ନ୍ୟୁଜ 365 (ବ୍ୟୁରୋ): ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ଅବସରରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ସ୍ବଳ୍ପ ସମୟ ପାଇଁ କଥାବାର୍ତ୍ତା ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏବଂ ଉତ୍ତରରେ ସୋନିଆ ଭଲ ଥିବା କହିଛନ୍ତି । ସୂଚନା ଅନୁସାରେ, ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କର ବିଶାଳ ସମାବେଶ ଶେଷ ହେବା ପରେ ସୋନିଆ ଗାନ୍ଧୀ ଓ ରାହୁଲ୍ ଗାନ୍ଧୀ ଗୋଟାଏ ଚାର୍ଟର୍ ବିମାନରେ ଦିଲ୍ଲୀ ଫେରୁଥିବା ବେଳେ ଖରାପ ପାଗ ଯୋଗୁଁ ତାହା ଜରୁରୀ ଅବତରଣ କରିଥିଲା। ତେବେ ବିମାନ ଜରୁରୀ ଅବତରଣ କରିବା ଯୋଗୁଁ ତାଙ୍କର କିଛି ଅସୁବିଧା ହୋଇଥିଲା କି, ନାହିଁ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପଚାରିଥିଲେ। ଅଧିବେଶନର ପ୍ରଥମ ଦିନ ନେତାମାନେ ପରସ୍ପରକୁ ସ୍ବାଗତ କରିବା ବିଧି ରହିଛି। ଏହାସହ ଗୃହରେ ଅଧିବେଶନ ଆରମ୍ଭ ହେବା ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବିମାନଙ୍କୁ ଭେଟି ଭଲମନ୍ଦ ପଚାରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ସଂସଦର ମୌସୁମୀ ଅଧିବେଶନ। ସଂସଦ କିନ୍ତୁ, ନିକଟ ଅତୀତରେ ଦେହାନ୍ତ ହୋଇଯାଇଥିବା ଦୁଇଜଣ ସାଂସଦଙ୍କ ସମ୍ମାନାର୍ଥେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ ରଖାଯାଇଥିଲା। ସେହିପରି, ଜୁନ୍ ମାସରେ ଦେହାନ୍ତ ହୋଇଥିବା ସାଂସଦ ହରଦ୍ବାର ଦୁବେଙ୍କ ସମ୍ମାନାର୍ଥେ ରାଜ୍ୟସଭା ମଧ୍ୟ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ମୁଲତବୀ ରହିଥିଲା।