ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦକୁ ନେଇ ଆସିଛି ଏକ ବଡ଼ ଖବର । ଶ୍ରୀମନ୍ଦିର ଆନନ୍ଦବଜାରରେ ବାରମ୍ବାର ବିଶୃଙ୍ଖଳା ଓ ଭକ୍ତଙ୍କୁ ଆକ୍ରମଣ ପରେ ଶୃଙ୍ଖଳା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ ।
ବୈଠକର ନିଷ୍ପତ୍ତି ଅନୁଯାୟୀ, କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ। ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ। କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ନିଯୋଗ ଦେବ। ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବ। କେଉଁ ଜାଗାରେ ସୁପକାରମାନେ ମହାପ୍ରସାଦ ବିକିବେ, ସ୍ଥାନ ଚିହ୍ନଟ ହେବ । ସେହି ଅନୁସାରେ ଷ୍ଟଲ୍ ସବୁର ନମ୍ବରିଂ ହେବ ଓ ସାଇନେଜ୍ ଲାଗିବ ।