ନ୍ୟୁଜ 365 (ବ୍ୟୁରୋ): ୫-ଟି ସଚିବଙ୍କୁ ଘାରିଛି ଅଣ୍ଡା ଭୟ । ଗସ୍ତ ପୂର୍ବରୁ ରଣପୁରରେ ୨ ଦିନ ଅଣ୍ଡା ଦୋକାନ ବନ୍ଦ । ୫-ଟି ସଚିବଙ୍କୁ କାଳେ ବିଜେପି ଓ କଂଗ୍ରେସ କର୍ମୀ ବିରୋଧ କରିବେ ତାହାକୁ ନଜରରେ ରଖି ୨ ଦିନ ପାଇଁ ଅଣ୍ଡା ଦୋକାନ ବନ୍ଦ ରଖାଯାଇଛି। କେବଳ ଅଣ୍ଡା ଦୋକାନ ନୁହେଁ ରଣପୁର ଅଞ୍ଚଳରେ ସମସ୍ତ ଦୋକାନ ବଜାରକୁ ପୁଲିସ ପ୍ରଶାସନ ତରଫରୁ ବନ୍ଦ ରଖାଯାଇଛି । ଆଜି ୫-ଟି ସଚିବ ଭିକେ ପାଣ୍ଡିଆନ ରଣପୁର ଗସ୍ତରେ ଆସିଥିବା ବେଳେ ଜେଲ ଛକରେ ପହଞ୍ଚି ସେଠାରୁ ବାହାରି ରଣପୁରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବାକୁ ଯାଉଥିବାବେଳେ ଶାମୁକା ସାହି ନିକଟରେ ବିଜେପିର ଦଳୀୟ କର୍ମୀମାନେ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଜେପି କର୍ମୀମାନେ ତାମିଲ ଶାସନ ଚଳିବ ନାହିଁ, ଫେରିଯାଅ ନାରାବାଜି ଦେଇ ଘୋର ବିରୋଧ କରିଥିଲେ । ସେଥିପାଇଁ ରଣପୁର ଅଞ୍ଚଳରେ ସମସ୍ତ ଅଣ୍ଡାଦୋକାନ ବନ୍ଦ ରହିଥିବାବେଳେ ଆଜି ସମସ୍ତ ଦୋକାନ ବଜାରକୁ ପୁଲିସ୍ ପ୍ରଶାସନ ତରଫରୁ ବନ୍ଦ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, କି କିଛିଦିନ ତଳେ ୫-ଟି ସଚିବ ଭିକେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଯାଇଥିବାବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ । ପାଣ୍ଡିଆନଙ୍କ କାର ଉପରକୁ ୩ ଜଣ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିଥିଲେ। ଗୋଟିଏ ଅଣ୍ଡା ସେ ବସିଥିବା କାରର ବାମପାର୍ଶ୍ବର ପଛକୁ ବାଜିଥିଲା। ବୌଦ୍ଧ ପରି ସୁବର୍ଣ୍ଣପୁରରେ ମଧ୍ୟ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ଜୋରଦାର ବିରୋଧ କରି ଆମ ଆଦମୀ ପାର୍ଟି ପକ୍ଷରୁ କାରକେଡକୁ ଅଣ୍ଡାମାଡ଼ କରାଯାଇଥିଲା ।