ଡିଜିଟାଲ୍ କାରବାର କ୍ଷେତ୍ରରେ ବିଶ୍ବ ଦରବାରରେ ଭାରତକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ଦେଶୀ ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଏବେ ବିଦେଶରେ ବେଶ ଲୋକପ୍ରିୟ ହେବାରେ ଲାଗିଛି। ବହୁ ଦେଶ ଏହାକୁ ସୀମାପାର କାରବାର ଲାଗି ଗ୍ରହଣ କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ଫ୍ରାନ୍ସ ଓ ୟୁଏଇ ୟୁପିଆଇ କାରବାରକୁ ଗ୍ରହଣ କରିଛନ୍ତି। ଭାରତୀୟମାନେ ଏହି ସବୁ ଦେଶ ଭ୍ରମଣ କରିବା ବେଳେ ୟୁପିଆଇ ମାଧ୍ୟମରେ ବା କ୍ୟୁଆର୍ କୋଡ୍ ସ୍କାନ୍ କରି ପେମେଣ୍ଟ୍ କରିପାରିବେ।ସୀମାପାର ଅର୍ଥ ପ୍ରେରଣ ଏକ ବ୍ୟୟବହୁଳ ବ୍ୟପାର। ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା ଜରିଆରେ ସେହି କାରବାର କରିବା ବେଳେ ମୋଟା ଅଙ୍କର ଫି’ ଗଣିବାକୁ ପଡ଼ୁଛି। ୟୁପିଆଇ ଜରିଆରେ ସେହି କାରବାରକୁ ସହଜ, ସରଳ ଓ ନିରବଚ୍ଛିନ୍ନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।
ଦେଶ ଭିତରେ ଡିଜିଟାଲ୍ କାରବାରରେ ବିପ୍ଳବ ଆଣି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବା ପରେ ଏବେ ଏହା ରେମିଟାନ୍ସ କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି। ଚଳିତ ବର୍ଷ ଜାନୁଆରି ସରକାର ଘୋଷଣା କରିଥିଲେ ଯେ ୧୦ଟି ଦେଶରେ ବାସ କରୁଥିବା ଭାରତୀୟମାନେ ୟୁପିଆଇ ବ୍ୟବହାର କରିପାରିବେ। ସେହି ତାଲିକାରେ ସିଙ୍ଗାପୁର, ଅଷ୍ଟ୍ରେଲିଆ, କାନାଡା, ହଂକଂ, ଓମାନ, କତାର, ଆମେରିକା, ସାଉଦି ଆରବ, ୟୁଏଇ ଓ ବ୍ରିଟେନ୍ ନାମ ଥିଲା। ୨୦୨୧ ଜୁଲାଇରେ ପ୍ରଥମ ବିଦେଶ ରାଷ୍ଟ୍ର ଭାବେ ଭୁଟାନରେ ୟୁପିଆଇ କାରବାର ଆରମ୍ଭ ହୋଇଥିଲା। ୟୁପିଆଇ ୨୦୨୨ ମାର୍ଚ୍ଚରେ ନେପାଳ ଓ ଅକ୍ଟୋବରରେ ଓମାନ ଯାତ୍ରା କରିଥିଲା। ମାଲେସିଆରେ ୟୁପିଆଇ ପ୍ରଚଳନ ପାଇଁ ସେଠାକାର ସଂସ୍ଥା ଲିକ୍ବିଡ୍ ଗ୍ରୁପ୍ ସହ ବୁଝାମଣା ହୋଇଥିଲା। ସେହି ସଂସ୍ଥା ମାଲେସିଆ, ଥାଇଲ୍ୟାଣ୍ଡ୍, ଫିଲିପାଇନ୍ସ, ଭିଏତ୍ନାମ, ସିଙ୍ଗାପୁର, କାମ୍ବୋଡିଆ, ହଂକଂ, ତାଇୱାନ, ଦକ୍ଷିଣ କୋରିଆ ଓ ଜାପାନ ଭଳି ୧୦ଟି ଦେଶରେ କ୍ୟୁଆର୍ କୋଡ୍ ସ୍କାନ୍ କରି ପେମେଣ୍ଟ୍ ସୁବିଧା ପ୍ରଦାନ କରୁଛି। ୨୦୨୨ ଅଗଷ୍ଟରେ ଦ୍ବିପାକ୍ଷିକ କ୍ୟୁଆର୍ କୋଡ୍ କାରବାର ଲାଗି ଭାରତ ଓ ବ୍ରିଟେନ୍ ମଧ୍ୟରେ ବୁଝାମଣା ହୋଇଥିଲା। ୨୦୨୩ ଫେବ୍ରୁଆରିରେ ୟୁପିଆଇ ପାଇଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ହୋଇଥିଲା।
ଭାରତରେ ୨୦୧୬ରେ ୟୁପିଆଇ ଆରମ୍ଭ ହୋଇଥିଲା ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଠନ କରିଥିବା ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଅଧୀନରେ ପରିଚାଳିତ ହେଉଛି। ଏହା ହେଉଛି ଏକ ମୋବାଇଲ୍ ଭିତ୍ତିକ ତ୍ବରିତ ପେମେଣ୍ଟ୍ ବ୍ୟବସ୍ଥା ଯାହାକୁ ବ୍ୟବହାର କରି ଲୋକମାନେ କ୍ୟୁଆର୍ କୋଡ୍ ସ୍କାନ୍, ମୋବାଇଲ୍ ନମ୍ବର ଆଦି ଜରିଆରେ ଆଖିପିଛୁଳାକେ ପେମେଣ୍ଟ୍ କରୁଛନ୍ତି। ଏହି ବ୍ୟବସ୍ଥା ଦିନରାତି ଚବିଶ ଘଣ୍ଟା ଉପଲବ୍ଧ ରହିଛି। ବ୍ୟାଙ୍କ ଖାତା ଓ ଇଣ୍ଟରନେଟ୍ ସଂଯୋଗ ଥିବା ସ୍ମାର୍ଟଫୋନ୍ ଥିଲେ ଯେକେହି ୟୁପିଆଇକୁ ବ୍ୟବହାର କରିପାରିବେ। ଫିଚର୍ ଫୋନ୍ ଗ୍ରାହକମାନଙ୍କ ଲାଗି ମଧ୍ୟ ୟୁପିଆଇ ଲାଇଟ୍ ଆରମ୍ଭ କରାଯାଇଛି।