ନ୍ୟୁଜ 365 (ବ୍ୟୁରୋ): ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ତାଙ୍କ ଟଙ୍କା ଫେରି ପାଇବେ । ଦୀର୍ଘ ଦିନ ପରେ ଏହି ଆଶା ସୃଷ୍ଟି ହୋଇଛି । କେନ୍ଦ୍ର ସରକାର ଏଥିପାଇଁ ବ୍ୟବସ୍ଥା ଆରମ୍ଭ କରୁଛନ୍ତି । ଆଜି କେନ୍ଦ୍ର ସରକାର ଏକ ରିଫଣ୍ଡ ପୋର୍ଟାଲର ଆରମ୍ଭ କରିବେ । ଗୃହମନ୍ତ୍ରୀ ଅମିତ ଶାହ ଏହି ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିବେ । ଦିଲ୍ଲୀରେ ଅଟଳ ଉର୍ଜା ଭବନରେ ଏହାର ଶୁଭାରମ୍ଭ ହେବ । ଉନ୍ମୋଚନ ହେବାକୁ ଥିବା ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ଉଲ୍ଲେଖ ରହିଛି । ଆବଶ୍ୟକ ସ୍ଥାନରେ ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇଁ ଦାବି କରିବେ । ଦେଶର ଅନେକ ଲୋକଙ୍କ ଟଙ୍କା ସାହାରାରେ ଫଶି ରହିଛି । ନିବେଶ ଅବଧି ପୂରଣ ହୋଇଥିଲେ ମଧ୍ୟ ଜମାକାରୀ ଟଂକା ଫେରିପାଇ ନାହାନ୍ତି । ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନଗୁଡିକର ଲୋକ ସାହାରା ଇଣ୍ଡିଆରେ ଅଧିକାଂଶ ଜମା କରିଛନ୍ତି । କିଭଳି ବୁଡି ଯାଇଥିବା ଟଙ୍କା ଫେରିପାଇବେ ସେ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଲୋକେ ଅପିଲ କରିଥିଲେ । ଏହାପରେ କେନ୍ଦ୍ର ସରକାର ଏହି ରିଫଣ୍ଡ ପୋର୍ଟାଲ ବାବଦରେ ନିଷ୍ପତି ନେଇଛନ୍ତି ।