ନ୍ୟୁଜ 365 (ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନରେ ୨୬ ବିରୋଧୀ ଦଳ ଗୋଟିଏ ମେଣ୍ଟରେ ଲଢ଼ିବେ। ଏହି ବିରୋଧୀ ମେଣ୍ଟର ନାଁ ରଖାଯାଇଛି ‘ଇଣ୍ଡିଆ’- ‘ଇଣ୍ଡିଆନ ନେସ୍ନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ’ (ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମ୍ମିଳିତ ମେଣ୍ଟ)। ତେବେ ମେଣ୍ଟର ‘ଇଣ୍ଡିଆ’ ନାମକୁ ନେଇ ଜୋରଦାର ରାଜନୀତି ଆରମ୍ଭ ହୋଇଯାଇଛି। ବିରୋଧୀ ଦଳମାନେ ଏହାକୁ ‘ଟିମ୍ ଇଣ୍ଡିଆ’ କହୁଥିବା ବେଳେ ବିଜେପି ନେତାମାନେ ଏହା ବିରୋଧୀ ଦଳଙ୍କ ଦେବାଳିଆ ମାନସିକତା ବୋଲି କହିଛନ୍ତି। ବିରୋଧୀ ମେଣ୍ଟର ନାଁକୁ ଟାର୍ଗେଟ୍ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି,‘ବ୍ରିଟିଶ ଶାସକ ଆମର ନାଁ ଇଣ୍ଡିଆ ରଖିଥିଲେ ଏବଂ କଂଗ୍ରେସ ଏହାକୁ ଠିକ୍ ବୋଲି ଗ୍ରହଣ କରିଥିଲା। ଆମକୁ ଏହି ଔପନିବେଶବାଦ ମାନସିକତାରୁ ନିଜକୁ ମୁକ୍ତ କରିବାକୁ ପଡ଼ିବ। ଆମର ପୂର୍ବଜମାନେ ଭାରତ ପାଇଁ ଲଢ଼ୁଥିଲେ ଏବଂ ଆମେ ବି ଏହି ଲଢ଼େଇ ଜାରି ରଖିବୁ। ‘ଇଣ୍ଡିଆ’କୁ ବିଦେଶରେ ଲଗାତାର ବଦନାମ କରିଚାଲିଥିବା ବିରୋଧୀ ଦଳ ନେତାମାନେ ଏବେ ‘ଇଣ୍ଡିଆ’ ନାମର ସାହାରା ନେବାକୁ ଚାହୁଛନ୍ତି।
‘ଇଣ୍ଡିଆ ମେଣ୍ଟ’ରେ ‘ଡି’ ନାମକୁ ନେଇ ନିଜେ ବିରୋଧୀ ନେତାମାନେ ଦ୍ବନ୍ଦ୍ବରେ ରହିଛନ୍ତି ବୋଲି ଶର୍ମା କହିଛନ୍ତି। ବୈଠକରେ ଯୋଗ ଦେଇଥିବା ବିରୋଧୀ ଦଳ ନେତାମାନେ ‘ଇଣ୍ଡିଆ’ର ଅର୍ଥକୁ ଭିନ୍ନ ଭିନ୍ନ ଭାବେ ଲେଖିଛନ୍ତି। କଂଗ୍ରେସ ‘ଇଣ୍ଡିଆ’ରେ ଡି କୁ ‘ଡେଲଲପମେଣ୍ଟାଲ୍’ କହିଛି। ଅନ୍ୟପକ୍ଷେ ଶରଦ ପାୱାର ‘ଡି’ ର ଅର୍ଥ ‘ଡେମୋକ୍ରାସି’ ଲେଖିଛନ୍ତି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ଡି ଅର୍ଥ ଡିମୋକ୍ରାଟିକ୍ ନା ଡେଭଲପମେଣ୍ଟାଲ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି। ଯେଉଁମାନେ ଗୋଟିଏ ଶବ୍ଦକୁ ନେଇ ସହମତ ହୋଇପାରୁନାହାନ୍ତି ସେମାନେ ଦେଶ ଚଳାଇବାକୁ ଆଶା ରଖିଛନ୍ତି।
ମଙ୍ଗଳବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବେଙ୍ଗାଲୁରୁରେ ବିରୋଧୀ ବୈଠକ ଶେଷ ହେବାପରେ ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖାଯାଇଛି ବୋଲି ଘୋଷଣା କରିଥିଲେ। ତେବେ ଖଡ଼ଗେ ଏହି ସମୟରେ ‘ଇଣ୍ଡିଆ’କୁ ଭୁଲ୍ରେ ‘ଇଣ୍ଡିଲ୍’ କହିଦେଇଥିଲେ। ପରେ ସେ ନିଜକୁ ଠିକ୍ କରି ‘ଇଣ୍ଡିଆ’ କହିଥିଲେ। ବିଜେପି ଆଜି ଏହି ପ୍ରସଙ୍ଗରେ ଖଡ଼ଗେଙ୍କୁ କଟାକ୍ଷ କରିଛି। ବିଜେପି ଖଡ଼ଗେଙ୍କର ଏକ ଭିଡିଓ ଟ୍ବିଟ୍ କରି କହିଛି, ‘କଂଗ୍ରେସ ସଭାପତି ‘ଇଣ୍ଡିଆ’ ଶବ୍ଦକୁ ବି ଠିକ୍ରେ କହି ପାରୁନାହାନ୍ତି। ଏଥିରୁ ସେମାନଙ୍କ ପ୍ରତିବଦ୍ଧତା ଆପଣ ଦେଖିପାରୁଥିବେ।