ନ୍ୟୁଜ 365 ( ବ୍ୟୁରୋ) : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଉଦ୍ଧାର କରିବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ରାଜି ହୋଇଛି। ଏଥି ସହିତ ପାକିସ୍ତାନକୁ ଏହା ୧୨୦ କୋଟି ଡଲାର ପ୍ରଦାନ କରିଛି। ମୋଟ ୩୦୦ କୋଟି ଡଲାର ଦେବାକୁ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ କିସ୍ତି ତୁରନ୍ତ ଜାରି କରାଯାଇଛି ବୋଲି ପାକିସ୍ତାନ ଅର୍ଥମନ୍ତ୍ରୀ ଇସକ୍ ଦର୍ କହିଛନ୍ତି।
କରୋନା ମହାମାରୀର ପ୍ରଭାବ ଓ ତା’ ସହିତ ଗତବର୍ଷ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ପାକିସ୍ତାନ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇଯିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି କରିବା କଷ୍ଟକର ହୋଇପଡ଼ିଥିଲା। ସଙ୍କଟରୁ ଉଦ୍ଧାର ପାଇବା ଲାଗି ପାକିସ୍ତାନ ସରକାର ଆଇଏମ୍ଏଫ୍ର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ପାଣ୍ଠି ଦେବା ପୂର୍ବରୁ ବହୁ କଠୋର ସର୍ତ୍ତ ପାଳନ କରବାକୁ ଆଇଏମ୍ଏଫ୍ ଦାବି କରିଥିଲା। ଇତି ମଧ୍ୟରେ ନିଜ ବନ୍ଧୁ ରାଷ୍ଟ୍ରଗୁଡ଼ିକଠାରୁ ପାଣ୍ଠି ଯୋଗାଡ଼ କରିବା ଲାଗି ପାକିସ୍ତାନ ଯେତେ ଉଦ୍ୟମ କରିଥିଲା ସବୁ ବିଫଳ ହୋଇଥିଲା। ଶେଷରେ ଅନ୍ୟ ଉପାୟ ନପାଇ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ାଇବା, ରାତିରେ ଶୀଘ୍ର ବଜାର ଓ ବିବାହ ମଣ୍ଡପ ବନ୍ଦ କରିବା ଆଦି କଠୋର ପଦକ୍ଷେପକୁ କାର୍ଯ୍ୟକାରୀ କରିଥିଲା। ଦୀର୍ଘଦିନ ଅପେକ୍ଷା କରାଇବା ପରେ ଆଇଏମ୍ଏଫ୍ ପାଣ୍ଠି ଦେବାକୁ ଏବେ ରାଜି ହୋଇଛି।