ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ହାଫିଜ ସୟିଦଙ୍କ ଘନିଷ୍ଠ ଆମୀର ହମଜା ଲାହୋରର ମିଲିଟାରୀ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛି। ହମଜା ଲସ୍କର-ଏ-ତୈୟବାର ସହ-ପ୍ରତିଷ୍ଠାତା ଏବଂ ୨୦୧୨ରେ ଆମେରିକା ତାଙ୍କୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିଥିଲା। ତେବେ ତାକୁ କିଏ ହତ୍ୟା କରିଛି ତାହାର ଖବର କିଛି ଜଣାପଡ଼ିନାହିଁ ।
ଆମୀର ହମଜା ଗୁରୁତର ଆହତ ଅବସ୍ଥାରେ ଲାହୋରର ମିଲିଟାରୀ ହସପିଟାଲରେ ଭର୍ତ୍ତି ହୋଇଥିଲା। ସେ କିପରି ଆହତ ହେଲା ଏ ସମ୍ପର୍କରେ କୌଣସି ନିଶ୍ଚିତ ଖବର ନାହିଁ। ଯଦିଓ ଦାବି କରାଯାଉଛି ଯେ ଅଜଣା ବ୍ୟକ୍ତିମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି, ଅନେକେ ଏକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିବା କହୁଛନ୍ତି। ଆହତ ଅବସ୍ଥାରେ ତାଙ୍କୁ ଘରୁ ହସପିଟାଲ ନିଆଯାଇଥିଲା।
ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ ହମଜା
ପାକିସ୍ତାନର ଗୁଜରାନୱାଲାର ବାସିନ୍ଦା ଆମୀର ହମଜା ଲସ୍କର-ଏ-ତୈୟବାର ସହ-ପ୍ରତିଷ୍ଠାତା ଏବଂ ହାଫିଜ ସଈଦ ଓ ଆବଦୁଲ ରହମାନ ମକ୍କୀଙ୍କ ଘନିଷ୍ଠ ବୋଲି କୁହାଯାଏ। ତାଙ୍କର ଉସ୍କାଣୀମୂଳକ ଭାଷଣରେ ସେ ଭାରତ ବିରୋଧରେ ବିଷ ଉଗାଳନ୍ତି। ହମଜା ଓ ସାଇଫୁଲ୍ଲାହ ମିଳିତ ଭାବେ ୨୦୦୫ରେ ବେଙ୍ଗାଲୁରୁରେ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ସାଇନ୍ସ ଉପରେ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲେ। ଅଜଣା ବନ୍ଧୁକଧାରୀମାନେ ସମ୍ପ୍ରତି ଆବୁ ସାଇଫୁଲ୍ଲାହଙ୍କୁ ହତ୍ୟା କରିଛନ୍ତି।
କଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଟେରର ଫଣ୍ଡିଂରେ ଆମୀର ହମଜାର ବଡ଼ ହାତ ରହିଛି। ହାଫିଜ ସଈଦଙ୍କ ସହ ୧୯୯୦ରେ ସେ ଲସ୍କର-ଏ-ତୈୟବାର ମୂଳଦୁଆ ପକାଇଥିଲେ। ସଈଦଙ୍କ ସହ ମତଭେଦ ପରେ ୨୦୧୮ରେ ସେ ଜୈଶ-ଏ-ମନକଫା ନାମକ ଏକ ସଂଗଠନ ଗଠନ କରି ଆତଙ୍କବାଦ ପ୍ରସାର ପାଇଁ ଅର୍ଥ ସଂଗ୍ରହ କରୁଥିଲେ। ପରେ ସେ ପୁଣି ହାଫିଜ ସଈଦଙ୍କ ସହ ବନ୍ଧୁତା କରି ଭାରତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଲଗାତାର ଚେଷ୍ଟା କରୁଥିଲେ। ଆତଙ୍କବାଦୀ ନେଟୱାର୍କ ବିସ୍ତାରରେ ହମଜାର ବଡ଼ ଭୂମିକା ରହିଛି।
ପାକିସ୍ତାନରେ ଲଗାତାର ଆତଙ୍କବାଦୀଙ୍କ ଖାତମା
ପାକିସ୍ତାନରେ ଲଗାତାର ଆତଙ୍କବାଦୀଙ୍କ ମୃତ୍ୟୁ ଖବର ଆସୁଛି। ଗତ ଦୁଇ ବର୍ଷରେ ଏ ପର୍ଯ୍ୟନ୍ତ ୧୭ ଜଣ ଆତଙ୍କବାଦୀ ପାକିସ୍ତାନର ବିଭିନ୍ନ ସ୍ଥାନରେ ମୃତ୍ୟୁବରଣ କରିଛନ୍ତି। ସମ୍ପ୍ରତି ଆବୁ ସାଇଫୁଲ୍ଲାହଙ୍କୁ ମୃତ୍ୟୁ ମୁଖରେ ପକାଯାଇଥିଲା। ସେ ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟ ଉପରେ ଆକ୍ରମଣର ଯୋଜନାରେ ସାମିଲ ଥିଲେ।
ଏହି ଘଟଣାର ପରଦିନ ଅର୍ଥାତ୍ ୧୯ ମେ ୨୦୨୫ରେ ଲସ୍କର-ଏ-ତୈୟବାର ଆଉ ଜଣେ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଆବଦୁଲ ୱାହିଦ ମରିଯାଇଛନ୍ତି। ଉଭୟଙ୍କୁ ସିନ୍ଧରେ ଅଜଣା ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ବର୍ଷରେ ପାକିସ୍ତାନରେ ମରିଥିବା ୧୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଗୁଳିମାଡ଼ରେ ହିଁ ହୋଇଛି।
ମାର୍ଚ୍ଚ ୨୦୨୫ରେ ଫୈଜଲ ନାଦୀମ ଉର୍ଫ ଆବୁ କିତାଲ ମରିଥିଲେ, ଯିଏ ଲସ୍କରର ଜଣେ ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ଥିଲେ। ମାର୍ଚ୍ଚରେ ହିଁ ମୁଫ୍ତି ଶାହ ମରିଥିଲେ, ଯିଏ ଆଇଏସଆଇର ଏଜେଣ୍ଟ ଥିଲେ। ଫେବୃଆରୀ ୨୦୨୫ରେ ମୌଲାନା କାଶିଫ ମରିଥିଲେ, ଯିଏ ଲସ୍କରର କମାଣ୍ଡର ଥିଲେ। ନଭେମ୍ବର ୨୦୨୩ରେ ତିନି ଆତଙ୍କବାଦୀ ରହିମ ଉଲ୍ଲାହ ତାରିକ ମରିଥିଲେ, ଯିଏ ମସୁଦ ଅଜହରଙ୍କ ଘନିଷ୍ଠ ଥିଲେ। ଏହା ବ୍ୟତୀତ ଲସ୍କରର ଆତଙ୍କବାଦୀ ଅକ୍ରମ ଗାଜୀ ଓ ଖ୍ୱାଜା ଶାହିଦ ମରିଥିଲେ।
ସେପ୍ଟେମ୍ବର ୨୦୨୩ରେ ମୌଲାନା ଜିୟାଉର ରହମାନ ମରିଥିଲେ, ଯିଏ ଲସ୍କରର ଜଣେ ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ଥିଲେ। ଏହାପୂର୍ବରୁ ୨୦୨୩ରେ ମସୁଦ ଅଜହରଙ୍କ ଅନ୍ୟ ଜଣେ ଘନିଷ୍ଠ କାଜୀ ଏଜାଜ ଆବିଦ ମରିଥିଲେ। ୨୦୨୩ ମସୁଦ ଅଜହରଙ୍କ ଘନିଷ୍ଠମାନଙ୍କ ପାଇଁ ଭଲ ବର୍ଷ ନଥିଲା। ଏହି ବର୍ଷ ଦାଉଦ ମଲିକ ମଧ୍ୟ ମରିଥିଲେ। ଲସ୍କରର ଆତଙ୍କବାଦୀ ଅଦନାନ ଅହମଦ ଡିସେମ୍ବର ୨୦୨୩ରେ ମରିଥିଲେ। ହିଜବୁଲ ମୁଜାହିଦ୍ଦୀନର ଆତଙ୍କବାଦୀ ବଶୀର ଅହମଦ ପୀର ଫେବୃଆରୀ ୨୦୨୩ରେ ଗୁଳିମାଡ଼ରେ ମରିଥିଲେ। ସେପ୍ଟେମ୍ବର ୨୦୨୩ରେ ଲସ୍କର-ଏ-ତୈୟବାର ଆତଙ୍କବାଦୀ ରିୟାଜ ଅହମଦ ଏବଂ ମେ ୨୦୨୩ରେ ଖାଲିସ୍ତାନୀ ଆତଙ୍କବାଦୀ ପରମଜୀତ ସିଂ ପଞ୍ଜୱାର ମରିଥିଲେ। ୨୦୨୨ରେ ମରିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ-ଏ-ମୋହମ୍ମଦର ଆତଙ୍କବାଦୀ ଜାହୁର ଇବ୍ରାହିମ ଅନ୍ୟତମ। ଭାରତର ଶତ୍ରୁକୁ ପାକିସ୍ତାନ ଭିତରେ କିଏ ମାରୁଛି ତାହା ବଡ଼ ପ୍ରଶ୍ନ । ତେବେ ଏଥିପାଇଁ ଭାରତର ହାତ ଥିବା ସେଠାକାର ଆତଙ୍କବାଦୀ ସଂଗଠନମାନେ କହୁଛନ୍ତି ।