ଆସନ୍ତା କାଲି ( ଜୁଲାଇ ୧୪) ରେ ଇତିହାସ ସୃଷ୍ଟି କରିବାକୁ ଯାଉଛି ଭାରତ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଉତକ୍ଷେପଣ ପାଇଁ ଏହାର କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଯାଇଛି । ଶୁକ୍ରବାର ଅପରାହ୍ନ ୨ଟା ୩୫ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହି ଅଭିଯାନ ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରଯାନ-୩ ମିଶନର ଉତକ୍ଷେପଣ ପ୍ରକ୍ରିୟାର ୨୪ ଘଣ୍ଟିଆ ଉତକ୍ଷେପଣ ଅଭ୍ୟାସ ବୁଧବାର ଶେଷ ହୋଇଛି। ବରିଷ୍ଠ ମହାକାଶ ବୈଜ୍ଞାନିକ ଜି. ମାଧବନ ନାୟାର କହିଛନ୍ତି ଯେ ଚନ୍ଦ୍ରରେ ଚନ୍ଦ୍ରଯାନ-୩ ଅଭିଯାନ ସବୁ କ୍ଷେତ୍ରରୁ ସଫଳ ହେବା ଦରକାର ଯାହା ଦ୍ୱାରା ଭାରତ ମହାକାଶ ଗବେଷଣାକ୍ଷେତ୍ରରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିପାରିବ ।
୪ ବର୍ଷ ତଳେ ୨୦୧୯ରେ ଚନ୍ଦ୍ରଯାନ-୨ ଅଭିଯାନ ସମୟରେ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇପାରିନଥିଲା। ଏହାକୁ ଦୃଷ୍ଟିରେ ରଖି ଚନ୍ଦ୍ରଯାନ-୩ ମିଶନ କୁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ମାଧବନ ନାୟାର କହିଛନ୍ତି ଯେ ଜାତୀୟ ମହାକାଶ ଏଜେନ୍ସି ପ୍ରାୟ ୪ ବର୍ଷ ପୂର୍ବେ ଚନ୍ଦ୍ରଯାନ-୨ର ସଫ୍ଟ ଲ୍ୟାଣ୍ଡିଂ ସମୟରେ ସମସ୍ୟାର ସମାଧାନ ପାଇଁ ଅନେକ ପଦକ୍ଷେପ ନେଇଥିଲା ଏବଂ ନିଜର ବ୍ୟବସ୍ଥାକୁ ସୁଦୃଢ଼ କରିଥିଲା ।