ନ୍ୟୁଜ 365 (ବ୍ୟୁରୋ) ଟମାଟୋ ପରେ ଏବେ ଡାଲିଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଏହାକୁ ନେଇ କେନ୍ଦ୍ର ସରକାର ଏବେ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଏବେ କିଛି ରାଜ୍ୟରେ ସରକାର ମୋବାଇଲ ଭ୍ୟାନ ମାଧ୍ୟମରେ ଲୋକଙ୍କୁ ଶସ୍ତାରେ ଟମାଟୋ ଯୋଗାଉଥିବା ଭଳି ଶସ୍ତାରେ ଡାଲି ଯୋଗାଇ ଦେବେ ସରକାର । ହରଡ, ମୁଗ ଓ ଅନ୍ୟ ଡାଲିଗୁଡିକର ଦାମ ନିୟନ୍ତ୍ରଣ କରିବା ଉର୍ଦ୍ଦେଶ୍ୟରେ ସରକାର ଏବେ ଚଣା ଡାଲି ବିକ୍ରି କରିବାକୁ ଘୋଷଣା କରିଛନ୍ତି । ଏହି କ୍ରମରେ କିଲୋପ୍ରତି ୬୦ ଟଙ୍କା ଦାମରେ ସରକାର ଚଣା ଡାଲି ବିକିବେ । ଏନେଇ ସରକାର ସାରା ଦେଶରେ ଥିବା ୭୦୩ଟି ନାଫେଡ ଷ୍ଟୋରକୁ ଚିହ୍ନଟ କରିଛନ୍ତି ।
କେନ୍ଦ୍ରୀୟ ଭଣ୍ଡାର ଓ ଡାଏରୀ ସଫଳ ରିଟେଲ ଷ୍ଟୋରରେ ମଧ୍ୟ ଏହି ଦାମରେ ଚଣାଡାଲି ଉପଭୋକ୍ତାମାନେ ପାଇପାରିବେ । କେନ୍ଦ୍ରୀୟ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରଣାଳୟର ମନ୍ତ୍ରୀ ପୀୟୁଷ ଗୋଏଲ ଏନେଇ ଘୋଷଣା କରିବା ପରେ ସୋମବାର ଠାରୁ କିଲୋପ୍ରତି ୬୦ ଟଙ୍କାରେ ଚଣାଡାଲି ବିକ୍ରି କରିବା ଆରମ୍ଭ ହୋଇଛି । ଭାରତ ଡାଲ ବ୍ରାଣ୍ଡ ନାମରେ ପ୍ୟାକ୍ ହେଉଥିବା ଚଣାଡାଲି କିଲୋପ୍ରତି ୬୦ ଟଙ୍କା ଓ ଯେଉଁ ଗ୍ରାହକମାନେ ୩୦ କିଲୋଗ୍ରାମର ପ୍ୟାକେଟ କିଣିବେ ସେମାନଙ୍କୁ କିଲୋପ୍ରତି ୫୫ ଟଙ୍କାରେ ମିଳିବ ।