ନ୍ୟୁଜ 365(ବ୍ୟୁରୋ): ସଂସ୍କୃତି ଓ ଐତିହ୍ୟ ହେଉଛି ଗୋଟେ ଜାତି ଓ ସେ ଅଞ୍ଚଳର ପରିଚୟ। ଏହି କ୍ରମରେ ଓଡ଼ିଶାର ଭୁବନେଶ୍ବର ସ୍ଥିତ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଓଡ଼ିଆ ଜାତିର ପରିଚୟ କାହିଁ କେତେକାଳୁ ମହିମା ମଣ୍ଡନ କରିଆସୁଛି। ଏହା ଅଧା ପ୍ରାକୃତିକ ଓ ଅଧା ମଣିଷଦ୍ୱାରା ତିଆରି ହୋଇଥିଲେ ହେଁ ଏହାର ଏକ ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ବହନ କରୁଛି । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରି ରହିଛି ଯାହା ହାତୀଗୁମ୍ଫା ଶିଳାଲେଖାରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି । ଏହି ସ୍ଥାନ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଜୈନ। ବିବରଣୀରୁ ଜାଣିବାକୁ ମିଳେ, ଏହି ସ୍ଥାନରେ ମହାବୀର ଜୈନ ତାଙ୍କର ଧର୍ମପ୍ରଚାର କରିଥିଲେ । ସମ୍ରାଟ ଖାରବେଳଙ୍କ ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ ଏହି ସ୍ଥାନରେ ଅଛି, ଯାହା ପ୍ରାଚୀନ ଓଡ଼ିଶା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଉପାଦାନ । ଏଠାରେ ଏବେ ମଧ୍ୟ ଜୈନ ସମ୍ପ୍ରଦାୟର ସାଧୁ ମାଁନଙ୍କୁ ଦେଖିବାକୁ ମିଳେ ।
ଉଦୟଗିରିଠାରେ ଥିବା ଗୁମ୍ଫା ଗୁଡ଼ିକ ହେଲା- ରାଣୀ ଗୁମ୍ଫା, ଛୋଟ ହାତୀ ଗୁମ୍ଫା, ଅଲକାପୁରି ଗୁମ୍ଫା, ଜୟ-ବିଜୟ ଗୁମ୍ଫା, ଠାକୁରାଣୀ ଗୁମ୍ଫା, ପାତାଳପୁରି ଗୁମ୍ଫା, ଗଣେଶ ଗୁମ୍ଫା , ଜମ୍ବେଶ୍ୱର ଗୁମ୍ଫା, ବ୍ୟାଘୃ ଗୁମ୍ଫା, ସରପ ଗୁମ୍ଫା, ହାତୀ ଗୁମ୍ଫା,ଧାନଘର ଗୁମ୍ଫା,ହରୀଦାସ ଗୁମ୍ଫା,ଜଗମଥା ଗୁମ୍ଫା,ରୋସେଇ ଗୁମ୍ଫା
ସେହିପରି ଖଣ୍ଡଗିରିରେ ଥିବା ଗୁମ୍ଫା ଗୁଡ଼ିକ ହେଲା ତତ୍ତ୍ୱ ଗୁମ୍ଫା, ଅନନ୍ତ ଗୁମ୍ଫା, ତେନ୍ତୁଳି ଗୁମ୍ଫା , ଖଣ୍ଡଗିରି ଗୁମ୍ଫା, ଧ୍ୟାନ ଗୁମ୍ଫା, ନବମୂନି ଗୁମ୍ଫା,ବାରଭୂଜି ଗୁମ୍ଫା, ତୃସୁଳ ଗୁମ୍ଫା,ଅମ୍ବିକା ଗୁମ୍ଫା,ଲଲାତେନ୍ଦୁ କେଶରୀ ଗୁମ୍ଫା, ନାମହୀନ,. ନାମହୀନ,ଏକାଦଶୀ ଗୁମ୍ଫା, ନାମହୀନ ଗୁମ୍ଫା।
ମାଘ ସପ୍ତମୀରେ ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା ଖଣ୍ଡଗିରି ମେଳା ନାମରେ ପରିଚିତ । ଭୁବନେଶ୍ବର ଉପକଣ୍ଠ ଖଣ୍ଡଗିରିଠାରେ ଆବାହମାନ କାଳରୁ ହୋଇଆସୁଥିବା ପ୍ରସିଦ୍ଧ କୁମ୍ଭମେଳା ୯ ଦିନ ଧରି ଚାଲି ମାଘ ପୂର୍ଣ୍ଣିମାଦିନ ପୂର୍ଣ୍ଣାହୁତୀ ହୁଏ । ଏହି ଅବସରରେ ସାଧୁସନ୍ଥଙ୍କ ସମାବେଶ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ମେଳା ପୂର୍ବରୁ ସାଧୁସନ୍ଥମାନେ ପାହାଡ ଗୁମ୍ଫାରେ ରହି ଭଜନ କୀର୍ତ୍ତନ କରିଥାନ୍ତି । ଅଖଣ୍ଡ ଧ୍ୱନୀ ଜାଳି ସାଧୁସନ୍ଥମାନେ ତପସ୍ୟାରତ ଥାଆନ୍ତି । ମାଘ ସପ୍ତମୀ ଦିନ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ପ୍ରାତଃ ଦର୍ଶନ କରିଥାନ୍ତି । କୁମ୍ଭମେଳା ଅପସରରେ ଦେବୀ ବାରଭୁଜା ନିକଟରେ ସବୁବର୍ଷ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୁଏ । ଏଥିପାଇଁ ବିଭିନ୍ନ ଅଞ୍ଚଳର ସାଧୁସନ୍ଥମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ ।