ନ୍ୟୁଜ 365 (ବ୍ୟୁରୋ): ଯମୁନା ନଦୀରେ ଜଳସ୍ତର ବୃଦ୍ଧି ହୋଇ ଦିଲ୍ଲୀ ସହର ଜଳମଗ୍ନ ହୋଇଥିବାବେଳେ ଏବେ ଉତ୍ତରପ୍ରଦେଶର ଅନେକ ଅଞ୍ଚଳକୁ ବନ୍ୟା ପାଣି ମାଡିଛି। ବନ୍ୟା ପାଣି ଆଗ୍ରାର ବିଶ୍ବ ଐତିହାସିକ ସ୍ଥଳ ତାଜମହଲକୁ ଛୁଇଁଛି। ତାଜମହଲର ବାହାର ପାର୍ଶ୍ବ କାନ୍ଥକୁ ପାଣି ଛୁଇଁଛି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଯମୁନା ନଦୀର ଜଳସ୍ତର ୪୯୯.୧ ଫୁଟ୍ରେ ରହିଛି। ୪୯୯ ଫୁଟରେ ଜଳସ୍ତର ରହିଲେ ମଧ୍ୟମ ଧରଣର ବନ୍ୟା ଆସିଥାଏ। ଜଳସ୍ତର ୫୦୮ ଫୁଟରେ ରହିଲେ ଉଚ୍ଚ ବନ୍ୟା ଆସିଥାଏ। ତେବେ ଗତ ୪୦ବର୍ଷରେ କେବେହେଲେ ଯମୁନା ନଦୀରେ ଏପରି ବନ୍ୟା ଆସି ନଥିଲା। ମଥୁରାସ୍ଥିତ ଗୋକୁଳ ବ୍ୟାରେଜରୁ ୧,୨୪,୩୦୨ କ୍ୟୁସେକ ପାରି ଛଡାଯାଇଥିବାରୁ ଜଳସ୍ତର ବୃଦ୍ଧି ପାଇଛି ବୋଲି ଜଣାପଡିଛି। ଅନ୍ୟପଟେ ଦିଲ୍ଲୀର ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି। ସହର ମଧ୍ୟକୁ ଗାଡି ପ୍ରବେଶ କଟକଣାକୁ ଉଠାଇ ଦିଆଯାଇଛି। ଦିଲ୍ଲୀରେ ବନ୍ୟା ସ୍ଥିତି ଲାଗି ରହିଥିବାବେଳେ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଗାମୀ ଦୁଇ ତିନିଦିନ ପର୍ଯ୍ୟନ୍ତ ଉତ୍ତର ଭାରତରେ ବର୍ଷା ହେବାର ସମ୍ଭାବନା ଥିବାରୁ ଯମୁନା ନଦୀର ଜଳସ୍ତର ପୁଣି ବୃଦ୍ଧି ପାଇବାର ଆଶଙ୍କା ରହିଛି।