ ମହିଳାଙ୍କ ପରି ଶାଢ଼ି ପିନ୍ଧି ଚଳିବା, ନିଷ୍ଠାବାନ୍ ହିନ୍ଦୁଙ୍କ ପରି ପୂଜା ପାଠ କରିବା ଆଦି ସୁସଂଯୋଜିତ କାର୍ଯ୍ୟକ୍ରମ ବୋଲି ଜଣାପଡିଛି । ଗୁଇନ୍ଦା ବିଭାଗ ଆଇବିର ସୂଚନା ଅନୁସାରେ, ମାନବଚାଲାଣ ଓ ବେଶ୍ୟାବୃତ୍ତିରେ ଲିପ୍ତ ମହିଳା ଓ ଘରୋଇ କାମବାଲି ଆଦି ରୂପରେ ନେପାଳ ସୀମା ଅତିକ୍ରମ କରି ଭାରତକୁ ଆସିଛି ସୀମା ହାଇଦର। ସେ ଭଲ ଇଂରାଜୀ କହିବାରେ ମଧ୍ୟ ଦକ୍ଷ ଯାହା ଗୁଇନ୍ଦା ଅଧିକାରୀଙ୍କୁ ସନ୍ଦେହରେ ପକାଇଛି । ସୀମା ହାଇଦର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଦ୍ବାରା ତାଲିମପ୍ରାପ୍ତ ବୋଲି ଆଶଙ୍କା କରାଯାଉଛି।
ସୀମା ଚାରି ପିଲାଙ୍କ ସହ ବସ୍ରେ ନେପାଳରୁ ମେ’ ୧୩ରେ ଭାରତ ଆସିଥିବା ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ବାହିନୀ କହିଛି ; କିନ୍ତୁ ଗୁଇନ୍ଦା କିମ୍ବା ତଦନ୍ତକାରୀ ସଂସ୍ଥା ବିଭିନ୍ନ ଯାଞ୍ଚ ସତ୍ତ୍ବେ ଏ ସମ୍ପର୍କିତ ପ୍ରମାଣ ପାଉନାହାନ୍ତି। ଏହାରି ଭିତରେ ସୀମା ହାଇଦରଙ୍କ ଠାରୁ ଉତ୍ତରପ୍ରଦେଶ ପୁଲିସ ୫ଟି ପାକିସ୍ତାନୀ ପାସପୋର୍ଟ ଓ ୪ଟି ମୋବାଇଲ ଜବତ କରିଛି। ପୁଲିସ ମହାନିର୍ଦେଶକଙ୍କ ପକ୍ଷରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ ସୀମା ଠାରୁ ଦୁଇଟି ଭିଡିଓ କ୍ୟାସେଟ, ୪ଟି ମୋବାଇଲ, ୫ଟି ପାକିସ୍ତାନୀ ପାସପୋର୍ଟ, ଗୋଟିଏ ବ୍ୟବହାର ହୋଇ ନଥିବା ପାସପୋର୍ଟ ଓ ପରିଚୟପତ୍ର ଜବତ କରାଯାଇଛି।
ସୀମା ଓ ତାଙ୍କ ଭାରତୀୟ ପ୍ରେମିକ ତଥା ସ୍ବାମୀ ସଚିନଙ୍କ ସମ୍ପର୍କରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ସୀମା ବସ୍ ଯୋଗେ ଗ୍ରେଟର ନଏଡ଼ାରେ ପହଞ୍ଚିବା ପରେ ସଚିନ ତାଙ୍କୁ ଘରକୁ ନେଇଥିଲେ ବୋଲି ସୀମା କହି ଆସୁଛି ; କିନ୍ତୁ ଏହା ପୂର୍ବରୁ ସଚିନ ଓ ସୀମା ନେପାଳରେ ଏକାଠି ହୋଇଥିବା ଜଣାପଡ଼ିଛି। ଉଭୟ ଜାଲ୍ ପରିଚୟ ଦେଇ କାଠମାଣ୍ଡୁସ୍ଥିତ ‘ନ୍ୟୁ ବିନାୟକ’ ହୋଟେଲର ୩୦୪ ନମ୍ବର କୋଠରିରେ ସପ୍ତାହେ କାଳ ରହିଥିଲେ। ଏହି ସମୟରେ ବହୁ ଇନ୍ଷ୍ଟାଗ୍ରାମ ରିଲ୍ସ ପ୍ରସ୍ତୁତ କରିଥିଲେ। ହୋଟେଲର ଅଭ୍ୟର୍ଥନା ଅଧିକାରୀ ଗଣେଶ ରୋକାମଗରଙ୍କ ସୂଚନାନୁଯାୟୀ, ସଚିନ ଏକା ଆସି ହୋଟେଲ କୋଠରି ସଂରକ୍ଷିତ କରିଥିଲେ। ପରେ ପରିବାର ସଦସ୍ୟ ଆସିବେ ବୋଲି କହିଥିଲେ। ସୀମାଙ୍କ ସହିତ ତାଙ୍କ ପିଲାମାନେ ନ ଥିଲେ। ସେତେବେଳେ କୌଣସି ପରିଚୟପତ୍ର ଦେଖାଇପାରି ନଥିଲେ। ଗଣେଶଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରି ସେମାନେ ତାଙ୍କ ପରିବାର ସହ ଫଟୋ ମଧ୍ୟ ଉଠାଇଥିଲେ। ସୀମା ଆଦୌ ନିଜକୁ ପାକିସ୍ତାନୀ ବୋଲି ସୂଚନା ଦେଇନଥିଲେ। ସଚିନଙ୍କ ସହ ସେ ଅଧିକାଂଶ ସମୟ କୋଠରି ଭିତରେ ହିଁ ବିତାଉଥିଲେ। କ୍ଳବ ଓ ପବ୍କୁ ଯିବା ପାଇଁ ସୀମା ଆଗ୍ରହ ପ୍ରକାଶ କରୁଥିଲେ। ହଠାତ୍ ଦିନେ ସେମାନେ ଏକ କାର୍ ଭଡ଼ାକରି କୁଆଡେ ଗଲେ । ତା’ ପରେ ସେମାନଙ୍କର କିଛି ଖବର ସେ ପାଇ ନଥିଲେ ବୋଲି କହନ୍ତି ଗଣେଶ। ତେବେ ବର୍ତ୍ତମାନ ଗୁଇନ୍ଦା ବିଭାଗ, ଆତଙ୍କବାଦ ନିରୋଧୀ ବାହିନୀ ଏ ସମସ୍ତ ଦିଗ ଉପରେ ତଦନ୍ତ କରୁଛନ୍ତି ।