ନ୍ୟୁଜ 365 (ବ୍ୟୁରୋ): ଆମ ରାଜ୍ୟରେ ଏମିତି ଅନେକ ଐତିହାସିକ ସ୍ଥାନ ଗୁଡିକ ରହିଛି, ଯାହା ପୁରା ଦେଶରେ ରାଜ୍ୟକୁ ଏକ ସ୍ବତନ୍ତ୍ର ପରିଚୟ ଆଣିଦେଇଛି, ସେଥିମଧ୍ୟରୁ ଅନ୍ୟତମ ହେଉଛି ସଖୀବଟ । ଏହି ସଖୀବଟ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ସ୍ଥିତ ବିଲବଳରାମପୁରରେ ଅବସ୍ଥିତ । ସବୁଠାରୁ ବଡ କଥା ହେଉଛି ଅନେକ ବର୍ଷ ପୂର୍ବେ ମାଳିକାରେ ଲେଖାଥିବା ପଞ୍ଚସଖାଙ୍କ ଲିଳା ସ୍ଥଳୀ ବା ଗୁପ୍ତକ୍ଷେତ୍ର ଭାବେ ପରିଚିତ ଏହି ସଖୀବଟ । ଏହି କ୍ଷେତ୍ରର ଇତିହାସ ବହୁପୁରୁଣା । ବର୍ଷତମାମ ଏଠି ପର୍ଯ୍ୟଟକଙ୍କ ଭିଡ ଲାଗେ । ବିବାହ, ବ୍ରତ ଓ ବଣଭୋଜି ପାଇଁ ଏହି ସ୍ଥାନଟି ବେଶ ପରିଚିତ । ଏହି କ୍ଷେତ୍ରଟି ପଞ୍ଚସଖା ଓ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ସମ୍ପର୍କ ଥିବାରୁ ଏହା ଏକ ଧର୍ମପୀଠ ଭାବେ ପରିଚିତ । ଇଚ୍ଚାପୁରରେ ମନ୍ଦିର ନିର୍ମାଣ ହେବା ପୂର୍ବରୁ ଶ୍ରୀବଳଦେବଜୀଉ ସଖୀବଟ ଠାରେ ୯ ବର୍ଷ କାଳ ପୂଜା ପାଇଥିଲେ ।
ପୂର୍ବଜଙ୍କ କହିବା ଅନୁସାରେ ଏହି ବଟ ଜଳଘେରାର ଟାପୁଟିରେ ଏକ ବିଶାଳ ବଟବୃକ୍ଷ ସୃଷ୍ଟି ହୋଇଥିଲା । ୧.୩ ଏକର ସ୍ଥାନରେ ବ୍ୟାପ୍ତ ଏହି ଗଛଟିକୁ ୬ଶହ ମୁଖ୍ୟ ଓହଳ ଓ ଶାଖା ଓହଳ ମାଟିରେ ଶକ୍ତଭାବେ ଧରି ରଖିଛନ୍ତି । ଗୁପ୍ତକ୍ଷେତ୍ରର ନାମକରଣ ପ୍ରସଙ୍ଗରୁ ଜଣାଯାଏ ଯେ ମୋଗଲ ରାଜତ୍ୱ କାଳରେ ଯବନମାନଙ୍କ ଆକ୍ରମଣ ଆଶଙ୍କା ଥିବାରୁ ସିଦ୍ଧ ବଳଦେବଜୀଉଙ୍କୁ ୧୬୫୮ରୁ ୧୬୭୦ ଦୀର୍ଘ ୧୨ବର୍ଷ କାଳ ଏହିଠାରେ ଗୁପ୍ତ ଭାବରେ ରଖାଯାଇଥିଲା । ତେଣୁ ଏହି ସ୍ଥାନକୁ ପରବର୍ତ୍ତି ସମୟରେ ଗୁପ୍ତପୀଠ ନାମରେ ନାମିତ କରାଗଲା ।
କିମ୍ବଦନ୍ତୀ ରହିଛି, ଦ୍ୱାପର ଯୁଗର ଶେଷ ବେଳକୁ ଶ୍ରୀବଳଦେବଜୀଉ ତୀର୍ଥ ଭ୍ରମଣକରି ଗୁପ୍ତକ୍ଷେତ୍ର ସଖୀବଟରେ ୧୨ ବର୍ଷ କାଳ ଗୋପନରେ ଥିଲେ । ଉକ୍ତ ସ୍ଥାନରେ ଥିବା ବେଳେ ମହାପ୍ରଭୁ ଚାରି ପ୍ରକାରର ଦାନ୍ତ କାଠି ଯଥା ନିମ୍ବ, ସାହାଡ଼ା, ବର ଓ ବେଗୁନିଆ ବ୍ୟବହାର କରୁଥିଲେ । କାଳକ୍ରମେ ବର ଦାନ୍ତ କାଠି ବିଶାଳ ବରଗଛରେ ପାଲଟି ଯାଇଛି । ଷୋଡଶ ଶତାବ୍ଦୀରେ ମୋଗଲ ଶାସନ ସମୟରେ ସେବକମାନେ ଶ୍ରୀବଳଦେବଜୀଉଙ୍କୁ ଗୁପ୍ତକ୍ଷେତ୍ରରେ ୧୨ ବର୍ଷ କାଳ ଲୁଚାଇ ରଖିଥିଲେ ।
ଏକ ସମୟରେ ୧୪ ଦିନ ଧରି କାଳ ଲଗାଣ ଝଡ଼ିବର୍ଷା ହେବାରୁ ପୂଜକ ସେଠାରେ ଥିବା ଗୁମ୍ପାରୁ ବାହାରି ପାରିଲେ ନାହିଁ ଓ ନୀତି ଆବଶ୍ୟକ ସାମଗ୍ରି ଆଣିପାରିଲେ ନାହିଁ । ଭୋକ ଉପାସରେ ଠାକୁରଙ୍କୁ ଗାଳି କରିବାରୁ ଜଣେ କଳା ଲୋକ ଓ ଜଣେ ଧଳା ଲୋକଗୋଟିଏ ବଡ଼ ବେତୁଲିରେ ପାଟକପୁରା କଦଳୀ ସହିତ ରସାବଳି ଆଣି ପହଞ୍ଚି ଠାକୁରଙ୍କ ନୀତି କରିବାକୁ କହିଲେ । ଠାକୁରଙ୍କ ନୀତି ସାରି ଫେରି ଦେଖନ୍ତି ଯୁବକଦ୍ୱୟ ସେଠାରେ ନାହାନ୍ତି । କିଛି ଅନିତି ଓ ଅଘଟଣ ଘଟିଲେ ସର୍ପ ରୂପରେ ମହାପ୍ରଭୁ ବାହାରିବା କଥା କହନ୍ତି ସ୍ଥାନୀୟ ଲୋକେ । ତେଣୁ ଖୋଲା ପଡ଼ିଥିବା ଏହି ସ୍ଥାନରୁ କୌଣସି ଜିନିଶ ଚୋରି ନ ଯିବାର କଥିତ ଅଛି । କାଳକ୍ରମେ ଶ୍ରୀବଳଦେବଜୀଉଙ୍କ ସ୍ୱପ୍ନାଦେଶ ବଡ଼ପଣ୍ଡା କେଶବ ଚନ୍ଦ୍ର ପତିଙ୍କୁ ହେବାରୁ ଗୁପ୍ତ କ୍ଷେତ୍ର ସଖୀବଟରେ ବିଗ୍ରହ ପ୍ରତିଷ୍ଠା ହୋଇ ରୀତିନୀତି ଓ ପୂଜା ପର୍ବାଣି ଅନୁଷ୍ଠିତ ହେଉ ଅଛି । ସଖୀବଟ ଏବେ ରାଜ୍ୟର ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଜଣାସୁଣା