ଟାଇମଲାଇନ
୨୦୨୩: ପାକିସ୍ତାନ ହାଇ କମିଶନରେ ଯୋଗାଯୋଗ
ଜ୍ୟୋତି ପାକିସ୍ତାନ ଯିବା ପାଇଁ ଭିସା ଆବେଦନ କରିବାକୁ ୨୦୨୩ରେ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇ କମିଶନ ଯାଇଥିଲେ। ସେଠାରେ ସେ ଏହସାନ-ଉର-ରହିମ ଉର୍ଫ ଡାନିଶ ନାମକ ଜଣେ ଅଧିକାରୀଙ୍କୁ ଭେଟିଥିଲେ। ଏହି ଭେଟ ପରେ ଜ୍ୟୋତି ଡାନିଶଙ୍କ ସହ ନିୟମିତ ଯୋଗାଯୋଗ ରଖିଥିଲେ ଏବଂ ପରେ ଡାନିଶ ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ପରିଚୟ କରାଇଥିଲେ।
୨୦୨୩-୨୦୨୪: ପାକିସ୍ତାନ ଗସ୍ତ
ଜ୍ୟୋତି ଅତି କମରେ ଦୁଇଥର (କେତେକ ରିପୋର୍ଟ ଅନୁସାରେ ଚାରିଥର) ପାକିସ୍ତାନ ଗସ୍ତ କରିଥିଲେ। ପାକିସ୍ତାନରେ ସେ ଡାନିଶଙ୍କ ସହଯୋଗୀ ଅଲି ଅହୱାନଙ୍କ ଦ୍ୱାରା ରହଣି ଓ ଯାତାୟାତର ବ୍ୟବସ୍ଥା କରାଯାଇଥିଲା। ଅଲି ତାଙ୍କୁ ଶାକିର ଓ ରାଣା ଶାହବାଜ ନାମକ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ମିଳାଇଥିଲେ। ଜ୍ୟୋତି ଶାକିରଙ୍କ ମୋବାଇଲ ନମ୍ବରକୁ ‘Jatt Randhawa’ ନାମରେ ସେଭ କରିଥିଲେ ଯାହା ସନ୍ଦେହ ଏଡାଇବା ପାଇଁ ଥିଲା। ସେ ଲାହୋର, କାଟାସ ରାଜ ମନ୍ଦିର ଆଦି ସ୍ଥାନ ବୁଲିଥିଲେ ଏବଂ ଏହାର ଭିଡିଓ ‘Indian Girl in Pakistan’ ଓ ‘Ishq Lahore’ ଶୀର୍ଷକରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
୨୦୨୪: କାଶ୍ମୀର ଓ ଅନ୍ୟ ଗସ୍ତ
ଜୁନ୨୪ରେ ଜ୍ୟୋତି କାଶ୍ମୀର ଗସ୍ତ କରି ଡାଲ ହ୍ରଦରେ ଶିକାରା ରାଇଡ ଓ ଶ୍ରୀନଗର-ବାନିହାଲ ରେଳ ଯାତ୍ରାର ଭିଡିଓ ପୋଷ୍ଟ କରିଥିଲେ।
ସେପ୍ଟେମ୍ବର ୨୦୨୪ରେ ଜ୍ୟୋତି ପୁରୀ ଯାଇ ସେଠାରେ ଜଣେ ମହିଳା ୟୁଟ୍ୟୁବରଙ୍କୁ ଭେଟିଥିଲେ, ଯିଏ ନିକଟରେ ପାକିସ୍ତାନର କରତାରପୁର ସାହିବ ଗୁରୁଦ୍ୱାର ଗସ୍ତ କରିଥିଲେ।
୨୦୨୫ ଜାନୁୟାରୀ: ପହଲଗାମ ଗସ୍ତ
ଜ୍ୟୋତି ୨୦୨୫ ଜାନୁୟାରୀରେ ଜାମ୍ମୁ-କାଶ୍ମୀରର ପହଲଗାମ ଗସ୍ତ କରିଥିଲେ, ଯାହା ଏପ୍ରିଲ ୨୨, ୨୦୨୫ରେ ହୋଇଥିବା ପହଲଗାମ ଆତଙ୍କବାଦୀ ହମଲା (୨୬ ଜଣଙ୍କ ମୃତ୍ୟୁ) ସହ ସମ୍ପର୍କ ଥାଇପାରେ ବୋଲି ତଦନ୍ତକାରୀ ସନ୍ଦେହ କରୁଛନ୍ତି।
୨୦୨୫ ମାର୍ଚ୍ଚ: ପାକିସ୍ତାନ ହାଇ କମିଶନରେ ଇଫତାର ପାର୍ଟି
ମାର୍ଚ୍ଚ ୨୦୨୫ରେ ଜ୍ୟୋତି ଦିଲ୍ଲୀରେ ପାକିସ୍ତାନ ହାଇ କମିଶନରେ ଏକ ଇଫତାର ପାର୍ଟିରେ ଯୋଗ ଦେଇଥିଲେ। ସେ ଏହାର ଏକ ୧୫ ମିନିଟର ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଡାନିଶ ଓ ତାଙ୍କ ପତ୍ନୀଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଛି।
ଏହି ଭିଡିଓରେ ସେ ପାକିସ୍ତାନର ଆତିଥ୍ୟର ପ୍ରଶଂସା କରିଥିଲେ ଏବଂ ପୁନର୍ବାର ପାକିସ୍ତାନ ଯିବା ପାଇଁ ଭିସା ପାଇଁ ଅନୁରୋଧ କରିଥିଲେ।
୨୦୨୫ ମେ ୧୩: ଡାନିଶଙ୍କୁ ବହିଷ୍କାର
ଏହସାନ-ଉର-ରହିମ ଉର୍ଫ ଡାନିଶଙ୍କୁ ଗୁପ୍ତଚରବୃତ୍ତି ଅଭିଯୋଗରେ ଭାରତ ସରକାର ‘ପର୍ସୋନା ନନ ଗ୍ରାଟା’ ଘୋଷଣା କରି ମେ ୧୩, ୨୦୨୫ରେ ଦେଶରୁ ବହିଷ୍କାର କରିଥିଲେ।
୨୦୨୫ ମେ ୧୭: ଜ୍ୟୋତିଙ୍କ ଗିରଫ
କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିଙ୍କ ସୂଚନା ଆଧାରରେ ହରିୟାଣା ପୋଲିସ ଜ୍ୟୋତିଙ୍କୁ ହିସାରର ନ୍ୟୁ ଅଗ୍ଗରସେନ ଏକ୍ସଟେନସନରୁ ଗିରଫ କରିଥିଲା। ତାଙ୍କ ମୋବାଇଲ ଓ ଲାପଟପରୁ ‘ସନ୍ଦେହଜନକ’ ତଥ୍ୟ ମିଳିଥିବା ପୋଲିସ ଦାବି କରିଛି। ଜ୍ୟୋତିଙ୍କୁ ୫ ଦିନର ପୋଲିସ ରିମାଣ୍ଡରେ ନିଆଯାଇଛି।
ତାଙ୍କ ବିରୁଦ୍ଧରେ ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ର ଧାରା ୩, ୪, ୫ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୫୨ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଗୁପ୍ତଚରବୃତ୍ତି ଅଭିଯୋଗ
ଜ୍ୟୋତି ଭାରତୀୟ ସେନାର ଗତିବିଧି ଓ ଉତ୍ତର ଭାରତର କେତେକ ସ୍ଥାନର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ସହ ସେୟାର କରିଥିବା ଅଭିଯୋଗ ରହିଛି।
ସୋସିଆଲ ମିଡିଆ ବ୍ୟବହାର: ସେ ପାକିସ୍ତାନର ଏକ ସକାରାତ୍ମକ ଛବି ପ୍ରଚାର କରିବା ପାଇଁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଥିବା ଅଭିଯୋଗ ରହିଛି।
ଏନକ୍ରିପ୍ଟେଡ ଯୋଗାଯୋଗ: ଜ୍ୟୋତି ପାକିସ୍ତାନୀ ଅଧିକାରୀଙ୍କ ସହ ହ୍ୱାଟସଆପ, ଟେଲିଗ୍ରାମ ଓ ସ୍ନାପଚାଟ ଜରିଆରେ ଯୋଗାଯୋଗ ରଖୁଥିଲେ ଏବଂ ସନ୍ଦେହ ଏଡାଇବା ପାଇଁ ମିଥ୍ୟା ନାମରେ କଣ୍ଟାକ୍ଟ ସେଭ କରୁଥିଲେ।
ପହଲଗାମ ହମଲା ସମ୍ପର୍କ: ତଦନ୍ତକାରୀମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଜ୍ୟୋତିଙ୍କ ଜାନୁୟାରୀ ୨୦୨୫ରେ ପହଲଗାମ ଗସ୍ତ ଏବଂ ଏପ୍ରିଲ ୨୦୨୫ରେ ହୋଇଥିବା ଆତଙ୍କବାଦୀ ହମଲା ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ।
ଜ୍ୟୋତିଙ୍କ ସହ ଅନ୍ୟ ୫ ଜଣଙ୍କୁ ମଧ୍ୟ ଏହି ଗୁପ୍ତଚରବୃତ୍ତି ମାମଲାରେ ଗିରଫ କରାଯାଇଛି, ଯେଉଁମାନେ ହରିୟାଣା ଓ ପଞ୍ଜାବରୁ ଅଟନ୍ତି। ସେମାନଙ୍କ ମଧ୍ୟରେ ନୌମାନ ଇଲାହୀ (ପାଣିପତ), ଦେବେନ୍ଦର ସିଂ ଧିଲ୍ଲୋନ (କୈଥଲ), ଗୁଜାଲା (ମାଲେରକୋଟଲା), ୟାମୀନ ମୋହଦ ଓ ଅରମାନ ଅଛନ୍ତି।
ଜ୍ୟୋତିଙ୍କ ଆର୍ଥିକ ଲେଣଦେଣ ଓ ଯାତ୍ରା ଇତିହାସ ତଦନ୍ତ କରାଯାଉଛି। ତାଙ୍କ ଆୟର ଉତ୍ସ ଓ ଯାତ୍ରା ଖର୍ଚ୍ଚ ସେମାନଙ୍କ ଘୋଷିତ ଆୟ ସହ ଅସଙ୍ଗତିପୂର୍ଣ୍ଣ ଥିବା ଅଭିଯୋଗ ରହିଛି।
ଓଡିଶା ପୋଲିସ ଜ୍ୟୋତିଙ୍କ ଓ ପୁରୀର ଜଣେ ମହିଳା ୟୁଟ୍ୟୁବରଙ୍କ ମଧ୍ୟରେ ସମ୍ପର୍କ ତଦନ୍ତ କରୁଛି।
ପୋଲିସ ଅନୁମାନ କରୁଛି ଯେ ଜ୍ୟୋତି ଅନ୍ୟ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ସହ ଯୋଗାଯୋଗରେ ଥିଲେ, ଯେଉଁମାନେ ମଧ୍ୟ ISI ଦ୍ୱାରା ନିୟୋଜିତ ହୋଇଥାଇପାରନ୍ତି।
ପୂର୍ବତନ ଜାମ୍ମୁ-କାଶ୍ମୀର DGP ଶେଷ ପାଉଲ ବୈଦ ଏକ୍ସରେ ଏହାକୁ ‘ଆଶ୍ଚର୍ଯ୍ୟଜନକ ସଂଯୋଗ’ ବୋଲି ମନ୍ତବ୍ୟ କରିଛନ୍ତି।
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା । ହରିୟାଣାର ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ତାଙ୍କର କନେକସନ ପାକିସ୍ତାନ ସହ ରହିଥିବା ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି । ଜ୍ୟୋତିଙ୍କ ସହ 5 ଜଣ ଗୁଇନ୍ଦାଗିରି କରୁଥିବା ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି । ଏବେ ଜ୍ୟୋତିଙ୍କ ସହ ପହଲଗାମ, କେରଳ ଯାଇଥିବା ପୁରୀ କାଳିକାଦେବୀ ସାହିର ପ୍ରିୟଙ୍କା ସେନାପତି ପୁଲିସ ସ୍କାନରକୁ ଆସିଛନ୍ତି। ପୋଲିସ ତାଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ପଚରାଉଚୁରା କରିଛି ।
ହରିୟାଣା ପୁଲିସ କହିବା ଅନୁସାରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ ଜ୍ୟୋତି ମାଲହୋତ୍ରା । ୟୁଟ୍ୟୁବର ଜ୍ୟୋତି ନିଜକୁ ଦେଶପ୍ରେମୀ ବୋଲି ଦେଖାଇ ହେଉଥିଲେ କିନ୍ତୁ ତାଙ୍କର କାମ ଦେଶଦ୍ରୋହୀ ଥିଲା । ପୋଲିସ ତାଙ୍କୁ ଆଇଏସଆଇ ପାଇଁ ଗୁପ୍ତଚର କାମ କରୁଥିବା ପ୍ରମାଣ ପାଇବା ପରେ ଗିରଫ କରିଛି । ପାକିସ୍ତାନର ଆଇଏସଆଇ ପାଇଁ କାମ କରୁଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମ୍ପର୍କରେ ପୋଲିସ ଏମିତି ଖୁଲାସା କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ହିସାରର ଏସପି ଶଶାଙ୍କ କୁମାର ସାଓ୍ଵାନ କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀରର ପହଲଗାମକୁ ଜ୍ୟୋତି ଯାଇଥିଲେ । ପରେ ସେ ପାକିସ୍ତାନ ଯାଇଥିଲେ । ଏହାର କିଛି ଦିନ ପରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଜ୍ୟୋତି ମାଲହୋତ୍ରା ପାକିସ୍ତାନ ଗସ୍ତ ପୂର୍ବରୁ ପହଲଗାମ ରେକି କରିବାକୁ ଯାଇଥିଲେ ବୋଲି ଚର୍ଚା ହେଉଛି । କିନ୍ତୁ ଜ୍ୟୋତିଙ୍କ ସହ ପହଲଗାମ ଟେରର ଲିଙ୍କ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ (ISI) ସହ ସଂପର୍କରେ ଥିବା ପ୍ରମାଣ ମିଳିଛି ବୋଲି ପୋଲିସ କହିଛି।
ପୋଲିସ ତଦନ୍ତ ପରେ ଭାରତରୁ ବହିଷ୍କୃତ ହୋଇଥିବା ପାକିସ୍ତାନୀ ଅଧିକାରୀ ଏହସାନ-ଉର-ରହିମ ଓରଫ ଡାନିଶଙ୍କ ସହ ଜ୍ୟୋତିଙ୍କର ନିକଟତର ସମ୍ପର୍କ ଥିଲା। ତାଙ୍କର ‘ଟ୍ରାଭେଲ ଉଇଥ ଜୋ’ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଥିବା ଭିଡିଓଗୁଡ଼ିକ ସାଧାରଣତ ପାକିସ୍ତାନର ପ୍ରଶଂସା କରାଯାଉଥିବା ପୋଲିସ କହିଛି ।
ଜ୍ୟୋତିଙ୍କୁ ସମ୍ବେଦନଶୀଳ ସୂଚନା ସେୟାର କରିବା ଏବଂ ପାକିସ୍ତାନୀ ନାଗରିକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା ଅଭିଯୋଗରେ ଗିରଫ କରାଯାଇଛି। ୨୦୨୪ ମାର୍ଚ୍ଚ ୨୩ ତାରିଖରେ ପାକିସ୍ତାନ ଜାତୀୟ ଦିବସ ଅବସରରେ ଜ୍ୟୋତି ଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସରେ ଆୟୋଜିତ ଇଫତାର ପାର୍ଟିରେ ଅଂଶଗ୍ରହଣ କରିଥିଲେ। ସେ ଏହି ଭିଡିଓ ନିଜ ଚ୍ୟାନେଲରେ ଅପଲୋଡ କରିଥିଲେ। ଭିଡିଓରେ ଦେଖାଯାଇଛି ଯେ ପାକିସ୍ତାନୀ ଦୂତାବାସର ଅଧିକାରୀ ଡାନିଶ ଙ୍କ ସହ ସେ ବନ୍ଧୁ ଭଳି ମିଶୁଛନ୍ତି । ଡାନିଶ ଜ୍ୟୋତିଙ୍କୁ ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ପରିଚିତ କରାଉଛନ୍ତି। ସେ ପୁରା ଭିଡିଓରେ ପାକିସ୍ତାନୀ ଦୂତାବାସରେ କରାଯାଇଥିବା ଆୟୋଜନର ଖୁବ୍ ପ୍ରଶଂସା କରିଥିଲେ। ଏହାସହ ଜ୍ୟୋତି ପାକିସ୍ତାନରୁ ଆସିବା ପରେ ଚୀନ ଯାଇଛନ୍ତି । ଚୀନୀ ଅଧିକାରୀଙ୍କ ସହ ମଧ୍ୟ ସେ ସାକ୍ଷାତ କରିଛନ୍ତି। ପ୍ରଶ୍ନ ଉଠୁଛି ଜଣେ ୟୁ ଟ୍ୟୁବର କାହିଁକି ଓ କିପରି ଶତ୍ରୁ ଦେଶର ବଡ଼ ବଡ଼ ଅଧିକାରୀଙ୍କ ସହ ସଂପର୍କ ରଖିଛନ୍ତି । ତାଙ୍କୁ କାହିଁକି ଭାରତର ସୂଚନା ଦେଉଛନ୍ତି । ତାଙ୍କ ନାମକୁ ଅଲଗା ନାମରେ ଫୋନରେ ସେଭ କରିଛନ୍ତି ।
ହରିୟାନା ପୋଲିସ କହିବା ଅନୁସାରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥାମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ସେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ସହ ଯୋଗାଯୋଗରେ ଥିଲେ। ପୁଲିସ ବର୍ତ୍ତମାନ ତାଙ୍କର ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ଫୋନ ଏବଂ ଲାପଟପର ତଦନ୍ତ କରୁଛି। ଜ୍ୟୋତିଙ୍କର ଆୟ ଅନୁସାରେ ଶହେ ଗୁଣା ସେ ଖର୍ଚ କରିଛନ୍ତି । ଗତ ଦୁଇ ବର୍ଷ ଭିତରେ ସେ ଲଗାତାର ବିଦେଶ ଯାଇଥିବା ଜଣାପଡିଛି ।
ପାକିସ୍ତାନ ଓ ଚୀନ ଯାତ୍ରା ଯୋଗୁଁ ସନ୍ଦେହରେ ଜ୍ୟୋତି
ଜ୍ୟୋତି ମାଲହୋତ୍ରା ସୁରକ୍ଷା ଏଜେନ୍ସିମାନଙ୍କ ନଜରରେ ଆସିଥିଲେ ଯେତେବେଳେ ସେ ୨୦୨୪ ମସିହାରେ ଦୁଇ ମାସର ଅନ୍ତରାଳ ମଧ୍ୟରେ ପାକିସ୍ତାନ ଓ ଚୀନ ଗସ୍ତ କରିଥିଲେ। ୨୦୨୪ ଏପ୍ରିଲ ୧୭ରୁ ମେ’ ୧୫ ପର୍ଯ୍ୟନ୍ତ ଜ୍ୟୋତି ଏକ ମାସ ପାଇଁ ପାକିସ୍ତାନରେ ରହିଥିଲେ। ପାକିସ୍ତାନରେ ଥିବା ବେଳେ ସେ ପାକିସ୍ତାନର ଗୁଇନ୍ଦା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସେଠାରେ ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ଶରିଫଙ୍କୁ ସାକ୍ଷାତ କରି ତାଙ୍କର ସାକ୍ଷାତକାର ନେଇଥିଲେ। ସାଧାରଣ ଜଣେ ୟୁଟ୍ୟୁବର କିପରି ପାକିସ୍ତାନର ହାଇପ୍ରୋଫାଇଲ ନେତାଙ୍କ ସହ ମିଶିଥିଲେ ତାହା ବଡ଼ ସନ୍ଦେହ ସୃଷ୍ଟି କରୁଛି ।
ଚୀନ ଯାତ୍ରା: ପାକିସ୍ତାନରୁ ଫେରିବାର ୨୫ ଦିନ ପରେ, ୨୦୨୪ ଜୁନ ୧୦ରେ ସେ ଚୀନ ଗସ୍ତ କରିଥିଲେ ଏବଂ ଜୁଲାଇ ୯ ପର୍ଯ୍ୟନ୍ତ ସେଠାରେ ରହିଥିଲେ। ଚୀନରୁ ଫେରିବା ପରେ ସେ ଜୁଲାଇ ୧୦ରେ ନେପାଳର କାଠମାଣ୍ଡୁ ଗସ୍ତ କରିଥିଲେ।
ସୁରକ୍ଷା ଏଜେନ୍ସିମାନେ ଜ୍ୟୋତିଙ୍କ ଉପରେ ସନ୍ଦେହ କରିବାର ଚାରୋଟି ମୁଖ୍ୟ କାରଣ ହେଲା -ପାକିସ୍ତାନ ଓ ଚୀନର ସହଜ ଭିସା କିପରି ତାଙ୍କୁ ମିଳିଲା ? ପାକିସ୍ତାନ ଓ ଚୀନର ମଧ୍ୟରେ ଯାତ୍ରା କରିବାକୁ ତାଙ୍କୁ କିଏ ସହଯୋଗ କଲା ? ଜ୍ୟୋତି କିପରି ଏତେ ସହଜେ ଉଭୟ ଦେଶର ଭିସା ପାଇଗଲେ? ତାହା ଏବେ ତଦନ୍ତ ହେଉଛି ।
ଜ୍ୟୋତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଥିଲେ । କିନ୍ତୁ ସେ କୌଣସି ଚାକିରି କରୁନଥିଲେ। କରୋନା ବେଳେ ସେ ଦିଲ୍ଲୀରେ 20 ହଜାର ଟଙ୍କାରେ କିଛି ଦିନ ପାଇଁ ଚାକିରି କରିଥିଲେ । କିନ୍ତୁ ଭିଡିଓ ଅପଲୋଡ଼ କରି ସେ ଯେତିକି ଟଙ୍କା ପାଇଛନ୍ତି ତାହାର ଶହେ ଗୁଣା ଖର୍ଚ କରିଛନ୍ତି । ହିସାରରେ ତାଙ୍କର ଏକ ଛୋଟ ଘର ରହିଛି। ତେବେ ତାଙ୍କ ବିଦେଶ ଯାତ୍ରାର ଖର୍ଚ୍ଚ କିଏ ବହନ କରୁଥିଲା? ତାହା ମଧ୍ୟ ତଦନ୍ତ ପରେ ଜଣାପଡିବ ।
ସାଧାରଣ ଜଣେ ୟୁ ଟ୍ୟୁବରଙ୍କୁ ପାକିସ୍ତାନୀ ଦୂତାବାସରେ ଅତିଥି ଭାବେ ଉପସ୍ଥିତି ହଜମ ହେଉନାହିଁ । କିପରି ପାକିସ୍ତାନୀ ଦୂତାବାସର ଇଫ୍ତାର ପାର୍ଟିରେ ସେ ଅତିଥି ଭାବେ ଅଂଶଗ୍ରହଣ କଲେ? ଡାନିଶଙ୍କ ସହ ତାଙ୍କର ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କିପରି ହେଲା ,ଏସବୁ ଘଟଣା ସୁରକ୍ଷା ଏଜେନ୍ସିମାନଙ୍କୁ ସନ୍ଦେହରେ ପକାଇଛି।
ଜଣେ ଟ୍ରାଭେଲ ୟୁଟ୍ୟୁବର ହୋଇଥିବା ସତ୍ତ୍ୱେ, ସେ କିପରି ପାକିସ୍ତାନୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଶରିଫଙ୍କ ଏତେ ନିକଟତର ହେଲେ ଏବଂ ତାଙ୍କର ସାକ୍ଷାତକାର ନେଲେ? ତାହା ମଧ୍ୟ ତଦନ୍ତ କରୁଛି ପୋଲିସ ।
ପୋଲିସ କହିବା କଥା ଦୂତାବାସରେ ତାଙ୍କର ପରିଚୟ ଅଧିକାରୀ ଏହସାନ-ଉର-ରହିମ ଓରଫ ଡାନିଶଙ୍କ ସହ ହୋଇଥିଲା। ପ୍ରଥମ ସାକ୍ଷାତରେ ଡାନିଶଙ୍କ ସହ ସେ ବନ୍ଧୁ କିପରି ବନିଗଲେ । ଡାନିଶଙ୍କ ମୋବାଇଲ ନମ୍ବର ସହ ତାଙ୍କ କଥାବାର୍ତା କୁ ପୋଲିସ ଏବେ ତଦନ୍ତ କରୁଛି ।
୨୦୨୩ ମସିହାରେ ତାଙ୍କୁ ୧୦ ଦିନିଆ ପାକିସ୍ତାନ ଭିସା ମିଳିଥିଲା। ଡାନିଶଙ୍କ ପରାମର୍ଶ ଅନୁସାରେ ସେ ପାକିସ୍ତାନରେ ଅଲି ଆହୱାନ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଯିଏ ତାଙ୍କ ଯାତ୍ରା, ରହଣୀ ଓ ଖାଦ୍ୟର ବ୍ୟବସ୍ଥା କରିଥିଲେ। ଅଲି ଆହୱାନ ଜ୍ୟୋତିଙ୍କୁ ଶାକିର ଓ ରାଣା ଶେହବାଜ ନାମକ ଦୁଇ ବ୍ୟକ୍ତିଙ୍କ ସହ ପରିଚିତ କରାଇଥିଲେ, ଯେଉଁମାନେ ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ଅଧିକାରୀ ଥିଲେ। ଜ୍ୟୋତି ଏହି ଅଧିକାରୀଙ୍କୁ ସମସ୍ତ ସୂଚନା ପ୍ରଦାନ କରୁଥିଲେ ।
ସେବେଠୁ ଭାରତ ଫେରିବା ପରେ ଜ୍ୟୋତି ପାକିସ୍ତାନୀ ଗୁପ୍ତଚର ସଂସ୍ଥା ପାଇଁ କାମ ଆରମ୍ଭ କରିଥିଲେ। ସେ ହ୍ୱାଟସଆପ, ସ୍ନାପଚାଟ ଏବଂ ଟେଲିଗ୍ରାମ ଭଳି ଏନକ୍ରିପ୍ଟେଡ ପ୍ଲାଟଫର୍ମ ମାଧ୍ୟମରେ ସମ୍ବେଦନଶୀଳ ସୂଚନା ପଠାଉଥିଲେ।
ହରିୟାଣା ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନରେ ଭିଆଇପି ସୁବିଧା ମିଳୁଥିଲା। ଏହା ପାକିସ୍ତାନୀ ଦୂତାବାସର ଅଧିକାରୀ ଡାନିଶ ଏବଂ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ସହ ତାଙ୍କର ସମ୍ପର୍କ ଯୋଗୁଁ ସମ୍ଭବ ହୋଇଥିଲା। ତେବେ ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ।
ସାଧାରଣତଃ ଜଣେ ଭାରତୀୟ ପାକିସ୍ତାନ ଗସ୍ତ କଲେ ତାଙ୍କ ଉପରେ ସ୍ଥାନୀୟ ପୁଲିସ ନଜର ରଖିଥାଏ ଏବଂ କେବଳ ଭିସାରେ ଉଲ୍ଲେଖିତ ସ୍ଥାନକୁ ହିଁ ଯାଇପାରନ୍ତି। କିନ୍ତୁ ଜ୍ୟୋତି ପାକିସ୍ତାନରେ ମନଇଚ୍ଛା ସ୍ଥାନକୁ ଯାଉଥିଲେ ଏବଂ ତାଙ୍କୁ ପାକିସ୍ତାନୀ ପୁଲିସ ସୁରକ୍ଷା ମଧ୍ୟ ପ୍ରଦାନ କରୁଥିଲା। ଖର୍ଚ ସହ ଆତିଥ୍ୟ ପ୍ରଦାନ କରୁଥିଲା ପୋଲିସ । ହାଇ-ପ୍ରୋଫାଇଲ ପାର୍ଟିରେ ଅଂଶଗ୍ରହଣ କରୁଥିଲେ, ଯେଉଁଠାରେ ସେ ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କୁ ଭେଟୁଥିଲେ। କାହିଁକି ଭେଟୁଥିଲେ, ଭେଟିବା ବେଳେ କଣ ଆଲୋଚନା କରୁଥିଲେ ସେ ବିଷୟରେ ଏବେ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । କିନ୍ତୁ ସେ ଭେଟୁଥିବା ନିଜେ ଜ୍ୟୋତି ପୋଲିସ ଆଗରେ ମାନିଥିବା ପୋଲିସ କହିଛି ।
ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମ୍ପର୍କରେ ହରିୟାଣା ପୁଲିସର ବଡ଼ ଖୁଲାସା କରି ଅନେକ କଥା ପ୍ରକାଶ କରିଛି । ଯାହା କୁ ନେଇ ଭାରତରେ ଆଉ ଏପରି କେତେ ୟୁ ଟ୍ୟୁବର ପାକିସ୍ତାନ ପାଇଁ କାମ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ସୁରକ୍ଷା ଏଜେନସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।
ହିସାରର ଏସପି ଶଶାଙ୍କ କୁମାର ସାଓ୍ଵାନ କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜ୍ୟୋତି ମାଲହୋତ୍ରା ପାକିସ୍ତାନ ଗସ୍ତ କରିଥିଲେ। ତେଣୁ ପହଲାଗାମ ସହ ଜ୍ୟୋତିଙ୍କର କିଛି ଗୁପ୍ତଚର କାର୍ଯ୍ୟ ରହିଛି କି ନାହିଁ ତାହାର ମଧ୍ୟ ତଦନ୍ତ ଚାଲିଛି । ଏପରିକି ଓଡ଼ିଶାର ପ୍ରିୟଙ୍କା ମଧ୍ୟ ଜ୍ୟୋତିଙ୍କ ସହ ପାକିସ୍ତାନ ଯାଇଥିଲେ । ପହଲଗାମ ଯାଇଥିଲେ । ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପ୍ରିୟଙ୍କା ସେନାପତି ଲିଙ୍କ୍ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ଜ୍ୟୋତି ମାଲହୋତ୍ରାଙ୍କ ଚ୍ୟାନେଲରେ ୩.୭୭ ଲକ୍ଷରୁ ଅଧିକ ସବସ୍କ୍ରାଇବର ଏବଂ ଇନଷ୍ଟାଗ୍ରାମରେ ୧.୩୩ ଲକ୍ଷ ଫଲୋଅର୍ସ ରହିଛନ୍ତି।
ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରବୃତ୍ତି ଅଭିଯୋଗରେ ଗିରଫ କରାଯିବା ପରେ ଓଡ଼ିଶାର ପୁରୀରେ ରହୁଥିବା ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । କାରଣ ସେ ତାଙ୍କ ସହ ପାକିସ୍ତାନ ଯାଇଥିଲେ ।
୨୦୨୫ ମେ’ ୧୭ରେ ହରିୟାଣା ପୁଲିସ ଜ୍ୟୋତିଙ୍କୁ ଗିରଫ କରିଥିଲା, ଅଭିଯୋଗ ଥିଲା ଯେ ସେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର କାମ କରୁଥିଲେ। ଗିରଫ ପରେ ଏହି ମାମଲାରେ ଆଉ କିିଛି ୟୁଟ୍ୟୁବର ତାଙ୍କ ସହ ପାକିସ୍ତାନ ଯାଇଥିବା ଜଣାପଡିଥିଲା । ପ୍ରିୟଙ୍କା ସେନାପତି, ଯିଏ ପୁରୀରେ ରହୁଛନ୍ତି, ସେ ମଧ୍ୟ ପାକିସ୍ତାନ ଯାଇଥିବା ଜଣାପଡିଥିଲା । ପୁରୀ ପୁଲିସ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ତାଙ୍କୁ ପଚରାଉଚରା କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ୨୦୨୪ ସେପ୍ଟେମ୍ବରରେ ଜ୍ୟୋତି ପୁରୀ ଗସ୍ତ କରିଥିଲେ ଏବଂ ସେତେବେଳେ ପ୍ରିୟଙ୍କାଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ଅଳ୍ପ ସମୟ ମଧ୍ୟରେ ବନ୍ଧୁତା ହୋଇଥିଲା ।
ପ୍ରିୟଙ୍କାଙ୍କ ବାପା ରାଜକିଶୋର ସେନାପତି କହିଛନ୍ତି ଯେ ପ୍ରିୟଙ୍କା କେବଳ ୟୁଟ୍ୟୁବ ଓ ଭ୍ରମଣ ସମ୍ବନ୍ଧୀୟ କାମ ପାଇଁ ଜ୍ୟୋତିଙ୍କ ସହ ସାଙ୍ଗ ହୋଇଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ପ୍ରିୟଙ୍କା କୌଣସି ଦେଶବିରୋଧୀ କାର୍ଯ୍ୟରେ ଜଡ଼ିତ ନାହାନ୍ତି ତେବେ ତଦନ୍ତ ପ୍ରକ୍ରିୟା ପରେ ଜଣାପଡ଼ିବ କାହାର କାହା ସହ ସଂପର୍କ ରହିଛି ।
ପ୍ରିୟଙ୍କାଙ୍କୁ ମେ’ ୧୮, ୨୦୨୫ରେ ପୁରୀ ପୁଲିସ ପଚରାଉଚରା କରିଛି। ତାଙ୍କୁ କର୍ତାରପୁର ଯାତ୍ରାର ଉଦ୍ଦେଶ୍ୟ କ’ଣ ଥିଲା ତାହା ଉପରେ ପ୍ରଶ୍ନ କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନଯିବାକୁ ନିର୍ଦେଶ ପୋଲିସ ଦେଇଛି । ସେପଟେ ଜ୍ୟୋତିଙ୍କର ମୋବାଇଲ, ଲାପଟପ ଓ ବ୍ୟାଙ୍କ ଆକାଉଣ୍ଟର ତଦନ୍ତ ଚାଲିଛି। ତାଙ୍କର ଆୟଠାରୁ ଅଧିକ ଖର୍ଚ୍ଚ ଏବଂ ପାକିସ୍ତାନୀ ଅଧିକାରୀମାନଙ୍କ ଦ୍ୱାରା ପ୍ରାୟୋଜିତ ଯାତ୍ରା ସନ୍ଦେହ ବଢ଼ାଇଛି। ଏହାସହ, ପହଲଗାମ ଆକ୍ରମଣ ଓ ‘ଅପରେସନ ସିନ୍ଦୁର’ ସହ ଜ୍ୟୋତିଙ୍କର ସମ୍ପର୍କ କଣ ରହିଛି ତାହାର ତଦନ୍ତ କରାଯାଉଛି ।
ପ୍ରିୟଙ୍କାଙ୍କ କର୍ତାରପୁର ଯାତ୍ରା ମଧ୍ୟ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ପୁଲିସ ଜାଣିବାକୁ ଚେଷ୍ଟା କରୁଛି ଯେ ଏହି ଯାତ୍ରା କେବଳ ଧାର୍ମିକ ଉଦ୍ଦେଶ୍ୟରେ ଥିଲା ନା ଗୁପ୍ତଚର କାମ ଥିଲା ।
ଏହି ଦୁଇ ଜଣଙ୍କ ଘଟଣା ଭାରତର ଜାତୀୟ ନିରାପତ୍ତା ପ୍ରତି ପ୍ରଶ୍ନ ଉଠାଇଛି । ସାମାଜିକ ଗଣମାଧ୍ୟମର ଭୂମିକା ଏବଂ ବ୍ୟକ୍ତିଗତ ସମ୍ପର୍କରେ ସତର୍କତା ଉପରେ ଗଭୀର ପ୍ରଭାବ ପକାଇପାରେ। ଶତ୍ରୁ ରାଷ୍ଟ୍ରମାନେ ସାଧାରଣ ନାଗରିକଙ୍କୁ ସୂଚନା ପାଇଁ ଏଭଳି ବ୍ୟବହାର କରିପାରନ୍ତି।
ପ୍ରିୟଙ୍କାଙ୍କ ମାମଲା ସାମାଜିକ ଗଣମାଧ୍ୟମରେ କାହାକୁ ବିଶ୍ୱାସ ଓ ସମ୍ପର୍କ ବଢ଼ାଇବା ବେଳେ ସତର୍କତା ରହିବା ଆବଶ୍ୟକ ବୋଲି ସୂଚାଉଛି । ଆପଣ କୁଆଡ଼େ ଯାଉଛନ୍ତି, କାହା ସହ ଯାଉଛନ୍ତି, ସେ କିଏ ତାଙ୍କର କିଛି ଏଜେଣ୍ଡା ଅଛିକି ନାହିଁ ତାହା ମଧ୍ୟ ଜାଣିବା ଆବଶ୍ୟକ। ଜ୍ୟୋତିଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍ ଘଟଣା ଜାତୀୟ ନିରାପତ୍ତା ଓ ଡିଜିଟାଲ ଯୁଗରେ ସୂଚନାର ଦୁରୁପଯୋଗ ଉପରେ ଆଲୋକପାତ କରିଛି। ସାମାଜିକ ଗଣମାଧ୍ୟମରେ ସମ୍ପର୍କ ଗଢ଼ିବା ସମୟରେ ସତର୍କ ରହିବା ଏବଂ ଜାତୀୟ ନିରାପତ୍ତା ପ୍ରତି ସଚେତନ ହେବା ନିହାତି ଜରୁରୀ, ନହେଲେ ବିପଦରେ ପଡ଼ିବା ସ୍ବାଭାବିକ ।