1.ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆର୍ସିବିର ଆଇପିଏଲ୍ ବିଜୟ ଉତ୍ସବ ସମୟରେ ଜନସମାଗମ ଯୋଗୁଁ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏହିଦଳା ଚକଟାରେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଦଳାଚକଟା ଘଟଣାକୁ ନେଇ RCB ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ସୋସିଆଲ୍ ମିଡ଼ିଆ Xରେ ଆରସିବି ଦର୍ଶାଇଛି, ସମସ୍ତଙ୍କ ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଘଟଣାକୁ ନେଇ ଆମେ ଗଭୀର ଭାବରେ ମର୍ମାହତ। ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ସମବେଦନା ଜଣାଉଛୁ ବୋଲି ଦର୍ଶାଇଛି RCB । ପୁଲିସ ନିୟନ୍ତ୍ରଣ କରିପାରିନଥିବା ଅଭିଯୋଗ ହୋଇଛି । ବିଜେପି ଏହି ଘଟଣାରେ କଂଗ୍ରେସ ସରକାରଙ୍କୁ ସମାଲୋଚନାର କରିଛି।
2.ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା
ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା । ଗୁଳୁଗୁଳି ସହ ଝାଞ୍ଜି ପବନରେ ସନ୍ତୁଳି ହେଉଛି ଜନଜୀବନ। ଓଡ଼ିଶାରେ ଏବେ ପ୍ରଚଣ୍ଡ ତାତି ଲୋକଙ୍କୁ ଅସୁବିଧାରେ ପକାଉଛି। ୨୦୨୫ ମେ’ ୨୮ରେ ଓଟିଭି ଖବର ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ପହଞ୍ଚିଥିଲେ ମଧ୍ୟ, ଜୁନ୍ ୨ ସୁଦ୍ଧା ମୌସୁମୀ ଦୁର୍ବଳ ହେବାରୁ ତାପମାତ୍ରା ୫-୬ ଡିଗ୍ରୀ ବୃଦ୍ଧି ପାଇଛି। ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି। ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦିନରେ ବର୍ଷା ସମ୍ଭାବନା ଥାଇପାରେ, ଯାହା ତାତିରୁ କିଛି ଆରାମ ଦେଇପାରେ। ଲୋକଙ୍କୁ ହାଇଡ୍ରେଟେଡ୍ ରହିବା ଓ ତାତିରୁ ସୁରକ୍ଷା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
3. ମେଧା ପାଟେକର ଅଟକ
ରାୟଗଡ଼ାରେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କୁ ପୋଲିସ ରେଲୱେ ଷ୍ଟେସନରୁ ଅଟକ ରଖିଥିବା ସୂଚନା ମିଳିଛି। ସେ କାଶୀପୁର ବ୍ଲକର ସୁଙ୍ଗେର ହାଟପଦାରେ ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ସମାବେଶରେ ଯୋଗ ଦେବାକୁ ଯାଉଥିବା ବେଳେ ପୋଲିସ ଅଟକ ରଖିଥିଲା । ସିଜିମାଳି ଖଣି ଖନନ ବିରୋଧରେ ଏହି ସମାବେଶ ଆୟୋଜନ ହେବାକୁ ଥିଲା। ତାଙ୍କୁ ନିର୍ଜନ ସ୍ଥାନରେ ରଖି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନ କରିବାକୁ ପୋଲିସ ପକ୍ଷରୁ ବାରଣ କରାଯାଇଥିବା ଜଣାପଡ଼ିଛି।
4. ଏକ୍ ପେଡ୍ ମା’ କେ ନାମ୍
ଏକ୍ ପେଡ୍ ମା’ କେ ନାମ୍ । ‘ମା’ଙ୍କ ନାମରେ ଗୋଟିଏ ଗଛ’ ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା ଆଜି ପରିବେଶ ଦିବସ ଅବସରରେ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ବୃହତ୍ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ ‘ମା’ଙ୍କ ନାମରେ ଗୋଟିଏ ଗଛ ୨.୦’ ଅଭିଯାନର ଶୁଭାରମ୍ଭ ହେଉଛି। ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ଆଜି ଜୁନ ୫ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ୩୦ ମଧ୍ୟରେ ୧୦ କୋଟି ଗଛ ଲଗାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀ ବିଶେଷକରି ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି।
5.ଯୋରନ୍ଦା ମହିମାଗାଦିର ଉନ୍ନତୀକରଣ
ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ୨୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେ ୧୧୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍ଘାଟନ କରିଥିବା ବେଳେ, ୧୨୦ କୋଟିର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ସହ ୭୬ କୋଟିର ୧୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ, ଢେଙ୍କାନାଳରେ ମେଡିକାଲ କଲେଜ ପ୍ରତିଷ୍ଠା, ଯୋରନ୍ଦା ମହିମାଗାଦିର ଉନ୍ନତୀକରଣ ଓ ୪୦୦୦ କୋଟିର ଆଇନସ୍ ଉଇଣ୍ଡ୍ସ ଇଣ୍ଡଷ୍ଟ୍ରି ସମେତ ୫୦ ହଜାର କୋଟିର ୪ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
6. ଦେବଗଡ଼ର ବିକାଶ ହେବ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେବଗଡ଼ ଜିଲ୍ଲାକୁ ଗସ୍ତ କରି ପ୍ରାୟ ୨୦୫ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ମୁଖ୍ୟ ଆକର୍ଷଣ ଥିଲା ୧୪୨.୮୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉଦ୍ଘାଟନ। ଏହି ଚିକିତ୍ସାଳୟରେ ମେଡିସିନ୍, ସର୍ଜରୀ, ଡେନ୍ଟାଲ, ଚର୍ମ ରୋଗ ଆଦି ସହ ଆଧୁନିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ, ଯାହା ଜିଲ୍ଲାବାସୀଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବ।
ଏହା ସହିତ, ମୁଖ୍ୟମନ୍ତ୍ରୀ ୧୧ଟି ସ୍ୱାସ୍ଥ୍ୟ ପ୍ରକଳ୍ପ ଓ ୪ଟି ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ଏବଂ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ମଧ୍ୟରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳୀଙ୍କ ପାଇଁ ୪୧.୧୭ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ରହିଛି। ଏହି ପଦକ୍ଷେପଗୁଡ଼ିକ ଦେବଗଡ଼ର ସମଗ୍ର ବିକାଶ ଓ ଜନସାଧାରଣଙ୍କ ଜୀବନମାନ ଉନ୍ନତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
7. ଭୁଲ ଇଞ୍ଜେକ୍ସନ ଯୋଗୁଁ ୫ ଜଣଙ୍କ ମୃତ୍ୟୁ
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପାଞ୍ଚ ରୋଗୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ଜାରି ରହିଛି । ଆଇସିୟୁ ସର୍ଜରୀରେ ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୱାର୍ଡରେ ଥିବା ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଆଇସିୟୁ ସର୍ଜରୀରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଆଇସିୟୁ ସର୍ଜରୀରେ ପ୍ରାଣ ହରାଇଥିବା ୩ ରୋଗୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ କରାଯିବାପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
8.ଓଡ଼ିଶା ସରକାର ଆରମ୍ଭ କରିବେ ମାଗଣା ୟୁପିଏସସି କୋଚିଂ
ଓଡ଼ିଶା ସରକାର ଆରମ୍ଭ କରିବେ ମାଗଣା ୟୁପିଏସସି କୋଚିଂ । SAMS ପୋର୍ଟାଲରେ ପ୍ରବେଶ ପରୀକ୍ଷା ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଓଡ଼ିଶା ସରକାର ଉଚ୍ଚ ଶିକ୍ଷା ବିଭାଗ ମାଧ୍ୟମରେ UPSC (ସଂଘ ଲୋକସେବା ଆୟୋଗ) ପରୀକ୍ଷା ପାଇଁ ମାଗଣା କୋଚିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ରାଜ୍ୟରେ ପ୍ରତିଯୋଗୀ ପରୀକ୍ଷା ପାଇଁ ସମାନ ସୁଯୋଗ ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମ ଅଧୀନରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ UPSC ପରୀକ୍ଷା ପାଇଁ ମାଗଣା ପ୍ରଶିକ୍ଷଣ ଦିଆଯିବ। ଆବେଦନ ପ୍ରକ୍ରିୟା ଜୁନ୍ ୪, ୨୦୨୫ରୁ ଆରମ୍ଭ ହୋଇଛି। ଆବେଦନ କରିବା ପାଇଁ ଛାତ୍ରଛାତ୍ରୀମାନେ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ଅଫିସିଆଲ୍ ୱେବସାଇଟ୍ କିମ୍ବା ସଂପୃକ୍ତ ପୋର୍ଟାଲରେ ନିର୍ଦ୍ଦିଷ୍ଟ ତାରୀଖ ମଧ୍ୟରେ ଆବେଦନ କରିପାରିବେ।
9. ପିଜି ପାଠକୁ ଆଗ୍ରହ ନାହିଁ
ପିଜି ପାଠକୁ ଏବେ କାହାର ଆଗ୍ରହ ନାହିଁ । B.Ed କରିବାକୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି । ଚଳିତ ବର୍ଷ ୨ହଜାର ୭୫୦ ସିଟ୍ ପାଇଁ ଲକ୍ଷେ ୨୬ ହଜାର ଆବେଦନ ଡେଇଁଲାଣି। ଓଡ଼ିଶାରେ ବି.ଏଡ୍ (B.Ed) ପ୍ରୋଗ୍ରାମ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି, ବିଶେଷକରି ପୋଷ୍ଟ-ଗ୍ରାଜୁଏଟ (PG) ପାଠ୍ୟକ୍ରମ ଅପେକ୍ଷା। ୨୦୨୫ ଶିକ୍ଷା ବର୍ଷ ପାଇଁ ବି.ଏଡ୍ ପ୍ରବେଶ ପରୀକ୍ଷାରେ ପ୍ରାୟ ୧. ୪୦ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି, ଯାହା ଶିକ୍ଷକ ଶିକ୍ଷା ପ୍ରତି ବଢ଼ୁଥିବା ଆକର୍ଷଣକୁ ସୂଚାଇଛି। ରାଜ୍ୟରେ ସରକାରୀ ଓ ଘରୋଇ ବି.ଏଡ୍ କଲେଜଗୁଡ଼ିକରେ ସୀମିତ ସିଟ୍ ଥାଇ ମଧ୍ୟ ଆବେଦନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର ମୁଖ୍ୟ କାରଣ ହେଉଛି ଶିକ୍ଷକତା ପେଶାରେ ସ୍ଥିରତା, ସରକାରୀ ଚାକିରିର ସୁଯୋଗ ଓ ସାମାଜିକ ସମ୍ମାନ।
10. ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୧୨୪୦ ନିଯୁକ୍ତି ପତ୍ର
ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୧୨୪୦ ନିଯୁକ୍ତି ପତ୍ର, ଗଣଶିକ୍ଷା ବିଭାଗରେ ନିଯୁକ୍ତ ହେବେ ୮୨୬ ପିଜିଟି, ୮୧ ଜଣ ସରକାରୀ ପଲିଟେକନିକ୍ ଶିକ୍ଷକ ପାଇବେ ନିଯୁକ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଜୁନ୍ ୬, ୨୦୨୫ରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୨୪୦ ଜଣ ନୂତନ ନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ଏହି ନିଯୁକ୍ତି ମଧ୍ୟରୁ ୮୨୬ ଜଣ ପୋଷ୍ଟ ଗ୍ରାଜୁଏଟ ଟିଚର (PGT) ଗଣଶିକ୍ଷା ବିଭାଗରେ ନିଯୁକ୍ତ ହେବେ। ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଯୁବବର୍ଗଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅଧିକ ବିବରଣୀ ପାଇଁ ଓଡ଼ିଶା ସରକାରଙ୍କ ଅଫିସିଆଲ୍ ୱେବସାଇଟ୍ (www.odisha.gov.in) (www.odisha.gov.in) କିମ୍ବା ଗଣଶିକ୍ଷା ବିଭାଗର ୱେବସାଇଟ୍ ପରିଦର୍ଶନ କରନ୍ତୁ।
11. ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା
ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା, ଏବେ ବୁଲିବାକୁ ଯାଇପାରିବେ ପର୍ଯ୍ୟଟକ। ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣା ଜୁନ୍ ୩, ୨୦୨୫ରେ ଉଠାଯାଇଛି। ମେ ୯ରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ସୁରକ୍ଷା କାରଣରୁ କଟକଣା ଲାଗୁ କରାଯାଇଥିଲା। ଏବେ ପର୍ଯ୍ୟଟକମାନେ ନିଷିଦ୍ଧାଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନ ବୁଲିପାରିବେ, ତଥାପି ଉନ୍ନତ ସୁରକ୍ଷା ବ୍ୟବସ୍ଥା ବଜାୟ ରହିଛି। ହୀରାକୁଦ ଡ୍ୟାମ୍, ଯାହା ବିଶ୍ୱର ଦୀର୍ଘତମ ମାଟି ବନ୍ଧ ଭାବେ ପରିଚିତ, ଗାନ୍ଧୀ ମିନାର ଓ ଜବାହର ମିନାରରୁ ନୈସର୍ଗିକ ଦୃଶ୍ୟ ସହ ଜଳକ୍ରୀଡ଼ା ଓ ବୋଟିଂ ଭଳି ଆକର୍ଷଣ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ। ଅକ୍ଟୋବରରୁ ଜୁନ ମାସ ପର୍ଯ୍ୟନ୍ତ ହେଉଛି ପରିଦର୍ଶନର ଉପଯୁକ୍ତ ସମୟ।
୧2. ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ
କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ, ୫ ବର୍ଷ ରହିବେ କେନ୍ଦ୍ରୀୟ ଡେପୁଟେସନରେ। ଓଡ଼ିଶା କ୍ୟାଡରର ୨୦୧୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଆଶିଷ ଠାକରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ତାଙ୍କୁ କେନ୍ଦ୍ର ସରକାରଙ୍କ ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରେ (Department of Empowerment of Persons with Disabilities, Delhi) ନିର୍ଦ୍ଦେଶକ ଭାବେ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ଜୁନ୍ ୩, ୨୦୨୫ରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ସେ ପୂର୍ବରୁ ଓଡ଼ିଶାରେ ବୋର୍ଡ ଅଫ୍ ରେଭେନ୍ୟୁର ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ। ଏହି ନିଯୁକ୍ତି ସେଣ୍ଟ୍ରାଲ ଷ୍ଟାଫିଂ ସ୍କିମ୍ ଅଧୀନରେ ହୋଇଛି ଏବଂ ସେ ତୁରନ୍ତ ନୂଆ ଦାୟିତ୍ୱ ଗ୍ରହଣ କରିବେ।
13. ଅପରେସନ ସିନ୍ଦୁରରେ କଣ ଘଟିଥିଲା
ଅପରେସନ୍ ସିନ୍ଦୂର ଏବଂ ପାକିସ୍ତାନର ଆକ୍ରମଣ ସମ୍ପର୍କରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ଅନେକ ତଥ୍ୟ ସାର୍ବଜନୀନ କରିଛନ୍ତି। ପାକିସ୍ତାନ ଭାରତ ଉପରେ ଆକ୍ରମଣ ପାଇଁ ୪୮ ଘଣ୍ଟିଆ ଯୋଜନା କରିଥିବା ବେଳେ ଭାରତର କଡ଼ା ଜବାବରେ ମାତ୍ର ୮ଘଣ୍ଟା ମଧ୍ୟରେ ପାକିସ୍ତାନ ପରାସ୍ତ ହୋଇଥିଲା । ଭାରତ ପ୍ରଥମ ପର୍ଯ୍ୟାୟରେ ନୁର ଖାନ୍, ମୁରିଦକେ ଏବଂ ରଫିକି ଭଳି ଏହାର ଗୁରୁତ୍ବପୂର୍ଣ୍ଣ ଏୟାରବେସ୍କୁ କ୍ଷେପଣାସ୍ତ୍ର ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ପରିସ୍ଥିତି ଖରାପ ହେବାପରେ ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଓଙ୍କୁ ଫୋନ୍ କରି କହିଥିଲେ ଯେ ଇସଲାମାବାଦ ଆଲୋଚନା ଚାହୁଛି ।
14. ଆରମ୍ଭ ହେବ ଜନଗଣନା
ଜନଗଣନା ପାଇଁ ସାରା ଦେଶରେ ଏବଂ ରାଜ୍ୟରେ ଆରମ୍ଭ ହୋଇଛି ପ୍ରସ୍ତୁତି। ୨୦୨୬ରେ ଓଡ଼ିଶାରେ ସୀମା ନିର୍ଦ୍ଧାରଣ ହୋଇପାରେ। ରାଜସ୍ବ ମନ୍ତ୍ରୀଙ୍କ ଏହି ସୂଚନା ପରେ ଏବେ ସବୁଠି ଜନଗଣନା ସଂପର୍କିତ ଆଲୋଚନା। ଅପରପକ୍ଷେ ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ଜାତିଭିତ୍ତିକ ଜନଗଣନା ହେଉଥିବାରୁ ପଛୁଆ ବର୍ଗ ଉପକୃତ ହେବେ ବୋଲି ଆଶା କରାଯାଉଛି। ଆଗକୁ ମହିଳା ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ନେଇ ଆସିପାରେ ବଡ଼ ନିଷ୍ପତ୍ତି। ରାଜ୍ୟର ଜନଗଣନା ପାଇଁ ନିଯୁକ୍ତ ହୋଇଛନ୍ତି ଅଧିକାରୀ। କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଆଇଏଏସ୍ ଅଫିସର ନିଖିଳ ପବନ କଲ୍ୟାଣଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି।
15. ବଢ଼ୁଛି କୋଭିଡ ସଂକ୍ରମଣ
ଆଜି ସୁଦ୍ଧା ଦେଶରେ ୪ ହଜାର ଟପିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୨୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ୬୫ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଇତିମଧ୍ୟରେ ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ୨୭୦୦ ଜଣ ଡିସଚାର୍ଜ ହୋଇ ସାରିଛନ୍ତି ।
16. ଦିନରେ ରାତି ସଂଧ୍ୟାରେ ବର୍ଷା
ଆଗାମୀ ୫ ଦିନ ମଧ୍ୟରେ ଗରମ ଏବଂ ଗୁଳୁଗୁଳି ସ୍ଥିତି ମଧ୍ୟ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷକରି ଉପକୂଳ ଜିଲ୍ଲାରେ ମାନଙ୍କରେ ଗରମ ବେଶି ଅନୁଭୂତ ହେବ । ଆଗାମୀ ୪ ଦିନ ମଧ୍ୟରେ ଅସହ୍ୟ ଗରମ ଗୁଳୁଗୁଳି ନେଇ କିଛି ଜିଲାକୁ ଏଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ l ରାଜ୍ୟରେ ବିଭିନ୍ନ ସ୍ଥାନରେ ଦିନବେଳା ଗରମ ହେଉଥିବା ବେଳେ ସଂଧ୍ୟାବେଳେ ବର୍ଷା ହେଉଛି । ଗଞ୍ଜାମ, ନୟାଗଡ଼, ଭଦ୍ରକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।