ନକ୍ସଲ ଆକ୍ରମଣରେ ଜୀବନ ହାନି ହ୍ରାସ ପାଇଛି କି?
ଓଡ଼ିଶାରେ ନକ୍ସଲ ଆକ୍ରମଣ କମିଛି ?
ଗିରଫଦାରୀ ଓ ଆତ୍ମସମର୍ପଣ ବଢ଼ିଛି କି?
ସାଧାରଣ ଲୋକଙ୍କ ଆଗ୍ରହ କମିଛି କି ?
ନକ୍ସଲବାଦୀଙ୍କ ପ୍ରତି ଦୂରତ୍ୱ ବଢ଼ିଛି କି ?
ଆଦିବାସୀଙ୍କ ମନରୁ ନକ୍ସଲ ବିଚାରଧାରାର ବିଦାୟ ନେଇଛି କି?
ନକ୍ସଲମୁକ୍ତ ଓଡ଼ିଶା ସମ୍ଭାବନା ସୃଷ୍ଟି ହୋଇଛି କି?
- ୨୦୨୩ରେ ସୁରକ୍ଷା ବାହିନୀ ଓ ନକ୍ସଲବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ୫କୁ ହ୍ରାସ ପାଇଥିଲା, ଯାହା ୨୦୨୨ରେ ୧୩ ଓ ୨୦୨୧ରେ ୨୨ ଥିଲା।
- ୨୦୨୩ରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇନାହିଁ : ୨୦୨୩ରେ ନକ୍ସଲ ହିଂସାରେ କୌଣସି ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇନଥିଲା।
- ସାଧାରଣ ନାଗରିକଙ୍କ ମୃତ୍ୟୁରେ ହ୍ରାସ: ୨୦୨୩ରେ ନକ୍ସଲ ହିଂସାରେ ସାଧାରଣ ନାଗରିକଙ୍କ ମୃତ୍ୟୁ କମିଛି ।
- ସୁରକ୍ଷା ଅଭିଯାନ: CRPF, SOG, BSF, ଓ CoBRAର ମିଳିତ ଅପରେସନ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲ ନେଟୱାର୍କକୁ ବିନାଶ କରିଛି।
- ବଡ଼ ଅପରେସନ (ଜାନୁୟାରୀ ୨୦୨୫): ୨୦୨୫ ଜାନୁୟାରୀ ୨୧ରେ ଏକ ଅପରେସନରେ ୧୪ ଜଣ ନକ୍ସଲବାଦୀ, ଯେଉଁଥିରେ ବରିଷ୍ଠ ନେତା ଚଳପତିଙ୍କ ହତ୍ୟା ହୋଇଥିଲା, ଯାହା ଓଡ଼ିଶା ମାଓବାଦୀ କମିଟିକୁ ଦୁର୍ବଳ କରିଥିଲା।
- BSFର ସଫଳତା: ୨୦୧୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ BSF ଅପରେସନରେ ୬୫ ଜଣ ନକ୍ସଲବାଦୀ ହତ୍ୟା, ୭୯୩ ଜଣ ଗିରଫ, ଓ ୬୩୨ ଜଣ ଆତ୍ମସମର୍ପଣ କରିଥିଲେ।
- ଆତ୍ମସମର୍ପଣରେ ବୃଦ୍ଧି: ଗତ ତିନି ବର୍ଷରେ ଅନେକ ନକ୍ସଲବାଦୀ ଆତ୍ମସମର୍ପଣ କରିଛନ୍ତି, ଯାହା ଓଡ଼ିଶାରେ ମାଓବାଦୀ ଶକ୍ତିକୁ ଆହୁରି ଦୁର୍ବଳ କରିଛି।
- କ୍ୟାଡର ହ୍ରାସ : ୨୦୧୯ରୁ ୨୦୨୩ ମଧ୍ୟରେ ୪୨ ଜଣ ନକ୍ସଲବାଦୀଙ୍କ ହତ୍ୟା ହୋଇଛି, ଯାହା ରାଜ୍ୟରେ ସକ୍ରିୟ କ୍ୟାଡରଙ୍କ ସଂଖ୍ୟାକୁ ହ୍ରାସ କରିଛି।
- ଗିରଫଦାରୀ: ୨୦୧୯ରୁ ୨୦୨୩ ମଧ୍ୟରେ ୧୪୫ ଜଣ ନକ୍ସଲବାଦୀ ଗିରଫ ହୋଇଛନ୍ତି, ଯାହା ମାଓବାଦୀ କାର୍ଯ୍ୟକଳାପକୁ ବ୍ୟାହତ କରିଛି।
- ଡ୍ରୋନ ନିରୀକ୍ଷଣ: ୨୦୨୪ରେ ଓଡ଼ିଶା ପୁଲିସ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ ଅଞ୍ଚଳରେ ଉନ୍ନତ ଡ୍ରୋନ ବ୍ୟବହାର କରିଥିଲା, ଯାହା ଗୁଇନ୍ଦା ସୂଚନା ଉନ୍ନତ କରି ନକ୍ସଲଙ୍କ ଗତିବିଧିକୁ ହ୍ରାସ କରିଛି।
- ଅପରେଟିଂ ବେସ୍ : ୨୦୨୪ରେ BSF କନ୍ଧମାଳର ବଡ଼ପଜୁରେ ଏକ କମ୍ପାନୀ ଅପରେଟିଂ ବେସ ସ୍ଥାପନ କରିଥିଲା, ଯାହା ମାଓବାଦୀଙ୍କ ଲଜିଷ୍ଟିକ ଓ ଯୋଗାଣ ଶୃଙ୍ଖଳାକୁ ଟାର୍ଗେଟ କରିଛି।
- ଯୋଗାଯୋଗରେ ଉନ୍ନତି : ୨୦୧୮ରେ ମାଲକାନଗିରିରେ ଗୁରୁପ୍ରିୟା ସେତୁ ଭଳି ଭିତ୍ତିଭୂମି ପ୍ରକଳ୍ପ ଯୋଗାଯୋଗ ଉନ୍ନତ କରି ଆଦିବାସୀଙ୍କ ବିଚ୍ଛିନ୍ନତା ହ୍ରାସ କରିଛି ଏବଂ ନକ୍ସଲ ପ୍ରଭାବକୁ କମାଇଛି।
ଓଡ଼ିଶାରେ ନକ୍ସଲ ଆନ୍ଦୋଳନ ଆଜି ଦୁର୍ବଳ ହୋଇପଡ଼ିଛି। ସୁରକ୍ଷା ବାହିନୀର କଠୋର ନୀତି, ସରକାରୀ ବିକାଶ ଯୋଜନା, ଓ ସାଧାରଣ ଲୋକ ତଥା ଆଦିବାସୀଙ୍କ ଅଣଆଗ୍ରହ ଏହାର ମୁଖ୍ୟ କାରଣ। ନକ୍ସଲ ଆକ୍ରମଣରେ ଶହ ଶହ ଜୀବନ ହାନି ହୋଇଥିଲେ ମଧ୍ୟ, ସମୟ ସହ ଏହାର ତୀବ୍ରତା କମିଛି। ଜେଲରେ ଥିବା ନକ୍ସଲବାଦୀଙ୍କ ସଂଖ୍ୟା ଓ ଆତ୍ମସମର୍ପଣ ନୀତି ମଧ୍ୟ ଏହି ଆନ୍ଦୋଳନକୁ ଦୁର୍ବଳ କରିଛି। ଯଦି ସରକାର ବିକାଶ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରଖେ, ତେବେ ଓୡ଼ଶା ଶୀଘ୍ର ନକ୍ସଲମୁକ୍ତ ହେବ।
ନକ୍ସଲ ଆନ୍ଦୋଳନ, ଯାହା ମାଓବାଦୀ ଆନ୍ଦୋଳନ ନାମରେ ମଧ୍ୟ ଜଣାଶୁଣା, ଓଡ଼ିଶାରେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଦୀର୍ଘ ସମୟ ଧରି ସକ୍ରିୟ ରହିଛି। ଏହି ଆନ୍ଦୋଳନ ସାମାଜିକ ଓ ଅର୍ଥନୈତିକ ଅସମାନତା ବିରୁଦ୍ଧରେ ସଶସ୍ତ୍ର ସଂଘର୍ଷ ଜରିଆରେ ଲଢ଼େଇ କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ସମୟ ସହ ଏହାର ପ୍ରଭାବ କମିଛି, ସାଧାରଣ ଲୋକ ଓ ଆଦିବାସୀମାନଙ୍କର ନକ୍ସଲଙ୍କ ସମର୍ଥନ ପ୍ରତି ଆଗ୍ରହ ଆଉ ନାହିଁ ।
ନକ୍ସଲ ଆକ୍ରମଣରେ ଜୀବନ ହାନି
ଦିନ ଥିଲା ଓଡ଼ିଶାରେ ନକ୍ସଲ ଆକ୍ରମଣ ଯୋଗୁଁ ବହୁ ସଂଖ୍ୟାରେ ଜୀବନ ହାନି ହେଉଥିଲା । ଯେଉଁଥିରେ ସୁରକ୍ଷା ବାହିନୀ, ସାଧାରଣ ନାଗରିକ ଓ ନକ୍ସଲବାଦୀ ନିଜେ ଅନ୍ତର୍ଭୁକ୍ତ ଥିଲେ। ଗତ ଦୁଇ ଦଶକରେ ଓଡ଼ିଶାରେ ନକ୍ସଲ ସମ୍ବନ୍ଧୀୟ ହିଂସାରେ ଶହ ଶହ ଲୋକଙ୍କର ଏବଂ ସୁରକ୍ଷାକର୍ମୀଙ୍କ ଜୀବନ ହାନି ହୋଇଛି।
୨୦୦୮ରୁ ୨୦୨୪ ମଧ୍ୟରେ ଓଡ଼ିଶାରେ ନକ୍ସଲ ଆକ୍ରମଣରେ ଶହେରୁ ଅଧିକ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି। ଉଦାହରଣ ସ୍ୱରୂପ, ୨୦୦୮ ମସିହାରେ ନୟାଗଡ଼ରେ ହୋଇଥିବା ଆକ୍ରମଣରେ ୧୫ ଜଣ ପୁଲିସ କର୍ମୀ ପ୍ରାଣ ହରାଇଥିଲେ।
ନକ୍ସଲବାଦୀମାନେ ଅନେକ ସମୟରେ ସାଧାରଣ ଲୋକଙ୍କୁ “ସୂଚନା ଦେଉଥିବା” ଅଭିଯୋଗରେ ହତ୍ୟା କରିଛନ୍ତି। ୨୦୧୦ରୁ ୨୦୨୦ ମଧ୍ୟରେ ଓଡ଼ିଶାରେ ପ୍ରାୟ ୧୫୦-୨୦୦ ସାଧାରଣ ନାଗରିକ ନକ୍ସଲ ହିଂସାରେ ପ୍ରାଣ ହରାଇଥିବା ଅନୁମାନ କରାଯାଏ।
ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଶହେରୁ ଅଧିକ ନକ୍ସଲବାଦୀଙ୍କ ମୃତ୍ୟୁ ଘଟିଛି । ୨୦୨୫ ମେ’ ମାସରେ ଛତିଶଗଡ଼ ସୀମାନ୍ତରେ ଅବୁଜମାଡ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ୨୭ ଜଣ ମାଓବାଦୀ ହତ୍ୟା ହୋଇଥିଲେ, ସେଥିରେ ନକ୍ସଲ ନେତା ବାସବରାଜୁ ମଧ୍ୟ ଥିଲେ ଯାହା ଓଡ଼ିଶାର ନିକଟବର୍ତ୍ତୀ ଅଞ୍ଚଳରେ ନକ୍ସଲବାଦୀଙ୍କ ଶକ୍ତିକୁ ଦୁର୍ବଳ କରିଛି।
ଓଡ଼ିଶାରେ ନକ୍ସଲ ଆକ୍ରମଣର ସମୟ
ଓଡ଼ିଶାରେ ନକ୍ସଲ ଆକ୍ରମଣ ୧୯୮୦ ଦଶକରୁ ଆରମ୍ଭ ହୋଇଥିଲା, କିନ୍ତୁ ୨୦୦୦ ଦଶକରେ ଏହା ଅଧିକ ତୀବ୍ର ହୋଇଥିଲା।
୨୦୦୮: ନୟାଗଡ଼ରେ ନକ୍ସଲବାଦୀମାନେ ପୁଲିସ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଆକ୍ରମଣ କରି ୧୫ ଜଣ ପୁଲିସ କର୍ମୀଙ୍କୁ ହତ୍ୟା କରିଥିଲେ।
୨୦୧୦: କୋରାପୁଟ ଜିଲ୍ଲାରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣରେ ୧୧ ଜଣ CRPF ଯବାନ ଶହୀଦ ହୋଇଥିଲେ।
୨୦୧୬: ମାଲକାନଗିରିରେ ଏକ ଆକ୍ରମଣରେ ୮ ଜଣ ସୁରକ୍ଷା କର୍ମୀ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।
୨୦୨୧: କଳାହାଣ୍ଡି ଜିଲ୍ଲାରେ ଏକ ଏନକାଉଣ୍ଟରରେ ୫ ଜଣ ନକ୍ସଲବାଦୀ ହତ୍ୟା ହୋଇଥିଲେ, କିନ୍ତୁ ଏହା ପୂର୍ବରୁ ସେମାନେ ଜଣେ ଗ୍ରାମବାସୀଙ୍କୁ “ସୂଚନା ଦେଉଥିବା” ଅଭିଯୋଗରେ ହତ୍ୟା କରିଥିଲେ।
ଗତ କିଛି ବର୍ଷରେ ଅନେକ ସାଧାରଣ ଲୋକଙ୍କୁ ମାଓବାଦୀମାନେ ପୋଲିସକୁ ସୂଚନା ଦେବା ଅଭିଯୋଗରେ ହତ୍ୟା କରିଛନ୍ତି ତାହାର ସଂଖ୍ୟା ଶହେରୁ ଅଧିକ ହେବ । ଏବେ ଗତ କିଛି ବର୍ଷ ହେଲା ଆକ୍ରମଣର ସଂଖ୍ୟା କମିଛି, ଯାହା ସୁରକ୍ଷା ବାହିନୀର କଠୋର ନୀତି ଓ ସର୍ଚ ଅପରେସନ, ଏନକାଉଁଟର ଯୋଗୁ ସମ୍ଭବ ହୋଇଛି ।ଏହା ନକ୍ସଲଙ୍କ ସଂଗଠନକୁ ଦୁର୍ବଳ କରିଛି ।
ଗିରଫ ଓ ଜେଲ ଭୟ
ଓଡ଼ିଶାରେ ନକ୍ସଲ ଅଞ୍ଚଳରେ ସର୍ଚ ଅପରେସନ ଜୋରଦାର କରାଯାଉଛି । ଧରାପଡ଼ିଲେ ସିଧା ଜେଲ ଯିବାକୁ ପଡ଼ୁଛି । ପୂର୍ବ ଭଳି ସେମାନଙ୍କୁ ଜାମିନ ମିଳୁନାହିଁ । ଗତ କିଛି ବର୍ଷରେ ଗିରଫ ହୋଇଥିବା ଓଡ଼ିଶାର ବିଚାରାଧୀନ ଓ ଦୋଷୀ ନକ୍ସଲବାଦୀଙ୍କ ସଂଖ୍ୟା ପ୍ରାୟ ୫୦୦-୬୦୦ ହେବ। ଏମାନଙ୍କ ମଧ୍ୟରେ ଅନେକ ନେତୃସ୍ଥାନୀୟ ମାଓବାଦୀ ରହିଛନ୍ତି, ଯେଉଁମାନେ ମାଲକାନଗିରି, କୋରାପୁଟ, ଓ କନ୍ଧମାଳ ଜିଲ୍ଲାରୁ ଗିରଫ ହୋଇଛନ୍ତି। ଅନେକ ନକ୍ସଲବାଦୀ ସରକାରୀ ଆତ୍ମସମର୍ପଣ ନୀତି ଅଧୀନରେ ଆତ୍ମସମର୍ପଣ କରିଛନ୍ତି, ଯାହା ଜେଲରେ ଥିବା ସଂଖ୍ୟାକୁ କମାଇଛି।
କେଉଁ ଜିଲ୍ଲାରେ କେତେ ହିଂସା
ମାଲକାନଗିରି ଜିଲ୍ଲା ନକ୍ସଲବାଦୀଙ୍କ ଗଡ଼ ହିସାବରେ ପରିଚିତ। ୨୦୦୦-୨୦୨୦ ମଧ୍ୟରେ ପ୍ରାୟ ୧୦୦-୧୫୦ ଜୀବନ ଯାଇଛି ଏଥିରେ ସୁରକ୍ଷା ବାହିନୀ ଓ ସାଧାରଣ ଲୋକ ରହିଛନ୍ତି ।
କୋରାପୁଟ ଜିଲ୍ଲାରେ ୮୦-୧୦୦ ହତ୍ୟା ନକ୍ସଲ ସମ୍ବନ୍ଧୀୟ ହିଂସାରେ ହୋଇଛି।
କନ୍ଧମାଳ ଜିଲ୍ଲାରେ ପ୍ରାୟ ୫୦-୭୦ ଜଣ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି।
କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାଗୁଡ଼ିକରେ ୩୦-୫୦ ହତ୍ୟା ରେକର୍ଡ ହୋଇଛି।
ସାଧାରଣ ଲୋକ କାହିଁକି ନକ୍ସଲଙ୍କୁ ପସନ୍ଦ କରୁନାହାଁନ୍ତି?
ସାଧାରଣ ଲୋକଙ୍କ ମଧ୍ୟରେ ନକ୍ସଲବାଦୀଙ୍କ ପ୍ରତି ଦିନକୁ ଦିନ ଆଗ୍ରହ କମିବାରେ ଲାଗିଛି । ନକ୍ସଲବାଦୀମାନେ ଅନେକ ସମୟରେ ସାଧାରଣ ଲୋକଙ୍କୁ “ସୂଚନାଦାତା” ଅଭିଯୋଗରେ ହତ୍ୟା କରିଛନ୍ତି, ଯାହା ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।
ନକ୍ସଲବାଦୀମାନେ ରାସ୍ତା, ପୋଲ ଓ ସ୍କୂଲ ନିର୍ମାଣ ଭଳି ବିକାଶ କାର୍ଯ୍ୟକୁ ବାଧା ଦେଇଛନ୍ତି, ଯାହା ସ୍ଥାନୀୟ ଲୋକଙ୍କ ଜୀବନଧାରାକୁ ଆହୁରି ଖରାପ କରିଛି।
ସରକାରୀ ଯୋଜନା ଯେପରିକି ରାସ୍ତା, ବିଦ୍ୟୁତ, ଶିକ୍ଷା ଓ ରୋଜଗାର ସୁବିଧା ଆଦିବାସୀ ଅଞ୍ଚଳରେ ପହଞ୍ଚିବା ଯୋଗୁଁ ଲୋକଙ୍କର ଅସନ୍ତୋଷ କମିଛି, ଯାହା ନକ୍ସଲବାଦୀଙ୍କୁ ସମର୍ଥନ ଦେବାରୁ ବିରତ ରଖିଛି।
ସୋସିଆଲ ମିଡିଆ ଓ ଶିକ୍ଷାର ପ୍ରସାର ଯୋଗୁଁ ଲୋକେ ନକ୍ସଲବାଦୀଙ୍କ ହିଂସାତ୍ମକ ପନ୍ଥାର ନକାରାତ୍ମକ ପ୍ରଭାବ ବୁଝିପାରୁଛନ୍ତି।
ଆଦିବାସୀମାନେ କାହିଁକି ନକ୍ସଲଙ୍କ ବିଚାରଧାରା ଗ୍ରହଣ କରୁନାହାଁନ୍ତି?
ଆଦିବାସୀମାନେ ନକ୍ସଲଙ୍କ ବିଚାରଧାରା ପ୍ରତି ଅଣଆଗ୍ରହୀ ହେଉଛନ୍ତି । ଅନେକ ଆଦିବାସୀ ଗାଁରେ ନକ୍ସଲବାଦୀମାନେ ସ୍ଥାନୀୟ ଲୋକଙ୍କଠାରୁ ଭୟ ଦେଖାଇ ଖାଦ୍ୟ, ଆଶ୍ରୟ ଓ ଅର୍ଥ ବଳପୂର୍ବକ ନେଇଛନ୍ତି, ଯାହା ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
ଶିକ୍ଷା ଓ ସୁଯୋଗ: ଆଦିବାସୀ ଯୁବକମାନେ ଆଜି ଶିକ୍ଷା ଓ ରୋଜଗାର ସୁଯୋଗ ମାଧ୍ୟମରେ ନିଜର ଜୀବନକୁ ଉନ୍ନତ କରିବାକୁ ଚାହୁଁଛନ୍ତି, ସେମାନେ ଅର୍ଥ ରୋଜଗାର କରି ପରିବାରକୁ ସୁଖ ଶାନ୍ତିରେ ରହିବାକୁ ପସନ୍ଦ କରୁଛନ୍ତି । ସେମାନେ ଜଙ୍ଗଲରେ ଲୁଚି ରହି ସଶସ୍ତ୍ର ସଂଘର୍ଷରେ ଯୋଗ ଦେବାକୁ ପସନ୍ଦ କରୁନାହାଁନ୍ତି।
ସରକାରୀ ସହାୟତା: ଆଦିବାସୀ ଅଞ୍ଚଳରେ ସରକାରୀ ଯୋଜନାର ସହାୟତା ମିଳୁଛି । ଯେପରିକି ଜନଶ୍ରୀ ବିମା, ଆଇନଗତ ସହାୟତା, ଓ ଅର୍ଥନୈତିକ ସହାୟତା ଆଦିବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରେରିତ କରିଛି।
ବିଚାରଧାରାର ଅପ୍ରାସଙ୍ଗିକତା: ନକ୍ସଲବାଦୀଙ୍କ ସାମ୍ୟବାଦୀ ବିଚାରଧାରା ଆଜିର ଆଧୁନିକ ଯୁଗରେ ଆଦିବାସୀ ଯୁବକମାନଙ୍କୁ ଆକୃଷ୍ଟ କରୁନାହିଁ। ସେମାନେ ବିକାଶ, ଶିକ୍ଷା ଓ ସୁରକ୍ଷିତ ଜୀବନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।
ନକ୍ସଲ-ମାଓବାଦ ଆନ୍ଦୋଳନର ଇତିହାସ
ନକ୍ସଲ ଯାହା ମାଓବାଦୀ ଆନ୍ଦୋଳନ ନାମରେ ମଧ୍ୟ ଜଣାଶୁଣା । ୧୯୬୦ ଦଶକରେ, ପଶ୍ଚିମବଙ୍ଗର ନକ୍ସଲବାଡ଼ି ଗାଁରେ ଏକ କୃଷକ ବିଦ୍ରୋହ ହୋଇଥିଲା। ସେତେବେଳେ ଏହି ଆନ୍ଦୋଳନ, ସମାଜରେ ଅସମାନତା, ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସଶସ୍ତ୍ର ସଂଘର୍ଷ ଜରିଆରେ ସମାଜବାଦୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିଲା।
ଓଡ଼ିଶାରେ ମଧ୍ୟ ଏହି ଆନ୍ଦୋଳନ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଆରମ୍ଭ ହୋଇଥିଲା। କିନ୍ତୁ ସମୟ ସହ ଏହାର ପ୍ରଭାବ ଦୁର୍ବଳ ହେବାରେ ଲାଗିଛି। ଆଜି ଓଡ଼ିଶାରେ ନକ୍ସଲ ଆନ୍ଦୋଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ୁଛି, ଏବଂ ଯୁବପିଢ଼ି ଏହାକୁ ପସନ୍ଦ କରୁନାହାନ୍ତି।
ଓଡ଼ିଶାରେ ନକ୍ସଲ ଆନ୍ଦୋଳନ
ଓଡ଼ିଶାରେ ନକ୍ସଲ ଆନ୍ଦୋଳନ ମୁଖ୍ୟତଃ ରାଜ୍ୟର ଆଦିବାସୀ ଓ ଦୁର୍ଗମ ଅଞ୍ଚଳଗୁଡ଼ିକରେ ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଓ ନୂଆପଡ଼ା ଭଳି ଜିଲ୍ଲାଗୁଡ଼ିକରେ ନକ୍ସଲବାଦୀମାନେ ସକ୍ରିୟ ଥିଲେ। ଏହାର ମୁଖ୍ୟ କାରଣ ଥିଲା ଆଦିବାସୀ ଓ ଗରିବ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ। ଜମି ସଂସ୍କାର, ଶିକ୍ଷାର ଅଭାବ, ଅର୍ଥନୈତିକ ଅସମାନତା, ସରକାରୀ ସୁବିଧାର ଅଭାବ ଓ ଆଦିବାସୀଙ୍କ ଅଧିକାର ହରଣ ଭଳି ବିଷୟଗୁଡ଼ିକ ନକ୍ସଲବାଦୀମାନଙ୍କୁ ଏହି ଅଞ୍ଚଳରେ ସମର୍ଥନ ଯୋଗାଇଥିଲା।
୧୯୮୦ ଓ ୧୯୯୦ ଦଶକରେ ଓଡ଼ିଶାରେ ନକ୍ସଲ ଆନ୍ଦୋଳନ ତୀବ୍ର ହୋଇଥିଲା। ମାଓବାଦୀମାନେ ସଶସ୍ତ୍ର ସଂଘର୍ଷ, ସରକାରୀ ଅଧିକାରୀ ଓ ପୁଲିସ ଉପରେ ଆକ୍ରମଣ ଏବଂ ଜନସାଧାରଣଙ୍କୁ ସଂଗଠିତ କରିବା ଜରିଆରେ ନିଜର ପ୍ରଭାବ ବଢ଼ାଇଥିଲେ। ଏହା ସହିତ ଆଦିବାସୀ ଯୁବକମାନଙ୍କୁ ସେମାନେ ନିଜ ସଂଗଠନରେ ସାମିଲ କରି ନେଇଥିଲେ, ଯେଉଁମାନେ ଅନ୍ୟାୟ ଓ ଶୋଷଣର ଶିକାର ହେଉଥିବାରୁ ଏହି ଆନ୍ଦୋଳନ ପ୍ରତି ଆକୃଷ୍ଟ ହୋଇଥିଲେ।
ନକ୍ସଲ ଆନ୍ଦୋଳନ ଦୁର୍ବଳ: କାରଣ ଓ ପରିବର୍ତ୍ତନ
କିନ୍ତୁ ଗତ ଦୁଇ ଦଶକରେ ଓଡ଼ିଶାରେ ନକ୍ସଲ ଆନ୍ଦୋଳନ ଦୁର୍ବଳ ହେବାରେ ଲାଗିଛି। ଏହାର ପଛରେ ଅନେକ କାରଣ ରହିଛି, ଯାହା ମଧ୍ୟରେ ସରକାରୀ ନୀତି, ସାମାଜିକ ପରିବର୍ତ୍ତନ, ଯୁବପିଢ଼ିର ମାନସିକତାରେ ବଦଳ ଓ ମାଓବାଦୀ ସଂଗଠନର ଆଭ୍ୟନ୍ତରୀଣ ସମସ୍ୟା ଗୁରୁତ୍ୱପୂର୍ଣ୍ଣ।
ଓଡ଼ିଶା ସରକାର ଓ କେନ୍ଦ୍ର ସରକାର ନକ୍ସଲ ଆନ୍ଦୋଳନକୁ ଦମନ କରିବା ପାଇଁ କଠୋର ପଦକ୍ଷେପ ନେଇଛନ୍ତି। ସୁରକ୍ଷା ବାହିନୀର ନୀତିଗତ ଅଭିଯାନ, ଯେପରିକି ଅପରେସନ୍ ଗ୍ରୀନ୍ ହଣ୍ଟ ଓ ଅନ୍ୟାନ୍ୟ ଏନକାଉଣ୍ଟର, ମାଓବାଦୀମାନଙ୍କ ଶକ୍ତିକୁ ଦୁର୍ବଳ କରିଛି। ବିଶେଷ କରି ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (CRPF) ର ସକ୍ରିୟତା ଯୋଗୁଁ ନକ୍ସଲବାଦୀମାନଙ୍କର ଅନେକ ନେତା ହତ୍ୟା ହୋଇଛନ୍ତି କିମ୍ବା ଗିରଫ ହୋଇଛନ୍ତି। ୨୦୨୪ ମାର୍ଚ୍ଚ ମାସରେ BSF ଆଇ.ଜି. ଧୀରେନ୍ଦ୍ର କୁମାର ଦାବି କରିଥିଲେ ଯେ ଆଗାମୀ ୧-୨ ବର୍ଷ ମଧ୍ୟରେ ଓଡ଼ିଶା ନକ୍ସଲମୁକ୍ତ ହେବ।
ବିକାଶମୂଳକ କାର୍ଯ୍ୟକ୍ରମ
ସରକାର ଆଦିବାସୀ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି। ଗରିବ ପରିବାରକୁ ଅନେକ ପ୍ରକାର ସରକାରୀ ସହାୟତା ମିଳୁଛି । ମାଗଣା ରାସନ, ପିଏମ କିଷାନ ଯୋଜନାରେ ବ୍ୟାଙ୍କ ଖାତାକୁ ଟଙ୍କା, ମାଗଣା ଗ୍ୟାସ କନେକସନ, ରାସ୍ତା, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସୁବିଧା ପହଞ୍ଚାଇବା ଦ୍ୱାରା ଆଦିବାସୀ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ କମିଛି। ମାଓବାଦୀମାନେ ଯେଉଁ ଅନ୍ୟାୟ ଓ ଅବହେଳାର ଅଭିଯୋଗକୁ ନେଇ ଜନସାଧାରଣଙ୍କୁ ସଂଗଠିତ କରୁଥିଲେ, ସେହି ଅଭିଯୋଗଗୁଡ଼ିକ ବର୍ତ୍ତମାନ କମୁଛି। ଉଦାହରଣ ସ୍ୱରୂପ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ରାସ୍ତା ଓ ପୋଲ ନିର୍ମାଣ ହୋଇଛି । ଦୁର୍ଗମ ଅଞ୍ଚଳଗୁଡ଼ିକ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ି ହୋଇଛି, ଯାହା ସ୍ଥାନୀୟ ଲୋକଙ୍କ ଜୀବନଧାରାରେ ଉନ୍ନତି ଆଣିଛି।
ଯୁବପିଢ଼ିର ମାନସିକତାରେ ପରିବର୍ତ୍ତନ
ଆଜିର ଯୁବପିଢ଼ି ନକ୍ସଲ ଆନ୍ଦୋଳନ ପ୍ରତି ଆଗ୍ରହ ହରାଇଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଶିକ୍ଷାର ବ୍ୟାପକତା, ସୂଚନା ପ୍ରଯୁକ୍ତିବିଦ୍ୟାର ପ୍ରସାର ଓ ରୋଜଗାରର ନୂଆ ସୁଯୋଗ। ଆଦିବାସୀ ଯୁବକମାନେ ଆଜି ସଶସ୍ତ୍ର ସଂଘର୍ଷ ଅପେକ୍ଷା ରିଲ କରୁଛନ୍ତି, ସୋସିଆଲ ମିଡିଆରେ ଅଧିକ ସମୟ ଦେଉଛନ୍ତି, ବିବାହ କରି , ସହରରେ ରହିବାକୁ ପସନ୍ଦ କରୁଛନ୍ତି, ଶିକ୍ଷା, ଚାକିରି ଓ ଉଦ୍ୟୋଗ ମାଧ୍ୟମରେ ନିଜର ଜୀବନକୁ ଉନ୍ନତ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆ ଓ ଇଣ୍ଟରନେଟର ପ୍ରଭାବ ଯୋଗୁଁ ସେମାନେ ବିଶ୍ୱର ଅନ୍ୟ ଅଞ୍ଚଳର ଯୁବକମାନଙ୍କ ଜୀବନଶୈଳୀ ଓ ସଫଳତା ବିଷୟରେ ଅବଗତ ହେଉଛନ୍ତି, ଯାହା ସେମାନଙ୍କୁ ମାଓବାଦୀ ଆଦର୍ଶରୁ ଦୂରେଇ ରଖୁଛି। ଆଦିବାସୀ ଅଞ୍ଚଳରେ ଶିକ୍ଷାର ପ୍ରସାର ଯୋଗୁଁ ଯୁବକମାନେ ଆଜି ଅଧିକ ସଚେତନ। ସେମାନେ ମାଓବାଦୀ ଆଦର୍ଶର ବାସ୍ତବିକତା ଓ ସୀମାବଦ୍ଧତା ବୁଝୁଛନ୍ତି। ସେମାନେ ଏହା ମଧ୍ୟ ଜାଣିଛନ୍ତି ଯେ ସଶସ୍ତ୍ର ସଂଘର୍ଷ ଦୀର୍ଘକାଳୀନ ସମାଧାନ ଆଣିପାରିବ ନାହିଁ।
ମାଓବାଦୀ ସଂଗଠନର ଆଭ୍ୟନ୍ତରୀଣ ସମସ୍ୟା
ନକ୍ସଲ ସଂଗଠନ ନିଜେ ମଧ୍ୟ ଆଭ୍ୟନ୍ତରୀଣ ସମସ୍ୟାରେ ଜର୍ଜରିତ। ନେତୃତ୍ୱରେ ଭାଗବଣ୍ଟା, ଆର୍ଥିକ ଅଭାବ, ନୂଆ ସଦସ୍ୟଙ୍କ ଅଭାବ ଓ ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ହ୍ରାସ ଯୋଗୁଁ ସେମାନଙ୍କର ଶକ୍ତି କମିଛି। ଅନେକ ମାଓବାଦୀ ନେତା ସରକାରୀ ଆତ୍ମସମର୍ପଣ ନୀତି ଅଧୀନରେ ଆତ୍ମସମର୍ପଣ କରିଛନ୍ତି, ଯାହା ସଂଗଠନକୁ ଆହୁରି ଦୁର୍ବଳ କରିଛି।
ଓଡ଼ିଶାରେ ନକ୍ସଲ ଆନ୍ଦୋଳନର ବର୍ତ୍ତମାନ ସ୍ଥିତି
ବର୍ତ୍ତମାନ ଓଡ଼ିଶାରେ ନକ୍ସଲ ଆନ୍ଦୋଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏକଦା ମାଲକାନଗିରି ଓ କୋରାପୁଟରେ ସକ୍ରିୟ ଥିବା ମାଓବାଦୀ ଗୋଷ୍ଠୀଗୁଡ଼ିକ ଏବେ କେବଳ କିଛି ସୀମିତ ଅଞ୍ଚଳରେ ସକ୍ରିୟ ଅଛନ୍ତି। ସୁରକ୍ଷା ବାହିନୀର ଜଙ୍ଗଲ ଅଭିଯାନ ଓ ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ଅଭାବ ଯୋଗୁଁ ସେମାନଙ୍କର କାର୍ଯ୍ୟକଳାପ କମିଛି।
ସରକାରୀ ଆତ୍ମସମର୍ପଣ ନୀତି
ଗତ କିଛି ଦିନ ମଧ୍ୟରେ ଅନେକ ମାଓବାଦୀ ମୁଖ୍ୟ ସ୍ରୋତକୁ ଫେରିଛନ୍ତି। ଓଡ଼ିଶା ସରକାର ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ପୁନର୍ବାସନ ଓ ରୋଜଗାର ସୁଯୋଗ ପ୍ରଦାନ କରୁଛନ୍ତି, ଯାହା ଅନେକ ଯୁବକଙ୍କୁ ସଶସ୍ତ୍ର ସଂଘର୍ଷ ଛାଡ଼ି ସାଧାରଣ ଜୀବନ ଆପଣାଇବାକୁ ପ୍ରେରିତ କରିଛି।
ରୋଜଗାର
ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ସୁଯୋଗ ବଢ଼ିବା ଯୋଗୁଁ ଯୁବକମାନେ ଆଜି ମାଓବାଦୀ ସଂଗଠନରେ ଯୋଗ ଦେବା ଅପେକ୍ଷା ଚାକିରି କିମ୍ବା ଉଦ୍ୟୋଗ କରିବାକୁ ପସନ୍ଦ କରୁଛନ୍ତି। ଉଦାହରଣ ସ୍ୱରୂପ, ଓଡ଼ିଶାରେ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ ଓ ଷ୍ଟାର୍ଟଅପ୍ ଯୋଜନା ଯୁବକମାନଙ୍କୁ ନୂଆ ଦିଗ ଦେଖାଇଛି। ସେମାନେ ନିଯୁକ୍ତି ପାଇବା ସହ ଉନ୍ନତମାନର ଜୀବନ ଶୈଳୀ ଆପଣେଇ ପାରୁଛନ୍ତି ।
ସାମାଜିକ ସଚେତନତା
ସୋସିଆଲ ମିଡିଆରେ ସଚେତନତା ଯୋଗୁଁ ମାଓବାଦୀମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପକୁ ସମାଲୋଚନା କରାଯାଉଛି, ଯେପରିକି ନୀରୀହ ଲୋକଙ୍କୁ ହତ୍ୟା କିମ୍ବା ଗାଁରେ ଭୟର ବାତାବରଣ ସୃଷ୍ଟି, ସ୍ଥାନୀୟ ଜନସାଧାରଣଙ୍କୁ ସେମାନଙ୍କଠାରୁ ଦୂରେଇ ଦେଇଛି। ଯୁବକମାନେ ଏହା ବୁଝୁଛନ୍ତି ଯେ ମାଓବାଦୀ ଆନ୍ଦୋଳନ ସେମାନଙ୍କ ଜୀବନକୁ ଆହୁରି ଅସୁରକ୍ଷିତ କରୁଛି।
ଭାରତରେ ନକ୍ସଲ ଆକ୍ରମଣ
୨୦୧୦, ଦାନ୍ତେୱାଡ଼ା, ଛତିଶଗଡ଼: ଏକ ଆକ୍ରମଣରେ ୭୬ ଜଣ CRPF ଯବାନ ଶହୀଦ ହୋଇଥିଲେ, ଯାହା ଭାରତର ଇତିହାସରେ ଅନ୍ୟତମ ଭୟାବହ ନକ୍ସଲ ଆକ୍ରମଣ ଭାବେ ବିବେଚିତ।
୨୦୧୩, ସୁକମା, ଛତିଶଗଡ଼: ରାଜନୈତିକ କାର୍ଯ୍ୟକ୍ରମରେ ଆକ୍ରମଣ କରି ନକ୍ସଲବାଦୀମାନେ ୨୭ ଜଣଙ୍କୁ, ଯେଉଁଥିରେ କଂଗ୍ରେସ ନେତା ମହେନ୍ଦ୍ର କର୍ମା ଓ ଅନ୍ୟାନ୍ୟ ନେତା ଥିଲେ, ହତ୍ୟା କରିଥିଲେ।
୨୦୨୧, ସୁକମା-ବିଜାପୁର, ଛତିଶଗଡ଼: ଏକ ଏନକାଉଣ୍ଟରରେ ୨୨ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ।
୨୦୨୫, ନାରାୟଣପୁର, ଛତିଶଗଡ଼: ଅବୁଜମାଡ ଜଙ୍ଗଲରେ ଏକ ବଡ଼ ଧରଣର ଏନକାଉଣ୍ଟରରେ ୨୬-୨୭ ଜଣ ନକ୍ସଲବାଦୀ ହତ୍ୟା ହୋଇଥିଲେ, ଯେଉଁଥିରେ ସିପିଆଇ (ମାଓବାଦୀ)ର ମହାସଚିବ ନମ୍ବାଲ୍ଲା କେଶବ ରାଓ (ବସବରାଜୁ) ମଧ୍ୟ ଥିଲେ।
୧୯୬୦ ଦଶକରୁ ୨୦୨୫ ପର୍ଯ୍ୟନ୍ତ ପ୍ରାୟ ୧୦,୦୦୦ରୁ ଅଧିକ ନକ୍ସଲବାଦୀ ଏନକାଉଣ୍ଟରରେ ହତ୍ୟା ହୋଇଥିବା ଅନୁମାନ କରାଯାଏ। କେବଳ ୨୦୨୪-୨୦୨୫ରେ ଛତିଶଗଡ଼ରେ ୧୫୦ରୁ ଅଧିକ ନକ୍ସଲବାଦୀ ହତ୍ୟା ହୋଇଛନ୍ତି।
ସାଧାରଣ ଲୋକଙ୍କ ମୃତ୍ୟୁ
ନକ୍ସଲ ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ମଧ୍ୟ ଏକ ଗୁରୁତର ସମସ୍ୟା। ଗତ ୫୦ ବର୍ଷରେ ନକ୍ସଲ ହିଂସାରେ ପ୍ରାୟ ୫,୦୦୦-୬,୦୦୦ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଅନୁମାନ। ଏହାର ମୁଖ୍ୟ କାରଣ ହେଉଛି “ସୂଚନାଦାତା” ଅଭିଯୋଗରେ ହତ୍ୟା ଓ ଆକ୍ରମଣରେ ନିରୀହ ଲୋକଙ୍କୁ ଜଡ଼ିତ ହେବା।
ନକ୍ସଲ ଆନ୍ଦୋଳନ ସକ୍ରିୟ ରାଜ୍ୟ
ବର୍ତ୍ତମାନ ନକ୍ସଲ ଆନ୍ଦୋଳନ କିଛି ରାଜ୍ୟରେ ସୀମିତ ହୋଇଛି, ଯଦିଓ ଏହାର ତୀବ୍ରତା ପୂର୍ବ ଅପେକ୍ଷା କମିଛି।
ଛତିଶଗଡ଼: ନକ୍ସଲ ଆନ୍ଦୋଳନର ମୁଖ୍ୟ କେନ୍ଦ୍ର। ବସ୍ତର, ଦାନ୍ତେୱାଡ଼ା, ସୁକମା, ଓ ନାରାୟଣପୁର ଜିଲ୍ଲାରେ ନକ୍ସଲବାଦୀଙ୍କ ଗତିବିଧି ଅଧିକ। ୨୦୨୫ରେ ଏଠାରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି।
ଝାଡ଼ଖଣ୍ଡ: ପଶ୍ଚିମ ସିଂହଭୂମ, ଲାତେହାର, ଓ ଗୁମଲା ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ଦେଖାଯାଏ।
ଓଡ଼ିଶା: ମାଲକାନଗିରି, କୋରାପୁଟ, ଓ କଳାହାଣ୍ଡି ଜିଲ୍ଲାରେ ନକ୍ସଲ ସକ୍ରିୟ, କିନ୍ତୁ ଏହାର ପ୍ରଭାବ କମିଛି।
ମହାରାଷ୍ଟ୍ର: ଗଡ଼ଚିରୋଲି ଜିଲ୍ଲାରେ ନକ୍ସଲ ଆନ୍ଦୋଳନ ସକ୍ରିୟ, ଯେଉଁଠାରେ ଏନକାଉଣ୍ଟର ଜାରି ରହିଛି।
ଆନ୍ଧ୍ରପ୍ରଦେଶ: ବିଶାଖାପାଟଣା ଓ ପାର୍ଶ୍ୱବର୍ତୀ ଅଞ୍ଚଳରେ ସୀମିତ ନକ୍ସଲ କାର୍ଯ୍ୟକଳାପ ରହିଛି।
ବିହାର: ଗୟା ଓ ଜାମୁଇ ଜିଲ୍ଲାରେ କିଛି ନକ୍ସଲ ଗତିବିଧି ଦେଖାଯାଏ।
ଭାରତରେ ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ ହୋଇଛି, ମୁଖ୍ୟତଃ ସରକାରୀ ସୁରକ୍ଷା ନୀତି, ବିକାଶ ଯୋଜନା, ଓ ଆତ୍ମସମର୍ପଣ ନୀତି ଯୋଗୁଁ। ତେବେ ଛତିଶଗଡ଼ ଓ ଝାଡ଼ଖଣ୍ଡ ଏବେ ମଧ୍ୟ ନକ୍ସଲବାଦର ମୁଖ୍ୟ କେନ୍ଦ୍ର ରହିଛି । ଗତ କିଛି ବର୍ଷରେ ଏନକାଉଣ୍ଟରରେ ଅନେକ ନକ୍ସଲବାଦୀ ହତ୍ୟା ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କହିବା ଅନୁସାରେ ଆଗାମୀ ୧-୨ ବର୍ଷ ମଧ୍ୟରେ ଭାରତ ନକ୍ସଲମୁକ୍ତ ହେବାର ସମ୍ଭାବନା ରହିଛି।
ବାସବରାଜୁଙ୍କ ଏନକାଉଣ୍ଟର ନକ୍ସଲ ଆନ୍ଦୋଳନକୁ ଶେଷ କରିବ
ବାସବରାଜୁ ଯେପରି ଭାବେ ସୁରକ୍ଷାବାହିନୀ ନିପାତ କଲା ତାହାକୁ ନେଇ ସୁରକ୍ଷାବାହିନୀ ଅତି କଠୋର ରହିଥିବା ଚର୍ଚା ହେଉଛି । ମାଓବାଦୀଙ୍କୁ ଗୁଳିକରି ହତ୍ୟା କରିବା ପରେ ତାଙ୍କ ଶବକୁ ସେହି ଜଙ୍ଗଲରେ ପୋଡ଼ିଦେଇଥିଲା ସୁରକ୍ଷା ବାହିନୀ । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା
ବାସବରାଜୁ ତାଙ୍କ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଶ୍ରୀକାକୁଲମ ଜିଲ୍ଲାରେ ସମ୍ପୂର୍ଣ୍ଣ କରିଥିଲେ। ତାଙ୍କ ବାପା ବାସୁଦେବ ରାଓ ଜଣେ ସ୍କୁଲ ଶିକ୍ଷକ ଥିବାରୁ ତାଙ୍କୁ ଶିକ୍ଷା ପ୍ରତି ଆଗ୍ରହ ଘରୁ ହିଁ ମିଳିଥିଲା। ତାଙ୍କ ବଡ଼ ଭାଇ ଏୟାରଫୋର୍ସରେ ଚାକିରି କରିଥିଲେ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ତାଙ୍କ ଭାଇଙ୍କୁ ପ୍ରଶଂସା କରିଥିଲେ ।
ବାସବରାଜୁ ଙ୍କ ଉଚ୍ଚ ଶିକ୍ଷା: ସେ ୱାରଙ୍ଗଲର ରିଜନାଲ ଇଞ୍ଜିନିୟରିଂ କଲେଜ (ବର୍ତ୍ତମାନ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି, ୱାରଙ୍ଗଲ)ରୁ ବି.ଟେକ (ବ୍ୟାଚେଲର ଅଫ ଟେକ୍ନୋଲୋଜି) ଡିଗ୍ରୀ ହାସଲ କରିଥିଲେ। ଏହା ତାଙ୍କୁ ଏକ ସଫଳ ଇଞ୍ଜିନିୟରିଂ କ୍ୟାରିୟର ପାଇଁ ଯୋଗ୍ୟ କରିଥିଲା, କିନ୍ତୁ ସେ ମାର୍କ୍ସବାଦୀ-ଲେନିନବାଦୀ ଆଦର୍ଶ ଆଡ଼କୁ ଆକୃଷ୍ଟ ହୋଇ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଥିଲେ। ବାସବରାଜୁ ଆନ୍ଧ୍ରପ୍ରଦେଶ (ବର୍ତ୍ତମାନ ତେଲେଙ୍ଗାନା)ର ଶ୍ରୀକାକୁଲମ ଜିଲ୍ଲାର ଜିୟାନ୍ନାପେଟ ଗାଁରୁ ଆସିଥିଲେ। ତାଙ୍କ ବାପା ବାସୁଦେବ ରାଓ ଜଣେ ସ୍କୁଲ ଶିକ୍ଷକ ଥିଲେ ଏବଂ ମା’ ନାରାୟଣମ୍ମା ଜଣେ ଗୃହିଣୀ ଥିଲେ। ତାଙ୍କର ଜଣେ ଭାଇ ଓ ଦୁଇ ଭଉଣୀ ଥିଲେ।
ବାସବରାଜୁ ୧୯୭୦ ଦଶକରୁ ନକ୍ସଲ ଆନ୍ଦୋଳନ ସହ ଜଡ଼ିତ ଥିଲେ। ସେ ୧୯୮୦ରେ ଆନ୍ଧ୍ରପ୍ରଦେଶରେ ସିପିଆଇ (ମାର୍କ୍ସବାଦୀ-ଲେନିନବାଦୀ) ପିପୁଲ୍ସ ୱାର ଗଠନ ହେବା ସମୟରେ ଏହାର ମୁଖ୍ୟ ସଂଗଠକ ମଧ୍ୟରେ ଜଣେ ଥିଲେ। ୧୯୮୦ରେ ସେ ଛାତ୍ର ସଂଘ ଆନ୍ଦୋଳନରେ ଅଂଶଗ୍ରହଣ କରିବା ସମୟରେ ଗିରଫ ହୋଇଥିଲେ, ଏହାପରେ ସେ ଗୁପ୍ତ ଜୀବନ ଆପଣାଇ ନକ୍ସଲ ଆନ୍ଦୋଳନରେ ସାମିଲ ହୋଇଥିଲେ। ୧୯୮୭ରେ ସେ ବସ୍ତରର ଜଙ୍ଗଲରେ ଲିବରେସନ ଟାଇଗର୍ସ ଅଫ ତାମିଲ ଇଲାମ (LTTE)ର ପୂର୍ବତନ ଯୋଦ୍ଧାଙ୍କଠାରୁ ଗେରିଲା ୟୁଦ୍ଧ ଓ ବିସ୍ଫୋରକ ତାଲିମ ନେଇଥିଲେ। ୧୯୯୨ରେ ସେ ସିପିଆଇ (ମାର୍କ୍ସବାଦୀ-ଲେନିନବାଦୀ) ପିପୁଲ୍ସ ୱାରର ସେଣ୍ଟ୍ରାଲ କମିଟିର ସଦସ୍ୟ ହୋଇଥିଲେ ଏବଂ ୨୦୧୮ରେ ସିପିଆଇ (ମାଓବାଦୀ)ର ଜେନେରାଲ ସେକ୍ରେଟାରୀ ହୋଇଥିଲେ।
୨୦୨୫ ମେ’ ୨୧ରେ ଛତିଶଗଡ଼ର ଅବୁଜମାଡ ଜଙ୍ଗଲରେ ଏକ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ଏକ ବଡ଼ ଧରଣର ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନରେ ନାରାୟଣପୁର, ବିଜାପୁର, ଦାନ୍ତେୱାଡ଼ା, ଓ କୋଣ୍ଡାଗାଓଁ ଜିଲ୍ଲାର DRG ଯବାନମାନେ ଅଂଶଗ୍ରହଣ କରିଥିଲେ।
ବାସବରାଜୁ ଓ ଅନ୍ୟ ନକ୍ସଲବାଦୀମାନେ ସୁରକ୍ଷା ବାହିନୀଙ୍କୁ ଆକ୍ରମଣ କରିଥିଲେ, ଯାହା ପରେ ଏକ ତୀବ୍ର ଗୁଳି ବିନିମୟ ସଂଘର୍ଷ ହୋଇଥିଲା । ଏହି ଏନକାଉଣ୍ଟରରେ ବାସବରାଜୁ ସମେତ ୨୭ ଜଣ ନକ୍ସଲବାଦୀ ହତ୍ୟା ହୋଇଥିଲେ। ସିପିଆଇ (ମାଓବାଦୀ)ର ଦାଣ୍ଡକାରଣ୍ୟ ସ୍ପେସିଆଲ ଜୋନାଲ କମିଟି (DKSZC) ଦାବି କରିଛି ଯେ ବାସବରାଜୁଙ୍କ ମୃତ୍ୟୁ ମାଓବାଦୀ ସଂଗଠନ ଭିତରେ “ବିଶ୍ୱାସଘାତକତା” ଯୋଗୁଁ ହୋଇଥିଲା, ଯେଉଁଥିରେ କିଛି ସଦସ୍ୟ ତାଙ୍କ ଗତିବିଧି ସୁରକ୍ଷା ବାହିନୀଙ୍କୁ ସୂଚନା ଦେଇଥିଲେ। ଏହି ଅପରେସନରେ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା।
ବାସବରାଜୁଙ୍କ ଶବ ବିବାଦ
ଏନକାଉଣ୍ଟର ପରେ ବାସବରାଜୁଙ୍କ ଶବ ଓ ଅନ୍ୟ ୭ ଜଣ ନକ୍ସଲବାଦୀଙ୍କ ଶବକୁ ନାରାୟଣପୁର ପୁଲିସ ଦାହ କରିଥିଲା, କାରଣ ସେମାନେ ଦାବି କରିଥିଲେ ଯେ ଶବଗୁଡ଼ିକର କୌଣସି “ଆଇନଗତ ଦାବିଦାର” ନଥିଲେ। ବାସବରାଜୁଙ୍କ ପରିବାର ଶବ ହସ୍ତାନ୍ତର ପାଇଁ ଦାବି କରିଥିଲେ, କିନ୍ତୁ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ପୁଲିସ ଶବ ହସ୍ତାନ୍ତର କରି ନଥିଲା । ଦେଖିବାକୁ ଗଲେ ଭାରତରେ ନକ୍ସଲ ଆନ୍ଦୋଳନ ଜାରି ରଖିବାକୁ ଆଉ କେହି ବଡ଼ ନେତା ନାହାଁନ୍ତି ଏବେ ପ୍ରତିଦିନ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି । ଓଡ଼ିଶାରେ ମଧ୍ୟ ପ୍ରତିଦିନ ମାଓବାଦୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଆତ୍ମ ସମର୍ପଣ କରୁଛନ୍ତି ।
ଓଡ଼ିଶାରେ ନକ୍ସଲ ଆନ୍ଦୋଳନ ଶେଷ ପର୍ଯ୍ୟାୟରେ
ଓଡ଼ିଶାରେ ନକ୍ସଲ ଆନ୍ଦୋଳନ ଆଜି ତା’ର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସରକାରୀ ନୀତି, ସୁରକ୍ଷା ବାହିନୀର ଅଭିଯାନ, ବିକାଶମୂଳକ କାର୍ଯ୍ୟକ୍ରମ ଓ ଯୁବପିଢ଼ିର ନାପସନ୍ଦ ଏହାର ମୁଖ୍ୟ କାରଣ। ଆଜିର ଯୁବକମାନେ ହିଂସା ଓ ସଶସ୍ତ୍ର ସଂଘର୍ଷ ଅପେକ୍ଷା ଶିକ୍ଷା, ସୋସିଆଲ ମିଡିଆରେ ବ୍ୟସ୍ତ ରହିବା, ରୋଜଗାର ଓ ସାମାଜିକ ଉନ୍ନତି, ବନ୍ଧୁତ୍ବ ଭାବ ସହ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ସାମିଲ ହୋଇ ଲାଭ ଉଠାଇବାକୁ ପସନ୍ଦ କରୁଛନ୍ତି। ଯଦି ସରକାର ଆଗାମୀ ଦିନରେ ଏହି ଦିଗରେ ନିରନ୍ତର ପ୍ରୟାସକୁ ଜାରି ରଖନ୍ତି, ତେବେ ଓଡ଼ିଶା ଖୁବ୍ ଶୀଘ୍ର ନକ୍ସଲମୁକ୍ତ ହେବ, ଏବଂ ରାଜ୍ୟରେ ଶାନ୍ତି ଓ ସମୃଦ୍ଧିର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ। ଏହାର ସୁଫଳ ସମସ୍ତେ ଉପଲବ୍ଧି କରିବେ ।