ନ୍ୟୁଜ 365 (ବ୍ୟୁରୋ): ଓଡ଼ିଶାର ଘରେ ଘରେ ପରିଚିତ ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତକୁ ପୁରିଛି ୨ ବର୍ଷ । ଆଜି ତାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ । ଏଯାଏଁ ବି ବିଜୟଙ୍କ ନିଖୁଣ ଅଭିନୟକୁ ମନେପକାଇ ଝୁରିହେଉଛନ୍ତି ସିନେ ପ୍ରେମୀ। ତାଙ୍କ ଜାଦୁଗରୀ ଅଭିନୟ ତାଙ୍କୁ ଜୀବନ୍ତ କରି ରଖିବ ସବୁଦିନ ପାଇଁ । ସେ ମରି ବି ଆଜି ଚିରଦିନ ପାଇଁ ଅମର । ତାଙ୍କ ଜାଦୁଗରୀ ଅଭିନୟକୁ ଆଜି ବି ମନେ ପକାଉଛନ୍ତି ଅନେକ ଦର୍ଶକ ଆଉ ଝୁରୁଛନ୍ତି ତାଙ୍କୁ । ଦୀର୍ଘଦିନର ଅସୁସ୍ଥ ଥିବା ବିଜୟ ମହାନ୍ତି ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଏକାଧାରାରେ ଥିଏଟର ଓ ଚଳଚ୍ଚିତ୍ର ଅଭିନୟ ସହ ଅଧ୍ୟାପନା କ୍ଷେତ୍ରରେ ନାମ କମାଇଥିବା ବିଜୟ ମହାନ୍ତି ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ପଣ୍ଡାରି ଗ୍ରାମରେ ନ୍ମଗ୍ରହଣ କରିଥିଲେ । ମୟୂରଭଞ୍ଜର ବାରିପଦାରେ ସେ ସ୍କୁଲ ଓ କଲେଜ ଶିକ୍ଷା ଗ୍ରହଣ କରିଥିଲେ । ସ୍ନାତକ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାରେ ନାମ ଲେଖାଇଥିଲେ ।
ବିଜୟ ଥିଲେ ଜଣାଶୁଣା ଅଭିନେତା ନସିରୁଦ୍ଦିନ ଶାହ, ରାଜ ବବ୍ବର ଏବଂ ଓମ ପୁରୀଙ୍କ ସହପାଠୀ । ସେଠାରେ ଅଭିନୟ ଶିକ୍ଷା ଶେଷ କରି ୧୯୭୫ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ଅବସ୍ଥାନ କରି ବିଭିନ୍ନ ଥିଏଟରରେ ଅଭିନୟ କରିଥିଲେ । ଏହାପରେ ସେ ଓଡିଶା ଫେରିଥିଲେ । ଓଡିଆ ଚଳଚ୍ଚିତ୍ର ଚିଲିକା ତୀରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର । ଯେଉଁ ଚଳଚ୍ଚିତ୍ର ଜାତୀୟ ସମ୍ମାନ ପୁରସ୍କାର ପ୍ରାପ୍ତ । ତେବେ ପ୍ରଥମେ ସିନେମାରେ ନେଗେଟିଭ ଭୂମିକା ଏବଂ ପରେ ନାୟକ ଓ ଚରିତ୍ର ଅଭିନେତା ଭାବେ ସେ ବେଶ୍ ଲୋକପ୍ରିୟତା ହାସଲ କରିବା ସହ ପ୍ରତିଟି ଓଡ଼ିଆଙ୍କ ମନରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ।
୧୯୭୭ ମସିହାରେ ବିଜୟ ମହାନ୍ତି ‘ଚିଲିକା ତୀରେ’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଆଉ ନିଜ ପ୍ରଥମ ଫିଲ୍ମରୁ ସେ ନିଜ ଅଭିନୟର ଯାଦୁ ଦେଖାଇବାରେ ସଫଳ ହୋଇଥିଲେ । ‘ଚିଲିକା ତୀରେ’ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ, ‘ନାଗଫାସ’ ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା । ୧୯୮୩ ମସିହାର ‘କାବେରୀ’ ଚଳଚ୍ଚିତ୍ରରେ ତାଙ୍କୁ ସକରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା । ନାୟକ ହେଉ ଅବା ଖଳନାୟକ ସବୁ ଚରିତ୍ରରେ ନିଜକୁ ଫିଟ କରି ପାରୁଥିଲେ ବିଜୟ ମହାନ୍ତି ।
ବିଜୟ ମହାନ୍ତି ୨୦୧୪ମସିହାରେ ରାଜନୀତିରେ ପାଦ ଥାପିଥିଲେ । ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ପରାଜୟର ସାମ୍ନା କରିଥିଲେ । ରାଜନୀତିରେ ବିଫଳ ହେବା ପରେ କଂଗ୍ରେସ ଦଳ ଛାଡି ଦେଇଥିଲେ । ବିଜୟ ମହାନ୍ତି ୨୦୧୪ରେ ଜୟଦେବ ଆଓ୍ଵାର୍ଡ ପାଇଥିବା ବେଳେ କଳା ଏବଂ ସାହିତ୍ୟ ପାଇଁ ତାଙ୍କୁ ନ୍ୟାସନାଲ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା। ଏହାଛଡା ବିଜୟ ମହାନ୍ତି ଓଡିଶା ତରଫରୁ ୬ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ୧୯୮୭ ମସିହାରେ ଓଡିଶା ସିନେ କ୍ରିଟିକ୍ସ ଆଓ୍ଵାର୍ଡ ମଧ୍ୟ ବିଜୟ ମହାନ୍ତି ଜିତିଥିଲେ । ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କର ୨୦୨୦ ଜୁଲାଇ ୨୦ ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ସେ କେବଳ ଜଣେ ସିନେ କଳାକାର ନୁହେଁ ବରଂ ଓଡ଼ିଶାରେ ମଞ୍ଚ ନାଟକର ଜଣେ ବିନ୍ଧାଣି ଥିଲେ ।